ଓସ୍କାର ରେସ୍ରେ ଓଡିଆ ସିନେମା ! କେତେ ସତ କେତେ ମିଛ?

ଓସ୍କାର ଦୌଡରେ ଓଡିଆ ସିନେମାକୁ ସ୍ଥାନ ମିଳିଥିବା ନେଇ ଅନେକ ଖୁସୀ ବ୍ୟକ୍ତ କରିଥିଲେ । ହେଲେ ଏବେ ଏହି ଦୌଡରେ କୌଣସି ଓଡିଆ ଚଳଚ୍ଚିତ୍ର ନଥିବ କଥା ଓସ୍କାର ପକ୍ଷରୁ ପ୍ରକାଶିତ ତାଲିକାରେ ଦର୍ଶାଇଯାଇଛି । ଜାଲିକାଟୁ ଓସ୍କାର ରେସ୍ରେ ସ୍ଥାନ ପାଇଥିଲେ ମଧ୍ୟ ଏହାକୁ ସଂକ୍ଷିପ୍ତ ତାଲିକା ବା ସର୍ଟଲିଷ୍ଟରେ ସ୍ଥାନ ମିଳି ନଥିବା ଏକାଡେମୀ ଆଓ୍ୱାର୍ଡ ବା ଓସ୍କାରର ଅଫିସିଆଲ୍ ଓ୍ୱେବସାଇଟ୍ରେ ପ୍ରକାଶିତ ତାଲିକାରେ ତଥ୍ୟ ଦିଆଯାଇଛି । ଓସ୍କାରର ଶ୍ରେଷ୍ଠ ୧୫ ସିନେମା ତାଲିକାରେ ଜାଲିକାଟୁ ସ୍ଥାନ ପାଇ ନଥିବା ଜଣା ପଡିଛି ।
ତେବେ ଓଡିଆ ସିନେମା ‘କାଲିର ଅତୀତ’ ଓସ୍କାର ବିଭିନ୍ନ ବର୍ଗପାଇଁ ମନୋନୀତ ହୋଇଥିବା କଥା ଖବର ପ୍ରକାଶିତ ହୋଇଥିଲା । ମାତ୍ର ଏହାର ସତ୍ୟତାକୁ ନେଇ ପ୍ରଶ୍ନବାଚୀ ? ଏହା ଓସ୍କାରରେ ମନୋନୀତ ହୋଇ ନଥିବା କଥା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ବିଶ୍ୱର ସମସ୍ତ ସିନେମା ଓସ୍କାର ମନୋନୟନ ପାଇଁ ଆବେଦନ କରିପାରିବେ । ଏକ ନିର୍ଦ୍ଦିଷ୍ଟ ଦେୟ ଦେବା ପରେ ସମସ୍ତେ ଓସ୍କାରରେ ନିଜ ସିନେମାକୁ ମନୋନୟନ ପାଇଁ ସାମିଲ କରିପାରିବେ । ଓସ୍କାର ୨୦୨୦-୨୧ରେ କୌଣସି ଓଡିଆ ସିନେମା ମନୋନୀତ ହୋଇ ନଥିବା କଥା ଜଣା ପଡିଛି । କେବେଳ ଏହି ସିନେମାକୁ ସାଧାରଣ ବର୍ଗ ବା ଜେନେରାଲ୍ ଏଣ୍ଟ୍ରିରେ ବିଭିନ୍ନ ବର୍ଗରେ ହଜାର ହଜାର ଡଲାର(୧୨ ହଜାର ଡଲାର ବା ୮ଲକ୍ଷ ୪୦ ହଜାର ଟଙ୍କା) ଦେୟ ଦେବାପରେ ସାମିଲ କରାଯାଇଥିଲା । ଏହି ପରି ସାରା ବିଶ୍ୱରୁ ହଜାର ହଜାର ସିନେମା ଏହି ବର୍ଗରେ ସାମିଲ ହୋଇଥିଲେ । ପ୍ରଯୋଜକ ବା ପ୍ରଡ୍ୟୁସରଙ୍କ ପାଖରେ ଅଧିକ ଟଙ୍କା ଥିଲେ ସେମାନେ ଓସ୍କାରର ସାଧାରଣ ବର୍ଗରେ ଚୟନ ପାଇଁ ତାଙ୍କ ସିନେମାକୁ ହଜାର ହଜାର ଡଲାର ଦେୟ ଦେବା ପରେ ବିଭିନ୍ନ ବର୍ଗରେ ସାମିଲ କରିପାରିବେ । ୧୨ ହଜାର ଡଲାର ବା ୮ଲକ୍ଷ ୪୦ ହଜାର ଟଙ୍କା ଦେଇ ଆପଣବି କରିଥିବା ସିନେମାକୁ ଏହି ବର୍ଗରେ ସାମିଲ କରିପାରିବେ । ମାତ୍ର ସବୁ ସିନେମାକୁ ଓସ୍କାର ପୁରସ୍କାର ପାଇଁ ମନୋନୀତ କରାଯାଏ ନାହିଁ ।ପୂର୍ବରୁ ଏକ ତାମିଲ ସିନେମାର ପ୍ରଯୋଜକ ସମାନ ପ୍ରକାର ଟ୍ୱିଟ କରିଥିଲେ । ଏବେ ସେହି ଟ୍ୱିଟକୁ ଏକ ପ୍ରକାର ବଦଳାଯାଇ କରାଯାଇଥିବା ଜଣା ପଡୁଛି ।

ଏହି ପରିଭାବେ ଏକ ଅର୍ଦ୍ଧସତ୍ୟ ଅଧା ତଥ୍ୟ ଥିବା ଖବରକୁ ପ୍ରଚାରିତ କରାଯାଇଥିବା ଅଭିଯୋଗ କରାଯାଇଛି । ତାଙ୍କର ଓ୍ୱିକିପେଡିଆରେ ସେ ୩୪ଟି ଅନ୍ତର୍ଜାତୀୟ ସିନେମା ସମ୍ମାନ ପାଇଥିବା କଥା ଉଲ୍ଲେଖ ରହିଛି । ତା ମଧ୍ୟରୁ ଅନେକଙ୍କର ଅସ୍ତିତ୍ୱ ନାହିଁ । ଅନେକ ଏହାକୁ ଯାଞ୍ଚ ମଧ୍ୟ କରୁ ନଥିବେ ବିଶ୍ୱାସ କରି ନେଇଥିବେ ସେ ୩୪ଟି ଅନ୍ତର୍ଜାତୀୟ ସିନେମା ମଞ୍ଚରେ ପୁରସ୍କୃତ ହୋଇଛନ୍ତି । ବେଙ୍ଗାଲୁର ଆଇଆଇଏମ୍ରୁ ଏଣ୍ଟପିନରିସିପ୍ କୋର୍ସ କରିଥିବା ଉଲ୍ଲେଖ କରିଥିଲେ ପୂର୍ବରୁ ଆଲୁମିନି ବୋଲି ଉଲ୍ଲେଖ ଥିଲା ।
ଓସ୍କାର ମନୋନୟନ କ୍ଷେତ୍ରରେ ଏପରି ଫେକ୍ ଖବର ବା ଅର୍ଦ୍ଧ ସତ୍ୟ ଖବରକୁ ଟ୍ୱିଟ କରାଯାଇଥିବା ଏବଂ ତାକୁ ବିଶ୍ୱାସକୁ ନେଇ ଅନେକ ଖବର ପ୍ରକାଶିତ କରିଥିବା ନଜରକୁ ଆସିଛି । ଏହି ଅର୍ଦ୍ଧସତ୍ୟ ଟ୍ୱିଟ କରି ସେ ଅନେକ ବାହାଃ ବାହାଃ ସାଉଁଟିଛନ୍ତି । ସେ ନିଶ୍ଚୟ ପ୍ରତିଭାବାନ ହୋଇଥିବେ । ଅନେକ ଭଲ ସିନେମା କରିଛନ୍ତି । କିନ୍ତୁ ଏପରି ଟ୍ୱିଟ କରି ଲୋକଙ୍କୁ ଭ୍ରମିତ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନେକ ଲୋକଙ୍କର ଖୁସୀ ପାଣି ଫୋଟକା ପରି ମିଳେଇ ଯାଇଛି । ଓସ୍କାର ମନୋନୟନ ତାଲିକାରେ ଏପରି କୌଣସି ସିନେମା ସ୍ଥାନ ପାଇ ନାହିଁ । ନିଜେ ଅର୍ଥ ଦେଇ ବା ଡଲାର ଦେୟ ଦେଇ ସାଧାରଣ ବର୍ଗରେ ନିଜ ସିନମାକୁ ଅନ୍ୟ ହଜାର ହଜାର ସିନେମା ପରି ସାମିଲ କରିପାରିବେ ।