ମିଥ୍ୟା ଖବର ପ୍ରସାରଣ ମାମଲା: ମାନହାନି ମକଦ୍ଦମା କରିବ ସୋଆ

SOA

ଭୁବନେଶ୍ୱର,୧୧/୦୮: ସାରା ବିଶ୍ୱରେ ଏବେ କରୋନା ମହାମାରୀ ଆତଙ୍କ । ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଯୁଦ୍ଧରେ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥ ରକ୍ଷା ଲାଗି ସରକାର ଉଦ୍ୟମ ଚଳାଇଛନ୍ତି । ଏହି ମହତ କାର୍ଯ୍ୟରେ ସରକାରଙ୍କ ସହ ହାତ ମିଳାଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) । ହେଲେ କେତେକ ଗଣମାଧ୍ୟମ କରୋନା ଚିକିତ୍ସାକୁ ନେଇ ସମ୍‌ କୋଭିଡ ହସ୍ପିଟାଲ୍‌ ବିରୋଧରେ ଅପପ୍ରଚାର ଚଳାଇଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ କୋଭିଡ ଯୋଦ୍ଧାଙ୍କର ମନୋବଳକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଭୁଲ ଏବଂ ବିଭ୍ରାନ୍ତିକର ଖବର ପ୍ରସାରଣ କରି କୋଭିଡ ମହାମାରୀର ମୁକାବିଲା କରି ସଂକ୍ରମିତଙ୍କ ଚିକିତ୍ସାରେ ଲାଗିଥିବା ଡାକ୍ତର, ନର୍ସ, ପାରାମେଡିକ୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ମନୋବଳକୁ ଦୁର୍ବଳ କରାଯାଉଛି । ତେଣୁ ଏହି ଖବର ପ୍ରସାରଣ ବିରୋଧରେ ଆଇନର ଆଶ୍ରୟ ନିଆଯାଇଛି ଏବଂ ମାନହାନୀ ମକଦ୍ଦମା ନିମନ୍ତେ ପଦକ୍ଷେପ ନିଆଯାଉଛି ବାଲି ସୋଆ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଜନସାଧାରଣଙ୍କ ସ୍ୱାସ୍ଥ୍ୟ ରକ୍ଷା ‘ସୋଆ’ର ମୂଳମନ୍ତ୍ର । ମହାମାରୀର ମୁକାବିଲା ପାଇଁ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କୋଭିଡ-୧୯ ହସ୍ପିଟାଲ୍‌ଗୁଡ଼ିକ ମଧ୍ୟରୁ ୪ଟି କୋଭିଡ ହସ୍ପିଟାଲ୍‌ ଏବଂ ୨ଟି କୋଭିଡ କେୟାର ସେଣ୍ଟରର ଦାୟିତ୍ୱ ନେଇଛି ସୋଆ । ଏଥିରେ ୨୧୦୦ରୁ ଉଦ୍ଧ୍ୱର୍ ଶଯ୍ୟାର ବ୍ୟବସ୍ଥା ରହିଛି । ସଂକ୍ରମିତ ବ୍ୟକ୍ତି କିପରି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରନ୍ତୁ ଏହା ହିଁ ସୋଆର ଉଦ୍ଦେଶ୍ୟ । ଗତ ମାର୍ଚ୍ଚ ମାସରୁ ଯୁଦ୍ଧକାଳୀନ ଭିତ୍ତିରେ ଓଡ଼ିଶାବାସୀଙ୍କୁ ଏହି ମହାମାରୀ କବଳରୁ ରକ୍ଷା କରିବା ଏବଂ ସେମାନଙ୍କର ଚିକିତ୍ସା କରିବା ଦିଗରେ ଅଣ୍ଟା ଭିଡ଼ିଥିଲେ ରାଜ୍ୟ ସରକାର । କୋଭିଡ ହସ୍ପିଟାଲ୍‌ ଆରମ୍ଭ କରିବା ନିମନ୍ତେ ସହଯୋଗର ହାତ ବଢ଼ାଇଥିଲା ସୋଆ ।

ଏପ୍ରିଲ ୬ ତାରିଖରେ ଭୁବନେଶ୍ୱର ସ୍ଥିତ ସୋଆ କ୍ୟାମ୍ପସ୍‌ ୨ରେ ମହାନଦୀ କୋଲଫିଲ୍ଡ ସହଭାଗିତାରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ଆଣ୍ଡ ସମ୍‌ ହସ୍ପିଟାଲ୍‌ ପକ୍ଷରୁ ଆରମ୍ଭ ହୋଇଥିଲା ୫୨୫ ଶଯ୍ୟା ବିଶିଷ୍ଟ ସମ୍‌ କୋଭିଡ ହସ୍ପିଟାଲ୍‌ । ପରବର୍ତ୍ତୀ ପର୍ଯ୍ୟାୟରେ ଶଯ୍ୟା ସଂଖ୍ୟା ଆଉ ୧୦୦ ବୃଦ୍ଧି ହୋଇ ୬୨୫ରେ ପହଞ୍ଚିଛି । ଏଥିରେ ୧୨୫ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏହି ହସ୍ପିଟାଲ ଓଡ଼ିଶାର ବୃହତ୍ତମ ଏବଂ ଭାରତର ଅନ୍ୟତମ ବୃହତ୍ତମ କୋଭିଡ ଆଇସିୟୁ ଭାବେ ପରିଗଣିତ ହୋଇଛି ।

ସେହିପରି ସୋଆ ପକ୍ଷରୁ ଏପ୍ରିଲ୍‌ ୧୨ ତାରିଖରେ କେନ୍ଦ୍ରାପଡ଼ାରେ ମଧ୍ୟ ରାଜ୍ୟ ସରକାରଙ୍କ ସହଭାଗିତାରେ ୧୭୦ ଶଯ୍ୟା ବିଶିଷ୍ଟ ସମ୍‌ କୋଭିଡ ହସ୍ପିଟାଲ୍‌ ଆରମ୍ଭ କରାଯାଇଛି । ଏହି ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ୧୬୦ଟି ଶଯ୍ୟା ରହିଥିବା ବେଳେ ୧୦ଟି ଆଇସିୟୁ ରହିଛି । ଏପ୍ରିଲ୍‌ ୨୦ ତାରିଖରେ ତାଳଚେରଠାରେ ଏମ୍‌ସିଏଲ୍‌ ସହଭାଗିତାରେ ୧୫୦ ଶଯ୍ୟା ବିଶିଷ୍ଟ ସମ୍‌ କୋଭିଡ ହସ୍ପିଟାଲ୍‌ ଆରମ୍ଭ ହୋଇଥିଲା । ଏଠାରେ ୧୪୪ଟି ଶଯ୍ୟା ରହିଥିବା ବେଳେ ୬ଟି ଆଇସିୟୁ ଶଯ୍ୟା ରହିଛି । ସେହିପରି ଗତ ଜୁଲାଇ ୨୩ ତାରିଖରେ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଠାରେ ୩୬୬ ଶଯ୍ୟା ବିଶିଷ୍ଟ ସମ୍‌ କୋଭିଡ ହସ୍ପିଟାଲ୍‌ ଆରମ୍ଭ କରାଯାଇଛି । ଏଥିରେ ୩୫୦ଟି ଶଯ୍ୟା ରହିଥିବା ବେଳେ ୧୬ଟି ଆଇସିୟୁ ରହିଛି । ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲା ଜାମୁଝରି ଏବଂ ଜଟଣୀର ଖୁଦୁପୁର ଠାରେ ସୋଆ ପକ୍ଷରୁ ୫୦୦ ଓ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ମଧ୍ୟ ଆରମ୍ଭ କରାଯାଇଛି ।

ସୋଆ ପକ୍ଷରୁ କୋଭିଡ ହସ୍ପିଟାଲ୍‌ ଆରମ୍ଭ କରାଯିବା ସହ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବା ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଉଦ୍ୟମ ଓ ସହଯୋଗ ବେଶ୍‌ ପ୍ରଶଂସନୀୟ । ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍‌ କର୍ମଚାରୀମାନେ ଏହି ହସ୍ପିଟାଲ୍‌ଗୁଡ଼ିକରେ ଦିନରାତି ନିଷ୍ଠାର ସହ କରୋନା ସଂକ୍ରମିତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି । ଦୀର୍ଘ ଦିନ ଧରି ଏହି କୋଭିଡ ଯୋଦ୍ଧାମାନେ ନିଜ ଘର ଓ ପରିବାରଠାରୁ ଦୂରରେ ରହି ସେବା କରୁଛନ୍ତି ।

ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଓ କିଛି ସାମାଜିକ ଗଣମାଧ୍ୟମରେ ଉଦ୍ଦେଶ୍ୟମୂଳକ ଭାଇରାଲ ଭିଡିଓ ପ୍ରସାରଣ ଦୁଃଖଦାୟକ ଏବଂ ନିନ୍ଦନୀୟ ବୋଲି ସୋଆ କର୍ତ୍ତୃପକ୍ଷ କହିଛନ୍ତି । କୋଭିଡ ହସ୍ପିଟାଲ୍‌ ଏବଂ କୋଭିଡ କେୟାର ସେଣ୍ଟରଗୁଡ଼ିକରେ ଭର୍ତ୍ତି ହେଉଥିବା ସଂକ୍ରମିତଙ୍କର ଚିକିତ୍ସା ସୁଚାରୁ ରୂପେ କରାଯାଉଛି । ସେମାନଙ୍କର ଖାଇବା, ପିଇବା ଏବଂ ରହିବାର ସୁବ୍ୟବସ୍ଥା ସହ ଠିକଣା ପରିଚାଳନା ମଧ୍ୟ କରାଯାଉଛି ।

   ସମ୍ବନ୍ଧିତ ଖବର


ବିଜେପିକୁ ଓବେସୀଙ୍କ କଡାପ୍ରଶ୍ନ, ବିଜେପି ଶାସିତ ୪ ରାଜ୍ୟରେ କାହିଁକି ନାହାନ୍ତି ଜଣେ ହେଲେ ମୁସଲିମ ମନ୍ତ୍ରୀ ?

ପୁଣି ଲଜ୍ଜା: ମନ୍ଦିର ପରିସରରେ ଖେଳୁଥିବା ନାବାଳିକାକୁ ପୂଜାରୀ କଲା ଦୁଷ୍କର୍ମ

ମିଗ୍-୨୯କେ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ନିଖୋଜ

କଥା ଦେଇ କଥା ରଖିଲେ ସରକାର: ସାମ୍ବାଦିକଙ୍କ ପାଇଁ ମେଗା ଯୋଜନ; ମୃତ୍ୟୁ ହେଲେ ପରିବାରକୁ ୪ ଲକ୍ଷ, ଗୃହ ଋଣ ସହ ପିଲାଙ୍କୁ ପଢ଼ା ଖର୍ଚ୍ଚ ଦେବେ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଦାଖଲ: ହତ୍ୟା କରାଯାଇଥିବା ପ୍ରମାଣିତ ହୋଇପାରୁନି, ମାନସିକ ଚାପରୁ ଆତ୍ମହତ୍ୟା

ଫ୍ୟାନ୍‌ରେ ଝୁଲିପଡିଲେ ନାବାଳିକା, ମୃତ୍ୟୁର କ’ଣ ରହିଛି କାରଣ…