ଶୁକ୍ରବାର ପ୍ରଳୟ; ୨୦୫ କିମି ବେଗରେ ପବନ, ଅପରାହ୍ନ ସୁଦ୍ଧା ଗୋପାଳପୁରରୁ ପୁରୀ ଭିତରେ ପଶିବ, ୧୮ରୁ ୨୪ ଘଣ୍ଟା ରହିବ ଓଡ଼ିଶା ଉପରେ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ମାଡ଼ି ଆସୁଛି ପ୍ରଳୟ । ସାଙ୍ଗରେ ଧରି ଆସୁଛି ଅତିି ଭୟାନକ ବାତ୍ୟା ‘ଫୋନି’ ଶୁକ୍ରବାର (୩ ତାରିଖ) ଅପରାହ୍ନ ସୁଦ୍ଧା ମାଡ଼ ହେବ ଗୋପାଳପୁରରୁ ପୁରୀ ଭିତରେ । କେତେକ ଆକଳନ କହୁଛି, ଫୋନି ଗୋପାଳପୁରରେ ସ୍ଥଳଭାଗ ଛୁଇଁପାରେ । ଆଉ କେତେକ ପୂର୍ବାନୁମାନ ଅନୁସାରେ ପୁରୀ ଏବଂ କୃଷ୍ଣପ୍ରସାଦ ବ୍ଲକ ପାଖରେ ମାଡ଼ ହୋଇପାରେ ।

୧୭୫ରୁ ୧୮୫ କିଲୋମିଟର ବେଗରେ ମାଡ଼ି ଆସିବ ପବନ । ମଝିରେ ମଝିରେ ୨୦୫ କିମି ବେଗରେ ବି ଧକ୍କା ଦେଇପାରେ । ବାତ୍ୟା ଗତିପଥରେ ପଡୁଥିବା ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ଧ୍ୱସ୍ତବିଧ୍ୱସ୍ତ କରିବା ଆଶଙ୍କା ରହିଛି । ୧୬ ଜିଲ୍ଲା ପ୍ରଭାବିତ ହେବ । ସର୍ବାଧିକ କ୍ଷତିଗ୍ରସ୍ତ ହେବ ୯ଟି ଉପକୂଳବର୍ତ୍ତୀ ଜିଲ୍ଲା ।
କେବଳ ସେତିକି ନୁହେଁ, ୧୫ରୁ ୨୦ ଫୁଟ୍‌ ଉଚ୍ଚ ଜୁଆର ମାଡ଼ି ଆସିପାରେ । ଯାହାକି ଉପକୂଳରେ ଥିବା ସବୁକିଛି ଭସାଇନେବ । ପ୍ରବଳରୁ ଅତି ପ୍ରବଳ ବର୍ଷା ଢାଳିବ । ୨୫୦ ମିଲିମିଟରରୁ ଅଧିକ ବର୍ଷା ବୁଡ଼ାଇଦେବ ଅନେକ ଅଞ୍ଚଳକୁ ।

ଛାତି ଥରାଇ ଦେଲା ଭଳି ଏଭଳି ଚିତ୍ର ଆଙ୍କିଛି ପାଣିପାଗ ବିଭାଗ । ଏ ପୂର୍ବାନୁମାନ ଯଦି ସତ ହୁଏ, ତେବେ ଓଡ଼ିଶାକୁ ମୋଡ଼ି ମକଚି ଦେବ ‘ଫୋନି’ । ଆହୁରି ଭୟାନକ ଚିତ୍ର ଦେଖାଉଛି ଆମେରିକାର ଜଏଣ୍ଟ ଟାଇଫୁନ୍‌ ୱାର୍ଣ୍ଣିଂ ସେଣ୍ଟର । ପୂର୍ବାନୁମାନ ଦେଇଛି, ‘ଫୋନି’ର ବେଗ ଘଣ୍ଟା ପ୍ରତି ୧୯୦ କିମି ରହିବା ସମ୍ଭାବନା ଅଛି । ହେଲେ ପବନର ଧକ୍କା ୨୩୪ କିମି ଛୁଇଁପାରେ । ଏଥିରୁ ଅନୁମାନ କରାଯାଇପାରେ ଓଡ଼ିଶା ପାଇଁ କେତେ ଭୟଙ୍କର ହୋଇପାରେ ‘ଫୋନି’ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ ‘ଫୋନି’ ଉପକୂଳ ଛୁଇଁପାରେ ବୋଲି ଆକଳନ କରିଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ସାମାନ୍ୟ ଭିନ୍ନ ଚିତ୍ର ଦେଇଛନ୍ତି । କହିଛନ୍ତି, ପୁରୀ ନୁହେଁ, ଗୋପାଳପୁର ପାଖରେ ସ୍ଥଳଭାଗ ଛୁଇଁବ ଫୋନି । ଅପରାହ୍ନ ନୁହେଁ, ୩ ତାରିଖ ସକାଳ ପ୍ରାୟ ୯ଟା ୩୦ରେ ଏହା ସ୍ଥଳଭାଗରେ ମାଡ଼ ହେବ । ସେତେବେଳକୁ ୧୮୦ କିମି ବେଗରେ ପବନ ବହିବ । ପବନର ଧକ୍କା ୨୦୦ କିମି ଟପିପାରେ ।

ତାଙ୍କ ପୂର୍ବାନୁମାନ: ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟାବେଳେ ଭୁବନେଶ୍ୱରରୁ ୩୦ କି.ଦୂରରେ ଥିବ ‘ଫୋନି’ର କେନ୍ଦ୍ରସ୍ଥଳ ଥିବ । ପବନ ବେଗ ୧୫୦ରୁ ୧୬୦ କିମି ଥିବ ସେତେବେଳେ । ଏହା ବାରିପଦା ଦେଇ ୪ ତାରିଖ ସକାଳେ ପଶ୍ଚିମବଙ୍ଗ ଯିବ । ସେତେବେଳକୁ ପବନ ବେଗ ୧୦୦ କିମିକୁ ଖସି ଯାଇଥିବ । ଅର୍ଥାତ୍‌ ୧୮ରୁ ୨୪ ଘଣ୍ଟା ଯାଏ ଓଡ଼ିଶାରେ ରହିବ ଫୋନି ଆଉ ତାଣ୍ଡବ ରଚାଇବ ।

‘ଫୋନି’ ସ୍ଥଳଭାଗ ଛୁଇଁବା ପରେ ଯେଉଁ ପଥରେ ଯିବ, ତା’ର ଦକ୍ଷିଣ ପୂର୍ବରେ ସର୍ବାଧିକ କ୍ଷତିଗ୍ରସ୍ତ କରିବ । ‘ଫୋନି’ ପ୍ରଭାବରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା ଅଛି । ଏହାବାଦ୍‌ ଗଜପତି, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ବି ପ୍ରଭାବିତ ହେବ । ବାତ୍ୟାର କେନ୍ଦ୍ରସ୍ଥଳରୁ ୧୧୦ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଯେଉଁ ଅଞ୍ଚଳ ପଡ଼ିବ, ସେଠାରେ ଏହାର ପ୍ରଭାବ ନିଶ୍ଚିତ ପଡ଼ିବ । ବାତ୍ୟା ପ୍ରଭାବରେ ୧୫ରୁ ୨୦ ଫୁଟ୍‌ ଉଚ୍ଚ ଜୁଆର ଉଠିପାରେ ସମୁଦ୍ରରେ ।

ପାଣିପାଗ ବିଭାଗର ଆକଳନ ଏମିତି: ମେ’ ୧ (ବୁଧବାର) ମଧ୍ୟାହ୍ନ ପରଠୁ ‘ଫୋନି’ ଗତିପଥ ବଦଳାଇ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ । ୩ ତାରିଖ ଅପରାହ୍ନ ସୁଦ୍ଧା ଗୋପାଳପୁରରୁ ଚାନ୍ଦବାଲି ଭିତରେ ଏହା ସ୍ଥଳଭାଗ ଛୁଇଁବ । ପୁରୀର ଦକ୍ଷିଣରେ ହିଁ ମାଡ଼ ହେବ ‘ଫୋନି’ । ସେତେବେଳକୁ ଘଣ୍ଟା ପ୍ରତି ୧୭୫ରୁ ୧୮୫ କିମି ବେଗରେ ପବନ ବହୁଥିବ । ପବନର ଧକ୍କା ୨୦୫ କିମି ରହିପାରେ । ପୁରୀରୁ ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଦେଇ ବାଲେଶ୍ୱର ଉପକୂଳ ଘଷି ହୋଇ ଯିବ ‘ଫୋନି’ ।

ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ଚାଲିଥିବ ‘ଫୋନି’ ରାଜୁତି । ରାତି ପ୍ରାୟ ସାଢ଼େ ୧୧ଟାବେଳେ ବାତ୍ୟାର କେନ୍ଦ୍ରସ୍ଥଳ ଜଗତସିଂହପୁରର ଅଢଙ୍ଗ ଅଞ୍ଚଳରେ ପ୍ରଳୟ ଭିଆଉଥିବ । ପରେ ଏହା କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଦେଇ ବାଲେଶ୍ୱର ଉପକୂଳକୁ ଯିବ । ପ୍ରାୟ ୧୨ ଘଣ୍ଟା କାଳ ଉପକୂଳବର୍ତ୍ତୀ ଓଡ଼ିଶାରେ ତାଣ୍ଡବ ରଚିବ । ଶୁକ୍ରବାର ରାତି ତମାମ ଓଡ଼ିଶାରେ ଚାଲିବ ପ୍ରଳୟଙ୍କରୀ ବାତ୍ୟାର ପ୍ରହାର । ପବନ ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ଉପକୂଳ ଓଡ଼ିଶାରେ । ସମୁଦ୍ରରେ ଉଠିବ ଉଚ୍ଚ ଜୁଆର । ୩ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁଲେ ବି ୨ ତାରିଖରୁ ଏହାର ପ୍ରଭାବ ଅନୁଭୂତ ହେବ ଦକ୍ଷିଣ ଓଡ଼ିଶା ଉପକୂଳରେ । ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ ।

