ଫେସବୁକ୍‌ ଇଣ୍ଡିଆର ପଲିସି ହେଡ ଆଂକ୍ଷୀ ଦାସଙ୍କ ଇସ୍ତଫା

ନୂଆଦିଲ୍ଲୀ, ୨୭/ ୧୦: ଫେସବୁକ୍‌ ଇଣ୍ଡିଆର ପବ୍ଲିକ୍‌ ପଲିସ୍‌ ପଦରୁ ଇସ୍ତଫା ଦେଲେ ମୁଖ୍ୟ ଆଂକ୍ଷୀ ଦାସ। ଏନେଇ ଫେସବୁକ୍‌ ପକ୍ଷରୁ ସୂଚନା ଦିଆଯାଇଛି। ନିକଟରେ ଫେସବୁକ୍‌ ଡାଟା ସିକ୍ୟୁରିଟି ବିଲ୍‌ ୨୦୧୯ ସମ୍ବନ୍ଧରେ ସଂସଦର ମିଳିତ କମିଟିରେ ହାଜର ହାଇଥିଲେ ସେ। ଏହି କମିଟିର ନେତୃତ୍ବ ନେଉଛନ୍ତି ବିଜେପି ସାଂସଦ ମୀନାକ୍ଷୀ ଲେଖୀ।

ସେହିପରି ଗତମାସରେ ଫେସବୁକ୍‌ ଇଣ୍ଡିଆର ମୁଖ୍ୟ ଅଜିତ ମୋହନ ମଧ୍ୟ ସୋସିଆଲ ମିଡିଆ ସାଇଟର ଅପବ୍ୟବହାର ସମ୍ପର୍କରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଉପରେ ସଂସଦର ସ୍ଥାୟୀ କମିଟି ନିକଟରେ ଉପସ୍ଥିତ ରହିଥିଲେ। ଏହି କମିଟିର ଅଧ୍ୟକ୍ଷ ହେଉଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ସୂଚନାଥାଉକି, ନିକଟରେ ଫେସବୁକ୍‌ ଘୃଣା ବକ୍ତବ୍ୟ ଏବଂ ରାଜନୈତିକ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଥିଲା।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକାର ଏକ ଖବରକାଗଜର ରିପୋର୍ଟ ଟୁଇଟରରେ ସେୟାର କରି କହିଥିଲେ ଯେ, ଭାରତରେ ଫେସବୁକ୍‌ ଘୃଣା ମନ୍ତବ୍ୟ ବିପକ୍ଷରେ କୌଣସି ପଦକ୍ଷେପ ନେଉ ନାହିଁ। ରାହୁଲଙ୍କ ଏହି ଟୁଇଟ ପରେ ବିଜେପ ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଥିଲା।