PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଯବାନ ସାଜି ଓଏଲ୍‌ଏକ୍ସରେ ଠକେଇ! ୭୦ ହଜାର ହରାଇଲେ ଯୁବକ

ଜଗତସିଂହପୁର ୨୯/୧୨: ସେନା ଯବାନମାନଙ୍କ ପ୍ରତି ପ୍ରାୟ ସବୁ ଭାରତୀୟଙ୍କର ଶ୍ରଦ୍ଧା, ସମ୍ମାନ ରହିଛି । ସାଧାରଣ ଲୋକଙ୍କ ଏହି ଆବେଗର ଭରପୁର ଫାଇଦା ଉଠାଉଛନ୍ତି ନକଲି ଯବାନ ବେଶଧାରୀ କିଛି ଠକ । ୟୁଟ୍ୟୁବ୍‌ରେ ବେଶ ସକ୍ରିୟ ରହୁଥିବା ଏହି ନକଲି ଯବାନମାନେ ସେନା ପୋଷାକ ପରିଧାନ କରି ନିରୀହ ଲୋକଙ୍କୁ ଠକୁଛନ୍ତି । ସଂପ୍ରତି ଏହି ଧରଣର ଏକ ଚାଞ୍ଚଲ୍ୟକର ଠକେଇ ସାମ୍ନାକୁ ଆସିଛି । କାର ବିକ୍ରି କରିବା ଆଳରେ ଜଣେ ନକଲି ଯବାନ ସ୍ଥାନୀୟ ଗୋପାଳସାଗର (ମାର୍କଣ୍ଡପୁର) ଗ୍ରାମର ରଞ୍ଜିତ୍‌ କୁମାର ଗୋଚ୍ଛାୟତଙ୍କୁ ୭୦ ହଜାର ଟଙ୍କା ଠକି ନେଇଛନ୍ତି ।

ଢେଙ୍କାନାଳ ଜିଲ୍ଲାର ବିକାଶ ସିଂଙ୍କ ଏକ ସୁଇଫ୍ଟ ଡିଜାୟାର କାର ରହିଛି । ଉକ୍ତ କାରକୁ ୧ ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି କରିବାକୁ ବିକାଶ ଓଏଲ୍‌ଏକ୍ସ ସାଇଟ୍‌ରେ ସୂଚନା ଦେଇଥିଲେ । ଏହାକୁ କ୍ରୟ କରିବାକୁ ମାର୍କଣ୍ଡପୁର ଗ୍ରାମର ରଞ୍ଜିତ ଇଚ୍ଛା ପ୍ରକାଶ କରିଥିଲେ । ଅନ୍‌ଲାଇନ୍‌ରେ ରଞ୍ଜିତ ଜଣାଇବା ପରେ ବିକାଶ ପ୍ରଥମେ ୪୦୦୦ ଟଙ୍କା ଜମା କରିବାକୁ ଜଣାଇଥିଲେ । ଯେହେତୁ କାର୍‌ଟି ଝାଡ଼ଖଣ୍ଡର ବିର୍ସାମୁଣ୍ଡା ଏୟାରପୋର୍ଟ ନିକଟରେ ରହିଥିଲା, ସେଥିଯୋଗୁଁ ତନଖି ପାଇଁ କାର୍‌କୁ ଓଡ଼ିଶା ଆଣିବା ନିମନ୍ତେ ବିକାଶଙ୍କ ପକ୍ଷରୁ ୪୦୦୦ ଟଙ୍କା ଦାବି କରାଯାଇଥିଲା ।

ଉକ୍ତ ଟଙ୍କାକୁ ଗୁଗଲ୍‌ ପେ’ ଆପ୍ଲିକେସନ୍‌ ଜରିଆରେ ମୂଲଚାନ୍ଦ ଶର୍ମାଙ୍କ ବ୍ୟାଙ୍କ ଜମାଖାତାକୁ ଛାଡ଼ିବା ପାଇଁ ବିକାଶଙ୍କ ପକ୍ଷରୁ ଜଣାଇ ଦିଆଯାଇଥିଲା। ବିକାଶଙ୍କ କହିବାନୁସାରେ ରଞ୍ଜିତ ନିଜ ବନ୍ଧୁ ହରେକୃଷ୍ଣ ବିଶ୍ୱାଳଙ୍କ ଜରିଆରେ ଏତକ ଟଙ୍କା ମୂଲଚାନ୍ଦଙ୍କ ଜମାଖାତାକୁ ପଠାଇ ଦେଇଥିଲେ । ଟଙ୍କା ଜମା ପରେ ବିକାଶ ନିଜ ହ୍ୱାଟ୍ସଆପ୍‌ ନମ୍ବର ଜରିଆରେ ହରେକୃଷ୍ଣଙ୍କ ନିକଟକୁ ଏକ ଟ୍ରାନ୍ସପୋର୍ଟ ରସିଦ୍‌ ପଠାଇଥିଲେ । ପରେ ପୁଣି ବିକାଶଙ୍କ ବରାଦ ଅନୁସାରେ ଜିପିଆର୍‌ଏସ୍‌ ସିଷ୍ଟମ କାର୍ଯ୍ୟକ୍ଷମ ପାଇଁ ରଞ୍ଜିତଙ୍କ ପରାମର୍ଶକ୍ରମେ ବନ୍ଧୁ ହରେକୃଷ୍ଣ ୧୮,୯୯୯ ଟଙ୍କା ଅନ୍‌ଲାଇନ୍‌ରେ ପଠାଇଥିଲେ । ମୂଲଚାନ୍ଦଙ୍କ ବଦଳରେ ଏହି ଟଙ୍କା ୱାସିମ୍‌ ଅଖତରଙ୍କ ଜମାଖାତାକୁ ବିକାଶଙ୍କ କହିବା ମୁତାବକ ପଠାଯାଇଥିଲା ।

ଏତକ ଟଙ୍କା ହାତେଇବା ପରେ ଅର୍ଥାତ ଗତ ମାସ ୨୧ ତାରିଖରେ ପୁଣି ୧୭,୬୦୦ ଟଙ୍କା କାର କିଣା ବାବଦକୁ ଦାଖଲ କରିଥିଲେ ବନ୍ଧୁ ହରେକୃଷ୍ଣ । ଏମିତି ଚାଲାକିରେ ଟଙ୍କା ମିଳି ଯାଉଥିବା ଦେଖି ବିକାଶ ବିଭିନ୍ନ ଚାଲ ଖେଳି ପରେ ୧୦ ହଜାର ଓ ୨୧ ହଜାର ଟଙ୍କା ହଡ଼ପ କରି ନେଇଥିଲେ । ୟୁ ଟ୍ୟୁବ୍‌ରେ ବିକାଶ ନିଜକୁ ସ୍ଥଳସେନାର ଯବାନ ବୋଲି କେବଳ ପରିଚୟ ଦେଇ ନ ଥିଲେ, ଅବିକଳ ଭାବେ ସେନା ପୋଷାକ ଓ ପରିଚୟ ପତ୍ର ପ୍ରଦର୍ଶନ କରିଥିବାରୁ ଠକେଇର ଶିକାର ହେଉଥିବା ନେଇ ରଞ୍ଜିତ କିଞ୍ଚିତ୍‌ ଆଭାସ ବି ପାଇ ନ ଥିଲେ ।

ମୋଟ୍‌ ଉପରେ ୭୦ ହଜାର ଟଙ୍କା ଗଣିବା ପରେ କାରଟି ଯାଞ୍ଚ ପାଇଁ ଓଡ଼ିଶା ପଠାଯାଇ ନ ଥିବା ବେଳେ ପୁଣି ବିକାଶ ପାଞ୍ଚ ହଜାର ଟଙ୍କା ପଠାଇବାକୁ ରଞ୍ଜିତ୍‌ଙ୍କୁ ଜଣାଇଥିଲେ । ମାତ୍ର ଏଥରକ ଟଙ୍କା ପଠାଇବା ବଦଳରେ ସିଧା ସାଇବର୍‌ ସେଲ୍‌ର ଦ୍ୱାରସ୍ଥ ହୋଇଥିଲେ ରଞ୍ଜିତ୍‌ । ଏବେ ଏହି ମାମଲା ଉପରେ ଜଗତସିଂହପୁର ଥାନାରେ କେସ୍‌ ରୁଜୁ ହେବା ସହ ଛାନ୍‌ଭିନ୍‌କୁ ତ୍ୱରାନ୍ୱିତ କରାଯାଇଛି । ଏଣେ ବିକାଶଙ୍କ ପରିଚୟ ପତ୍ର, ଆଧାର କାର୍ଡ଼ ଇତ୍ୟାଦି ଯାହା ସବୁ ରଞ୍ଜିତ୍‌ଙ୍କ ହାତରେ ଲାଗିଥିଲା ତାହା ଜାଲ୍‌ ଥିବା ପୁଲିସ ପକ୍ଷରୁ ସନ୍ଦେହ ବ୍ୟକ୍ତ କରାଯାଇଛି ।

କାରଣ ଏଭଳି ଠକେଇ କରିଥିବା ଉକ୍ତ ଗ୍ୟାଙ୍ଗ ଓଡ଼ିଶା ବାହାରର ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ । ସେନା ପୋଷାକ ସହ ପରିଚୟପତ୍ର ଦେଖାଇ ଓଏଲ୍‌ଏକ୍ସ ଜରିଆରେ ଏହି ଗ୍ୟାଙ୍ଗ ଠକେଇ କରିବା ଏକ ନୂଆ ଘଟଣା ବୋଲି ପୁଲିସ ମତ ଦେଇଛି । ରଞ୍ଜିତଙ୍କୁ ଠକିବା ପରେ ଏହି ଗ୍ୟାଙ୍ଗ ଅନ୍ୟ ଶିକାର ସନ୍ଧାନରେ ରହିଥିବା ଓ ଏବେ ବି ଓଏଲ୍‌ଏକ୍ସ ସାଇଟ୍‌ରେ ବିକାଶ ସକ୍ରିୟ ରହି କାର ବିକ୍ରି କରିବାର ସୂଚନା ଜାରି ରଖିଥିବା ରଞ୍ଜିତ ପ୍ରକାଶ କରିଛନ୍ତି । ଏନେଇ ପୁଲିସ ଖୋଳତାଡ଼ ଜାରି ରହିଛି ।