ଏକଥା ନୁହେଁ ଯେ କେବଳ ଏହି ସବୁ ଜିଲ୍ଲା ହିଁ କ୍ଷତିଗ୍ରସ୍ତ ହେବ ‘ଫୋନି’ ମାଡ଼ରେ । ବାତ୍ୟାର କେନ୍ଦ୍ରସ୍ଥଳ ଏହି ସବୁ ଜିଲ୍ଲା ଦେଇ ଯିବ । ମାତ୍ର ‘ଫୋନି’ର ବାହ୍ୟ ଓ ଆଭ୍ୟନ୍ତରୀଣ ବଳୟ ସାରା ଓଡ଼ିଶାକୁ ଗ୍ରାସିବ । ସାରା ରାଜ୍ୟ ପ୍ରଭାବିତ ହେବ ଏହି ମହାବିପତ୍ତିରେ ।

ବାଲେଶ୍ୱର ଉପକୂଳରେ ଘଷି ହୋଇ ୪ ତାରିଖ ସକାଳେ ‘ଫୋନି’ ପଶିଯିବ ପଶ୍ଚିମବଙ୍ଗରେ । ସେତେବେଳକୁ ଏହା ଅତି ଭୀଷଣ ବାତ୍ୟା (ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ) ଅବସ୍ଥାରେ ଥିବ । ପବନ ବହୁଥିବ ୧୨୫ରୁ ୧୩୫ କିମି ବେଗରେ । ମଝିରେ ମଝିରେ ପବନ ବେଗ ୧୫୦ କିମି ବେଗ ଛୁଇଁପାରେ । ପଶ୍ଚିମବଙ୍ଗ ପରେ ଏହା ବାଂଲାଦେଶକୁ ପଳାଇବ । ସେତେବେଳକୁ ବାତ୍ୟା ଦୁର୍ବଳ ହୋଇଥିବା ଅନୁମାନ କରାଯାଉଛି ।

ସୋଆର ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ଆସନ୍ତା ୩ ତାରିଖ ଅପରାହ୍ନରେ ଗୋପାଳପୁରରୁ ପୁରୀ ମଧ୍ୟରେ ‘ଫୋନି’ ଓଡ଼ିଶା ଉପକୂଳ ଛୁଇଁବ । ପବନର ବେଗ ୧୮୦ରୁ ୨୦୦ କିମି ରହିପାରେ । ଏହା ପ୍ରକୋପରେ ସମୁଦ୍ରରେ ୫ରୁ ୭ ମିଟର ଉଚ୍ଚ ଜୁଆର ଆଶଙ୍କା ଅଛି । ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର ବାତ୍ୟା ଯୋଗୁ ବେଶି ପ୍ରଭାବିତ ହେବ । ମୟୂରଭଞ୍ଜ ଉପରେ ବି ଏହାର ପ୍ରଭାବ ପଡ଼ିପାରେ ।

ଶେଷ ଖବର ସୁଦ୍ଧା ‘ଫୋନି’ ଅତି ଭୟାନକ ବାତ୍ୟା (ଏକଷ୍ଟ୍ରିମ୍‌ଲି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ) ଅବସ୍ଥାରେ ଦକ୍ଷିଣ ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଥିଲା । ବିଶାଖାପାଟଣାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୪୯୦ କିମି ଓ ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୭୨୦ କିମି ଦୂରରେ ଥିଲା । ଘଣ୍ଟା ପ୍ରତି ୧୬କିମି ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ମୁହାଁଇଥିଲା । ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ପରେ ଗତିପଥ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଓଡ଼ିଶାକୁ ମୁହାଁଇବ ।

