ମିଥ୍ୟା ଖବର ପ୍ରସାରଣ ଘଟଣା : ଆଜି ହାଜର ହେବାକୁ ଓଟିଭିକୁ ସାନି ନୋଟିସ୍‌

ଭୁବନେଶ୍ୱର,୧୨।୮: ଓଡ଼ିଶା ଟେଲିଭିଜନ୍‌ (ଓଟିଭି) ଚ୍ୟାନେଲରେ କୋଭିଡ୍‌ ହସ୍ପିଟାଲ୍‌ ସଂପର୍କିତ ବିଭ୍ରାନ୍ତିକର ଖବର ପ୍ରସାରଣ ହୋଇଥିଲା । ଏହି ଘଟଣାରେ ଦିନକୁ ଦିନ ଓଟିଭି ଛନ୍ଦି ହୋଇଯାଉଛି । ବାରମ୍ବାର ପୁଲିସ ନୋଟିସ୍‌ ପରେ ସଂସ୍ଥାର କୌଣସି କର୍ମଚାରୀ ଥାନାରେ ହାଜର ହେଉନାହାନ୍ତି । ଆଜି ପୁଣି ଓଟିଭିକୁ ନୋଟିସ୍‌ କରିଛି କ୍ୟାପିଟାଲ୍‌ ଥାନା ପୁଲିସ୍‌ । ଆସନ୍ତାକାଲି (ବୁଧବାର) ଅପରାହ୍ଣ ସୁଦ୍ଧା ସମ୍ପାଦକ, ଇନ୍‌ପୁଟ୍‌ ହେଡ୍‌ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ହାଜର ହେବାକୁ ଉକ୍ତ ନୋଟିସ୍‌ରେ ଉଲ୍ଲେଖ ରହିଛି । ଧାର୍ଯ୍ୟ ସମୟ ମଧ୍ୟରେ ହାଜର ନହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍‌ କହିଛି ।

ସେପଟେ ପୁଲିସ୍‌ ୨ ଅଭିଯୁକ୍ତ ଓରଟେଲ୍‌ କମ୍ୟୁନିକେସନ୍‌ର କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଓ ତାଙ୍କ ବନ୍ଧୁ ବିଶ୍ୱଜିତ୍‌ ମହାନ୍ତିଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି । ପ୍ରଥମ ଦିନ ଜେରାରେ ପୁଲିସ୍‌କୁ କିଛି ତଥ୍ୟ ମିଳିଛି । ପୁଲିସ୍‌ ୨ ଅଭିଯୁକ୍ତଙ୍କ କଲ୍‌ ଡିଟେଲ୍ସ ରେକର୍ଡ (ସିଡିଆର) ଯାଞ୍ଚ କରିଛି । ଏଥିରେ ଓଟିଭିର କିଛି ବରିଷ୍ଠ କର୍ମଚାରୀଙ୍କ ନମ୍ବର ପାଇଛି ପୁଲିସ୍‌ । ଉକ୍ତ ଅଡିଓ କ୍ଲିପ୍‌ କେଉଁ ଷ୍ଟୁଡିଓରେ ଏଡିଟ୍‌ ହୋଇଛି? କେଉଁମାନେ ଏଥିରେ ସାମିଲ୍‌ ଅଛନ୍ତି ? ସେ ବିଷୟରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି ।

ଅନ୍ୟପକ୍ଷରେ ଆଜି ମଧ୍ୟ ଓଟିଭି ସମ୍ପାଦକ, ଇନ୍‌ପୁଟ୍‌ ହେଡ୍‌ ଓ ଅନ୍ୟ ଜଣେ କର୍ମଚାରୀ ଥାନାରେ ହାଜର ହେଲେ ନାହିଁ । ବାରମ୍ବାର ନୋଟିସ୍‌ ପରେ ଏମାନେ ଥାନାକୁ ନ ଆସିବାରୁ କ୍ୟାପିଟାଲ ଥାନା ପୁଲିସ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି । ସେପଟେ ଓଟିଭି ପକ୍ଷରୁ ମଧ୍ୟ କ୍ୟାପିଟାଲ୍‌ ଥାନା ଆଇଆଇସିଙ୍କ ବିରୋଧରେ ଡିସିପିଙ୍କ ନିକଟରେ ଏତଲା ଦିଆଯାଇଛି । ଆଇଆଇସି ଶ୍ରୀ ଚକ୍ରବର୍ତ୍ତୀ ଆଇନ ଉଲ୍ଲଂଘନ କରିଥିବା ଓଟିଭି ଏତଲାରେ ଦର୍ଶାଇଛି । ଗତକାଲି ପୁଲିସ୍‌ ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୩ଦିନ ରିମାଣ୍ଡ ପାଇଁ ଏସଡିଜେଏମ୍‌ କୋର୍ଟଙ୍କୁ ଅନୁମତି ମାଗିଥିଲା ପୁଲିିସ୍‌ । ଆଜି କ୍ୟାପିଟାଲ ଥାନା ପୁଲିସ ସେମାନଙ୍କୁ ରିମାଣ୍ଡରେ ଆଣିଛି । ପୁଲିସ କହିଛି, ଅଡିଓ କ୍ଲିପ୍‌ଟି ପ୍ରାୟୋଜିତ । ଉଭୟଙ୍କ କଥୋପକଥନକୁ ରେକର୍ଡିଂ ପରେ ଏଡିଟ୍‌ କରାଯାଇ ଭାଇରାଲ କରାଯାଇଛି ବୋଲି ପ୍ରମାଣ ମିଳିଛି । ଏଥିରେ ଅଭିଯୁକ୍ତଙ୍କ ମନ୍ଦ ଉଦ୍ଦେଶ୍ୟ ରହିଛି । କାହା ପ୍ରରୋଚନାରେ ପଡ଼ି ଯୋଜନାବଦ୍ଧ ଭାବରେ ଏହି ଅଡିଓ ଭାଇରାଲ ହୋଇଥିଲା? ଏହା ପଛରେ ‘ଓଟିଭି’ର କେଉଁ ମାନଙ୍କ ହାତ ରହିଛି ? ୩ ଦିନ ମଧ୍ୟରେ ଏ ସବୁ ତଥ୍ୟ ଆଦାୟ ହେବ ବୋଲି କ୍ୟାପିଟାଲ ଥାନା ପୁଲିସ୍‌ କହିଛି ।

   ସମ୍ବନ୍ଧିତ ଖବର


ସୁର Vs ସମ୍ବିତ – ଏମିତି ଚେତାବନୀ ଦେଲେ ସୁର କହିଲେ ଆତ୍ମାକୁ ବାଧିଲା.. ୧୫ ଦିନ ସମୟ ଦେଲୁ ନହେଲେ

ତୃତୀୟ ପର୍ଯ୍ୟାୟରେ ଏମସ୍‌ର ଡାକ୍ତର ନେଲେ କୋଭାକ୍ସିନ୍‌ ଟିକା- କହିଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ

ସୋଆ ରେ ପୂର୍ବାଂଚଳ ପ୍ରାକ୍ ସାଧାରଣତନ୍ତ୍ର ଦିବସ ଏନ୍‌ଏସ୍‌ଏସ୍ ପ୍ୟାରେଡ କ୍ୟାମ୍ପ ଉଦ୍‌ଯାପିତ

କରୋନାକୁ ପରାସ୍ତ କଲେ ୯୭ ବର୍ଷୀୟ -ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସୁସ୍ଥ ହୋଇ ଘରକୁ ଫେରିଲେ

ବିଲୁଆ, ହରିଆ ଏବଂ ବାଦଲକୁ ଗିରଫ କଲେ କମିଶନରେଟ୍‌ ପୋଲିସ- ବନ୍ଧୁକ ଧରି କରୁଥିଲେ ଡକାୟତି ଯୋଜନା, ୩ ସହଯୋଗୀ ଘଟଣାସ୍ଥଳରୁ ଚମ୍ପଟ

‘ଏକ ଫୁଲ୍ ଚାର ମାଲି’! ସରକାରୀ ଗାଡ଼ିରେ ଅସଂଜତ ପ୍ରେମ, ଜଣେ ବଙ୍ଗୀୟ ଯୁବତୀଙ୍କ ସହ ୪ ରୋମିଓ ଥାନାରେ କାଟିଲେ ଅଧାରାତି