ଫେସବୁକ୍ ଲାଇଭ ଷ୍ଟ୍ରିମିଂ ହୋଇପାରେ ନିଷିଧ, କମ୍ପାନୀ ଆଣୁଛି କଡ଼ା ନିମୟ

ୱାଶିଂଟନ,୩୧।୩: ଫେସବୁକରେ ଲାଇଭ ଷ୍ଟ୍ରିମିଙ୍ଗ ଫିଚରକୁ ନିଷିଧ କରାଯାଇପାରେ କିମ୍ବା ଏଥିରେ କିଛି କଡା ନିମୟ ଲାଗୁ କରାଯିବ। ଯଦିଓ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରିନାହିଁ ଯେ କିଭଳି ପଦକ୍ଷେପ ଗ୍ରହଣ କରାଯିବ। କିନ୍ତୁ ଏହାର ଲାଇଭ ଷ୍ଟ୍ରିମିଂ ଉପରେ କଟକଣା ଲାଗୁ ହେବ। ଚଳିତ ମାସ ୧୫ରେ ନ୍ୟୁଜିଲାଣ୍ଡର କ୍ରାଇଷ୍ଟଚର୍ଚ୍ଚ ମସଜିଦରେ ହୋଇଥିବା ଗୁଳିକାଣ୍ଡର ଭିଡିଓ ସିଧା ପ୍ରସାରଣ ହେବା ପରେ ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥାରେ କଟକଣା ଲାଗୁ କରିବା ନେଇ ବିଚାର ବିମର୍ଶ ଚାଲିଛି। ଏଥି ପାଇଁ କେଉଁ ପ୍ରକାର ପ୍ରତିବନ୍ଧକ ଲାଗୁ କରାଯିବ ଓ ତାହା କିଭଳି ସମ୍ବେଦନଶୀଳ ଭିଡ଼ିଓର ସିଧା ପ୍ରସାରଣକୁ ରୋକି ପାରିବ, ସେ ସମ୍ପର୍କରେ ପରୀକ୍ଷା ନିରୀକ୍ଷା ଚାଲିଛି ବୋଲି ଫେସବୁକର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସେରିଲ ସ୍ୟାଣ୍ଡବର୍ଗ ଗତ ଶୁକ୍ରବାର କହିଛନ୍ତି।

ସ୍ୟାଣ୍ଡବର୍ଗ କହିଛନ୍ତି ଫେସବୁକ୍ ଏଭଳି ଲୋକଙ୍କୁ ନିଷିଧ କରିବା ନେଇ ବିଚାର କରୁଛି ଯେଉଁମାନେ ପୂର୍ବରୁ ଫେସବୁକ୍ ଲାଇଭ ନିୟମର ଉଲଘଂନ କରିସାରିଛନ୍ତି। ଫେସବୁକ୍ ସଫ୍ଟଓ୍ବେୟାର ବିକଶିତ କରି ଏଭଳି ଟେକ୍ନୋଲୋଜି ଖୋଜୁଛି ଯେଉଁଥିରେ ହିଂସାତ୍ମକ ଭିଡିଓ ଓ ଫଟୋର ଏଡିଟେଡ୍ ଭର୍ସନ ସମ୍ପର୍କରେ ତୁରନ୍ତ ଜାଣିପାରିବ ଓ ଏହାକୁ ସେୟାର କିମ୍ବା ରି-ପୋଷ୍ଟ କରିବା ନେଇ ରୋକି ହେବ।

ଉଲ୍ଳେଖନୀୟ ଯେ, ନ୍ୟୁଜିଲାଣ୍ଡ ମସଜିଦରେ ହୋଇଥିବା ଗୁଳିକାଣ୍ଡର ଘଟଣାର ଭିଡିଓ ସିଧା ପ୍ରସାରଣ ହେବା ପରେ ଏହାକୁ ପ୍ରାୟ ୨୦୦ ଜଣ ୧୭ ମିନିଟ ପର୍ଯ୍ୟନ୍ତ ଦେଖିଥିଲେ। ତେବେ ଜଣେ ଦର୍ଶକ ଏ ନେଇ ଅଭିଯୋଗ କରିଥିଲେ। ଏହା ପରେ ଫେସବୁକ ମୂଳ ଭିଡିଓକୁ ସର୍ଭରରୁ ଅପସାରଣ କରିବା ସହ ୨୪ ଘଣ୍ଟା ମଧ୍ୟରେ ସେହି ଭିଡ଼ିଓର ଦେଢ଼ କୋଟି କପିକୁ ଅପଲୋଡ଼ ହେବାରୁ ବନ୍ଦ କରିବା ସହ ଓ ୩୦ହଜାର ଭିଡ଼ିଓ ଡିଲିଟ କରିଥିଲା।