ମାଡ଼ ହେବ କେଉଁଠି?
କେଉଁଠି ମାଡ଼ ହେବ ‘ଫୋନି’? ପୁରୀ, ଗୋପାଳପୁର ନା ଚାନ୍ଦବାଲି…! କେଉଁଠି ସ୍ଥଳଭାଗ ଛୁଇଁବ ପ୍ରଳୟଙ୍କରୀ ବାତ୍ୟା ‘ଫୋନି? ଏହି ପ୍ରଶ୍ନର ଉତ୍ତର ଉପରେ ଏବେ ସାରା ଓଡ଼ିଶାର ନଜର । ଭିନ୍ନ ଭିନ୍ନ ପୂର୍ବାନୁମାନ ଦେଇଛନ୍ତି ପାଣିପାଗ ମଡେଲ୍‌ ଓ ବିଶେଷଜ୍ଞ । ଆଉ କେତେକ ଆକଳନ କହୁଛି, ପୁରୀ ପାଖରେ ମାଡ଼ ହେବ । ଆଉ କିଛି ଆକଳନ ଅନୁଯାୟୀ ଗୋପାଳପୁର ପାଖରେ ମାଟି ଛୁଇଁବ ‘ଫୋନି’ ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହୁଛି, ‘ଫୋନି’ ଅତି ଭୟାନକ ବାତ୍ୟା ରୂପରେ ୩ ତାରିଖ ଅପରାହ୍ନରେ ଗୋପାଳପୁରରୁ ଚାନ୍ଦବାଲି ଭିତରେ ଉପକୂଳ ଛୁଇଁବ । ପୁରୀର ଦକ୍ଷିଣରେ ହିଁ ଏହା ସ୍ଥଳଭାଗକୁ ପ୍ରବେଶ କରିବ ।
ଆମେରିକୀୟ ପାଣିପାଗ ସଂସ୍ଥା ଜଏଣ୍ଟ ଟାଇଫୁନ୍‌ ୱାର୍ଣ୍ଣିଂ ସେଣ୍ଟରର ପୂର୍ବାନୁମାନ ହେଲା, ‘ଫୋନି’ ୩ ତାରିଖ ଅପରାହ୍ନରେ ପୁରୀର କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ ମାଡ଼ ହୋଇପାରେ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ୩ ତାରିଖରେ ଗୋପାଳପୁରରୁ ଚାନ୍ଦବାଲି ଭିତରେ ଓଡ଼ିଶାରେ ପ୍ରବେଶ କରିବ ‘ଫୋନି’ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ୩ ତାରିଖ ସକାଳ ପ୍ରାୟ ସାଢ଼େ ୯ଟା ପାଖାପାଖି ଗୋପାଳପୁର ନିକଟରେ ହିଁ ମାଡ଼ ହୋଇପାରେ ‘ଫୋନି’ । ଏଭଳି ଭିନ୍ନ ପୂର୍ବାନୁମାନ ରହିଛି ‘ଫୋନି’ ଉପକୂଳ ଛୁଇଁବା ନେଇ । ତେବେ ସମସ୍ତ ପୂର୍ବାନୁମାନ କହୁଛି, ଉପକୂଳ ଓଡ଼ିଶାରେ ବ୍ୟାପକ ପ୍ରଭାବ ପକାଇବ ‘ଫୋନି’ । ସ୍ଥଳଭାଗ ଛୁଇଁବାବେଳେ ବାତ୍ୟାର କେନ୍ଦ୍ର ସ୍ଥଳରେ ୧୮୦ରୁ ୨୦୦ କିମି ବେଗରେ ପବନ ବହିପାରେ ।

   ସମ୍ବନ୍ଧିତ ଖବର


ରେଡ୍‌ ବୁଲ୍‌ କ୍ୟାମ୍ପସ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ : ଫାଇନାଲ୍‌ରେ ସୋଆ ବିଶ୍ୱବିଦ୍ୟାଳୟ

ଆଜି ବି ମଣିଷର ମନରେ ନିଷ୍ଠା, ମାନବିକତା ମରି ନାହିଁ -ପାନ ଦୋକାନୀଙ୍କ ମହାନତା,ହଜି ଯାଇଥିବା ପର୍ସ ଫେରାଇଲେ

ଅଭିନବ ଉପାୟ: ଦିବ୍ୟାଙ୍ଗ ହୋଇଥିଲେ ବି ସ୍ୱାବଲମ୍ବୀ- ରିକ୍ସାକୁ ଲୁନାରେ ବାନ୍ଧି ଚଳାଇଛନ୍ତି ବ୍ୟବସାୟ

ନିଶାସକ୍ତଙ୍କ ବିଚିତ୍ର କାଣ୍ଡ- ସାଲାଇନ୍‌ ବୋତଲ ସହ ଡାକ୍ତରଖାନାରୁ ଚାଲି ଚାଲି ଘରକୁ ପଳାଇଲେ, ଜାଣି ପାରିଲେନି ଡାକ୍ତରଖାନା କର୍ତ୍ତୃପକ୍ଷ

ମିସ ଇଣ୍ଡିଆ-୨୦୨୦ ପାଇଁ ଓଡ଼ିଶାର ଟପ୍‌-୫ ପ୍ରତିଯୋଗୀଙ୍କ ମଧ୍ୟରେ ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା