ନକଲି ଟଙ୍କା ଦେଇ ଅସଲି ନେଉଥିବା ବେଳେ ଦୁଇ ଠକ ଗିରଫ, ୫ ଲକ୍ଷ ଜବତ

ଭୁବନେଶ୍ୱର ୧୯/୯: ରାଜଧାନୀରେ ଏବେ ବହୁରୂପି ଠକ ମାତିଛନ୍ତି । ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କୁ ଠକୁଛନ୍ତି । ତେବେ ନକଲି ବଦଳରେ ଅସଲି ଟଙ୍କା ନେଇ ଚମ୍ପଟ ମାରୁଥିବା ଦୁଇ ଠକଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ନନ୍ଦନପୁରର ପ୍ରଦୀପ ମାଇଥି (୫୮) ଓ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦେ୍ଧଶ୍ୱରୀ କଲୋନୀ ପୁରୁଣା ପୋଷ୍ଟଅଫିସ ଲେନ୍‌ରେ ରହୁଥିବା ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ରୁଦ୍ରପୁରର ରାଜେନ୍ଦ୍ର କୁମାର ଦାସ (୫୪) । ପୁଲିସ ସେମାନଙ୍କ ଠାରୁ ଏକ ବ୍ୟାଗ୍‌ରେ ଭର୍ତ୍ତି ହୋଇ ରହିଥିବା ରଙ୍ଗୀନ କାଗଜ ବଣ୍ଡଲ ସହ ୫ ଲକ୍ଷ ଟଙ୍କା ଜବତ କରିଛି ।

ପୁଲିସ ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ରାଞ୍ଚିର ରୋହିତ କୁମାର ବାମା ଜଣେ ବ୍ୟବସାୟୀ । ପ୍ରଦୀପ ଓ ରାଜେନ୍ଦ୍ର ତାଙ୍କୁ ଟେଲିଫୋନ୍‌ରେ ଲୋଭ ଦେଖାଇଥିଲେ କି ଆମ ପାଖରେ କିଛି କଳାଧନ ଅଛି । ଆମେ ତାକୁ ଧଳା କରିବାକୁ ଚାହୁଁଛୁ । ଆମ ପାଖରେ ୧୦ ଲକ୍ଷର ୧ଶହ ଟଙ୍କିଆ ନୋଟ୍‌ ଅଛି । ତୁମେ ୫ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ଦେଲେ ଆମେ ତୁମକୁ ୧୦ ଲକ୍ଷ ଟଙ୍କାର ୧ଶହ ଟଙ୍କିଆ ଦେବୁ । ଲୋଭର ବଶବର୍ତ୍ତୀ ହୋଇ ରୋହିତ ଏମାନଙ୍କ କଥାରେ ରାଜି ହୋଇଥିଲେ । ରୋହିତଙ୍କୁ ଟଙ୍କା ଧରି ମଙ୍ଗଳବାର ଅପରାହ୍ଣରେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବାକୁ ରାଜେନ୍ଦ୍ର ଓ ପ୍ରଦୀପ କହିଥିଲେ । ସବୁଜ ରଙ୍ଗର ବ୍ୟାଗ୍‌ରେ ଟଙ୍କା ଧରି ଆସିବାକୁ କହିଥିଲେ ।

ରୋହିତ ଗତକାଲି ଅପରାହ୍ଣରେ ସବୁଜ ରଙ୍ଗର ବ୍ୟାଗ୍‌ରେ ଟଙ୍କା ଧରି ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ଦୁଇ ଜଣଙ୍କୁ ଯୋଗାଯୋଗ କରିବାରୁ ଉଭୟ ପହଞ୍ଚି ରୋହିତଙ୍କୁ ବୁଦେ୍ଧଶ୍ୱର ମନ୍ଦିର ନିକଟକୁ ଡାକି ଆଣିଥିଲେ। ସେଠାରେ ପ୍ରଥମେ ରୋହିତଙ୍କୁ ଟଙ୍କା ବ୍ୟାଗ୍‌ ଦେବାକୁ କହିଥିଲେ । କିନ୍ତୁ ରୋହିତ ପ୍ରଦୀପ ଓ ରାଜେନ୍ଦ୍ରଙ୍କୁ ତୁମେ ପ୍ରଥମେ ଟଙ୍କା ବ୍ୟାଗ୍‌ ଦିଅ ବୋଲି କହିଥିଲେ । ତେଣୁ ପ୍ରଦୀପ ଓ ରାଜେନ୍ଦ୍ର ରୋହିତଙ୍କୁ ସବୁଜ ରଙ୍ଗର ବ୍ୟାଗ୍‌ ପ୍ରଥମେ ବଢ଼ାଇ ତାକୁ ଏଠାରେ ନ ଖୋଲିବାକୁ ପରାମର୍ଶ ଦେଇଥିଲେ । ସେମାନେ ବ୍ୟାଗ୍‌ ଦେବା ପରେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ରୋହିତ ସେମାନଙ୍କୁ ବଢ଼ାଇ ଦେଇଥିଲେ ।

୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌ ପାଇବା ପରେ ପ୍ରଦୀପ ଓ ରାଜେନ୍ଦ୍ର ସେଠାରୁ ପଳାଇ ଯାଉଥିଲେ । ଏହି ସମୟରେ ରୋହିତ ପାଇଥିବା ବ୍ୟାଗ୍‌କୁ ଖୋଲି ଦେଖିବା ବେଳକୁ ସେଥିରେ ରଙ୍ଗ ବୋଳା ହୋଇଥିବା କାଗଜ ବଣ୍ଡଲ ଭର୍ତ୍ତି ହୋଇ ରହିଥିଲା । ତେଣୁ ସେ ସଙ୍ଗେ ସଙ୍ଗେ ପ୍ରଦୀପ ଓ ରାଜେନ୍ଦ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ । କିଛି ସମୟ ପାଇଁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାଦେଖି ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ରୋହିତଙ୍କ ଠାରୁ ଠକାମି ବିଷୟରେ ଜାଣି ଅନ୍ୟ ଲୋକମାନେ ମଧ୍ୟ ପ୍ରଦୀପ ଓ ରାଜେନ୍ଦ୍ରଙ୍କୁ ଘେରି ଯାଇଥିଲେ ।

ଖବରପାଇ ଳକ୍ଷ୍ମୀସାଗର ଥାନା ପୁଲିସ ସେଠାରେ ପହଞ୍ଚି ରୋହିତଙ୍କ ଠାରୁ ଘଟଣା ବିଷୟରେ ଜାଣିବା ପରେ ଅସଲି ଓ ନକଲି ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଜବତ କରି ୩ ଜଣଙ୍କୁ ଥାନାକୁ ନେଇଥିଲା । ରୋହିତଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରିବା ସହ ପ୍ରଦୀପ ଓ ରାଜେନ୍ଦ୍ରଙ୍କୁ ଗିରଫ କରିଥିଲା । ଅସଲି ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ପୁଲିସ ରୋହିତଙ୍କୁ ଫେରାଇଥିଲା । ଆଜି ପ୍ରଦୀପ ଓ ରାଜେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ଅନ୍ଧବିଶ୍ୱାସର କରୁଣ ଦୃଶ୍ୟ … ନିଜ ୨୪ ବର୍ଷିୟ ପୁଅକୁ ବଳି ଦେଇଦେଲେ ମହିଳା !

୫ ଟଙ୍କାକୁ ନେଇ ବିବାଦ, ସେଲ୍ସମ୍ୟାନଙ୍କୁ ଗୁଳି

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା

ମଜାର ଭିତରେ ଚାଲିଥିଲା ସେକ୍ସ ରାକେଟ୍, ସ୍ଥାନୀୟ ଲୋକ ଚଢାଉ କରି ଧରିଲେ କାଲେ ବାବାକୁ

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା