PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁମୁଡିବନ୍ଧ: ଗାଈକୁ ବଞ୍ଚାଇଲା, ଛେଳି ପଲ ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଓଲଟିବାରୁ କ୍ୟାବିନ୍‌ରେ ପଶିଗଲେ ଡ୍ରାଇଭର ଓ ହେଲ୍ପର୍
  • ||
  • ନରସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ପରିବାରର ୫ ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର
  • ||
  • ଭୁବନେଶ୍ୱର: ଓଜେଇଇର ଏମ୍‌ବିବିଏସ୍, ବିଡ଼ିଏସ୍ କାଉନସେଲିଂ ସ୍ଥଗିତ
  • ||
  • ନୂଆଦିଲ୍ଲୀ: ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
  • ||
  • କେନ୍ଦୁଝର: କାନଝରୀ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଗାଧୋଇଲା ବେଳେ ବୁଡି ଯାଇଥିଲେ…
  • ||
  • ରାୟଗଡ଼: ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର, ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ
  • ||
  • ବ୍ରହ୍ମପୁର: ସପ୍ତାହେ ହେଲା ଶାଶୂ ଘର ଆଗରେ ତପସ୍ୱିନୀ: ସ୍ୱାମୀ ଘରକୁ ଯିବେ କି ନାହିଁ ଆଜି କୋର୍ଟରେ ଶୁଣାଣି
  • ||
  • ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||
  • ଭୁବନେଶ୍ୱର : ୪/୫ରେ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା, ୩ରୁ ପଡ଼ିବ ପ୍ରଭାବ,
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ
  • ||
  • ପୁରୀ : ଦାରୁଦିଅଁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ଭୋଗରାଇ : ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ଅସ୍ଥାୟୀ ଦୋକାନ
  • ||
  • ଯାଜପୁର : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||

ଅସ୍ତରଙ୍ଗରେ ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା ମାମଲା: ୩ ଜଣଙ୍କୁ ଆଜୀବନ ଜେଲ୍‌

ଅସ୍ତରଙ୍ଗ,୮ା୨(ଆପ୍ର): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ର ଦିନାଡିହା ଗ୍ରାମରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ମାମଲାରେ ଶୁକ୍ରବାର ଦଣ୍ଡାଦେଶ ପ୍ରକାଶ ପାଇଛି । ନିମାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଚିନ୍ତାମଣି ପଣ୍ଡା ଦୋଷୀମାନଙ୍କୁ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି । ମୃତକ ଅବସରପ୍ରାପ୍ତ ଡିଆଇ ଦୀନବନ୍ଧୁ ମଲ୍ଲିକଙ୍କ ଧରମ ପୁଅ ପଶ୍ଚିମ ମେଦିନାପୁର ଅଞ୍ଚଳର ହିମାଦ୍ରୀ ଶେଖର ଦାସ ଓରଫ ରହିମ୍‌ ଖାନ୍‌, ଧରମ ବୋହୂ ଆୟେସା ବେଗମ୍‌କୁ ମୃତ୍ୟୁ ପର୍ଯ୍ୟନ୍ତ ସଜା ଓ ଦୀନବନ୍ଧୁଙ୍କ ସଡ଼ୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନାର ଗ୍ରାମରକ୍ଷୀ ଫକିର ମଲ୍ଲିକକୁ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଇଛି । ହତ୍ୟା ଷଡଯନ୍ତ୍ର ରଚିଥିବା ଫକିରକୁ ବିଚାରପତି ଅଧିକ ୪ ବର୍ଷ ଜେଲଦଣ୍ଡ ଏବଂ ୨ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଆଇପିସିର ଧାରା ୩୦୨, ୩୯୪, ୩୯୭ ଓ ୧୨୦-ବି ରେ ଏହି ଦଣ୍ଡାଦେଶ ହୋଇଛି । ସଜା ଶୁଣାଇବା ପରେ ଅଭିଯୁକ୍ତମାନଙ୍କୁ ନିମାପଡ଼ା ସବ୍‌ ଜେଲକୁ ପଠାଇ ଦିଆଯାଇଛି । ଅସ୍ତରଙ୍ଗ ଥାନା ନଗର ପଞ୍ଚାୟତ ଅନ୍ତର୍ଗତ ଦିନାଡିହା ଗ୍ରାମର ଦୀନବନ୍ଧୁ ମଲ୍ଲିକ, ପତ୍ନୀ ନିର୍ମଳା ମଲ୍ଲିକ, ଦୁଇ ଝିଅ ପ୍ରଣତି ଏବଂ ଶାଶ୍ୱତୀଙ୍କୁ ୨୦୧୫ ସେପ୍ଟେମ୍ବର ୨୧ ତାରିଖରେ ରାତିରେ ଶୋଇଥିବା ସମୟରେ ଅଭିଯୁକ୍ତ ଦମ୍ପତି ତଣ୍ଟିକାଟି ହତ୍ୟା କରିଥିଲେ । ହତ୍ୟା ପରେ ସୁନାଗହଣା, ମୋବାଇଲ, ମୋଟର ସାଇକେଲ ଇତ୍ୟାଦି ନେଇ ଫେରାର ହୋଇଯାଇଥିଲେ । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଭାର ନେବା ସହିତ ମୋବାଇଲ ଟ୍ରାକିଂରୁ ଅଭିଯୁକ୍ତ ଦମ୍ପତିଙ୍କୁ ସେହିବର୍ଷ ଅକ୍ଟୋବର ୧୦ ତାରିଖରେ ଆସାମର ସିଲ୍‌ଚରରୁ ଗିରଫ କରିଥିଲା । ଉଭୟଙ୍କ ଠାରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଥିଲା । ଏଥିସହିତ ଚୋରି ଯାଇଥିବା ସୁନାଗହଣାକୁ ଛତିଶଗଡ଼ ରାଜ୍ୟ ଭିଲାଇ ରୋଡରୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଜବତ କରିଥିଲେ । ହତ୍ୟା ପରେ ଦମ୍ପତି ରକ୍ତ ପୋଛିବା ପାଇଁ ବ୍ୟବହାର କରିଥିବା କପଡ଼ାରେ ଉଭୟଙ୍କ ରକ୍ତ ଲାଗିଥିବାରୁ କ୍ରାଇମବ୍ରାଞ୍ଚ ଡିଏନ୍‌ଏ ଟେଷ୍ଟ ରିପୋର୍ଟରୁ ଅଭିଯୁକ୍ତଙ୍କୁ ସ୍ପଷ୍ଟ ଭାବରେ ଜାଣିପାରିଥିଲା । ଉଭୟଙ୍କୁ ଗିରଫ କରି ନିମାପଡ଼ା ସବ୍‌-ଜେଲରେ ରଖାଯାଇଥିଲା ।
ଫକିରଙ୍କ ସହିତ ଦମ୍ପତିଙ୍କ ସମ୍ପର୍କ ଯୋଡ଼ିହେବା ପରେ ସେ ତାଙ୍କୁ ଧର୍ମ ପୁଅବୋହୂର ମାନ୍ୟତା ଦେଇଥିଲେ । ସେମାନେ ଫକିରଙ୍କ ସହିତ ଦୀନବନ୍ଧୁଙ୍କ ଘରକୁ ବିଭିନ୍ନ ସମୟରେ ଯିବା ଆସିବା କରୁଥିଲେ । ଫକିର ସମ୍ପତ୍ତି ଲୋଭରେ ଏହି ହତ୍ୟାକାଣ୍ଡର ଷଡଯନ୍ତ୍ର କରିଥିଲେ । ଧର୍ମ ପୁଅବୋହୂଙ୍କୁ ବ୍ୟବହାର କରି ଏହି ହତ୍ୟାକାଣ୍ଡ ପଛର ନାୟକ ସାଜିଥିଲେ । ଅଭିଯୁକ୍ତମାନଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିବାକୁ ମୃତ ଦୀନବନ୍ଧୁଙ୍କ ସମ୍ପର୍କୀୟମାନେ କୋର୍ଟରେ ନିବେଦନ କରିଛନ୍ତି । ଶୁକ୍ରବାର ନିମାପଡ଼ା କୋର୍ଟରେ କ୍ରାଇମବ୍ରାଞ୍ଚ ପବ୍ଲିକ ପ୍ରସିିକ୍ୟୁଟର ଚିତ୍ତରଞ୍ଜନ କାନୁନ୍‌ଗୋ ଏହି ମାମଲା ପରିଚାଳନା କରିଥିବା ବେଳେ ନିମାପଡ଼ା କୋର୍ଟର ସରକାରୀ ଓକିଲ ବ୍ରହ୍ମାନନ୍ଦ ପ୍ରଧାନଙ୍କ ସହିତ ଅନ୍ୟ ଆଇନଜୀବୀ ଉପସ୍ଥିତ ଥିଲେ । ଗତ ୬ ତାରିଖରେ କୋର୍ଟ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କରିବା ଏକଦମ୍‌ ଜଟିଳ ଥିଲା । ହତ୍ୟାକାଣ୍ଡର କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳି ନ ଥିଲା । ପାରିପାଶ୍ୱିର୍କ ତଥ୍ୟପ୍ରମାଣକୁ ଭିତ୍ତି କରି ତଦନ୍ତ କରାଯାଇଥିଲା । ଟିମ୍‌ୱାର୍କ ଓ ମୂଳରୁ ଠିକ୍‌ ଭାବେ ତଦନ୍ତ କରିଥିବାରୁ ସଫଳତା ମିଳିଥିଲା । ତଦନ୍ତ ବେଳେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀମାନେ ହତ୍ୟାକାଣ୍ଡ ଘଟିଥିବା ଘରୁ ଏକ ମିଠା ପ୍ୟାକେଟ୍‌ ପାଇଥିଲେ । ସେହି ମିଠା ପ୍ୟାକେଟ୍‌ କିଣାଯାଇଥିବା ଦୋକାନକୁ ଯାଇ ତଦନ୍ତ ପରେ ସେଠାରୁ ୩ ହତ୍ୟାକାରୀଙ୍କ ସମ୍ପର୍କରେ ସୂଚନା ମିଳିଥିଲା । ମିଠା ଦୋକାନୀ ହତ୍ୟାକାରୀଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ ।
୩୦ ହଜାର ଧାର ନ ଦେବାରୁ ୪ ମୁଣ୍ଡ ଗଡ଼ାଇଲେ: ଦୀନବନ୍ଧୁ ମଲ୍ଲିକ ଶିକ୍ଷା ବିଭାଗର ଡିଆଇ ପଦବିରୁ ଅବସର ପରେ ଦିନାଡିହା ଗାଁର ଏକ ନିଛାଟିଆ ଜାଗାରେ ଘର କରି ସପରିବାରେ ରହୁଥିଲେ । ଦୀନବନ୍ଧୁଙ୍କର ସଡ଼ୁ ଫକିର ଅନେକ ସମୟରେ ଆସି ତାଙ୍କ ଘରେ ରହୁଥିଲେ । ଏମିତିକି ଫକିରର ଧରମ ପୁଅ ହିମାଦ୍ରୀ ଓରଫ ରହିମ୍‌ ଖାନ୍‌ ମଧ୍ୟ ଦୀନବନ୍ଧୁଙ୍କ ଘରକୁ ଯାଉଥିଲେ । ଦୀନବନ୍ଧୁଙ୍କ ପାଖରୁ ୩୦ହଜାର ଟଙ୍କା ଧାର ନେବା ପାଇଁ ହିମାଦ୍ରୀ ଓ ପତ୍ନୀ ଆୟେସା ୨୦୧୫ ସେପ୍ଟେମ୍ବର ୨୧ ତାରିଖ ସଂଧ୍ୟାରେ ଦିନାଡିହା ଗାଁରେ ପହଞ୍ଚିଥିଲେ । ଟଙ୍କା ନ ମିଳିଲେ ପରିବାରର ସମସ୍ତଙ୍କୁ ହତ୍ୟା କରି ଟଙ୍କା ଓ ସୁନାଗହଣା ନେବା ପାଇଁ ସେମାନେ ଯୋଜନା ରଖିଥିଲେ । ଏଥିପାଇଁ ଅଭିଯୁକ୍ତମାନେ ସାଙ୍ଗରେ ଛୁରି ଏବଂ ଚାପଡ଼ ମଧ୍ୟ ଆଣି ଆସିଥିଲେ । ଖାଇପିଇ ସାରି ଶୋଇବା ବେଳକୁ ଦୀନବନ୍ଧୁଙ୍କୁ ୩୦ ହଜାର ଟଙ୍କା ହିମାଦ୍ରୀ ମାଗିଥିଲେ । ଦୀନବନ୍ଧୁ ଟଙ୍କା ଦେବାକୁ ରାଜି ନ ହେବାରୁ ହିମାଦ୍ରୀ ଓ ତାର ପତ୍ନୀ ଆୟେସା ଉତ୍‌କ୍ଷିପ୍ତ ହୋଇଥିଲେ । ଦୀନବନ୍ଧୁ ଓ ପରିବାର ନିଦରେ ଶୋଇଥିବା ସମୟରେ ଅଭିଯୁକ୍ତ ହିମାଦ୍ରି ଓ ପତ୍ନୀ ଆୟେସା ଜଣକ ପରେ ଜଣକୁ ଅତି ବୀଭତ୍ସ ଭାବେ ଘର ଭିତରେ ହତ୍ୟା କରିଥିଲେ । ୪ ଜଣଙ୍କର ପେଟରେ ଛୁରି ଭୁସିବା ସହ ବେକକୁ ଅତି ନିର୍ମମ ଭାବେ କାଟି ମୁଣ୍ଡ ଗଡ଼ାଇଥିଲେ । ପୂରା ପରିବାରକୁ ମୂଳପୋଛ କରିବା ପରେ ଅଭିଯୁକ୍ତ ଦମ୍ପତି ଘର ଭିତରୁ ଟଙ୍କାପଇସା, ସୁନାଗହଣା ସବୁ ଧରି ଚମ୍ପଟ୍‌ ମାରିଥିଲେ ।
ଏହି ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଅସ୍ତରଙ୍ଗ ଥାନା ପୁଲିସ୍‌ ୯୫/୧୫ରେ ଏକ ମାମଲା ରୁଜୁ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ୱ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ୍‌କୁ ଦେଇଥିଲେ । କ୍ରାଇମବ୍ରାଞ୍ଚ ଉକ୍ତ ଘଟଣାରେ ୩୦/୧୫ରେ ଦଫା ୩୦୨(ହତ୍ୟାକାଣ୍ଡ), ୩୯୬(ଡକାୟତି), ୧୨୦(ଅପରାଧିକ ଷଡ଼ଯନ୍ତ୍ର) ଆଦି ସଙ୍ଗିନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ମୃତ ଦୀନବନ୍ଧୁଙ୍କ ଲୁଟ୍‌ ହୋଇଥିବା ମୋବାଇଲ୍‌ ଫୋନ୍‌ ହିଁ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଥିଲା । ଉକ୍ତ ମୋବାଇଲ୍‌ ଫୋନ୍‌ ନମ୍ବରକୁ କ୍ରାଇମବ୍ରାଞ୍ଚ ଟ୍ରାକିଂ କରିବା ସମୟରେ ପଶ୍ଚିମ ମେଦିନାପୁର ଅଞ୍ଚଳ ଲୋକେସନ୍‌ ଦେଖାଇଥିଲା । ଉକ୍ତ ଲୋକେସନ୍‌କୁ ପିଛା କରି କ୍ରାଇମବ୍ରାଞ୍ଚ ବାଂଲାଦେଶ ସୀମାରୁ ଅଭିଯୁକ୍ତ ହିମାଦ୍ରୀ ଓରଫ ରହିମ୍‌ ଖାନ୍‌କୁ ଠାବ କରିଥିଲା । ଦୀନବନ୍ଧୁଙ୍କ ସଡ଼ୁ ଫକିରର ପ୍ରରୋଚନାରେ ହିମାଦ୍ରୀ ଓ ତାର ପତ୍ନୀ ଆୟେସା ସହ ମିଶି ସେମାନଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା ।
ରକ୍ତନମୁନାର ଡିଏନ୍‌ଏ ଟେଷ୍ଟ: ହତ୍ୟାକାରୀ ହିମାଦ୍ରୀଠାରୁ ତଥ୍ୟ ପାଇଲା ପରେ କ୍ରାଇମବ୍ରାଞ୍ଚ ଫକିରକୁ ପରେ ଗିରଫ କରିଥିଲା । ଜବତ ହୋଇଥିବା ଛୁରି, ଚାପଡ଼ ଆଦିକୁ ପୁଲିସ୍‌ ରସୁଲଗଡ଼ସ୍ଥିତ ଫରେନ୍‌ସିକ୍‌ ଲ୍ୟାବ୍‌ରେ ପରୀକ୍ଷା କରାଇବା ସହ ହିମାଦ୍ରୀ, ଆୟେସା ଏବଂ ମୃତ ଦୀନବନ୍ଧୁ ଓ ତାଙ୍କ ପତ୍ନୀ, ଦୁଇ ଝିଅଙ୍କର ରକ୍ତ ନମୁନାର ଡିଏନ୍‌ଏ ଟେଷ୍ଟ୍‌ କରାଯାଇଥିଲା । ରାୟପୁରରେ ଭଡ଼ା ଘରେ ହିମାଦ୍ରୀ ଲୁଚାଇ ରଖିଥିବା ଛୁରି, ଚାପଡ଼ରେ ଲାଗିଥିବା ରକ୍ତ ନମୁନା ମୃତକ ଦୀନବନ୍ଧୁ ଓ ତାଙ୍କ ପରିବାର ସଦସ୍ୟଙ୍କ ରକ୍ତ ବୋଲି ଡିଏନ୍‌ଏ ଟେଷ୍ଟ୍‌ରେ ଜଣାପଡ଼ିଥିଲା । ଅଭିଯୁକ୍ତମାନଙ୍କୁ ଅଦାଲତରେ ଦୋଷୀ ସାବ୍ୟସ୍ତ କରାଇବା ପାଇଁ ଏମିତି ଅନେକ ବଳିଷ୍ଠ ଆଉ ଠୋସ୍‌ ସାଇଣ୍ଟିଫିକ୍‌ ପ୍ରମାଣ କ୍ରାଇମବ୍ରାଞ୍ଚ ଯୋଗାଡ଼ କରିବାରେ ସକ୍ଷମ ହୋଇଥିଲା । ସେହିପରି ସାକ୍ଷ୍ୟ ପ୍ରମାଣ ଓ ହତ୍ୟାକାଣ୍ଡ ସ୍ଥଳରେ ଅଭିଯୁକ୍ତମାନେ ଛାଡ଼ି ଯାଇଥିବା ପ୍ରମାଣକୁ କ୍ରାଇମବ୍ରାଞ୍ଚ ଯୋଗାଡ଼ କରି ଅଦାଲତରେ ଉପସ୍ଥାପନ କରିଥିଲା । ଉକ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ପ୍ରାୟ ୯୩ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରିଥିଲା । ଅଦାଲତରେ ୩୦ରୁ ଅଧିକ ପ୍ରତ୍ୟକ୍ଷଦର୍ଶୀ ଭାବେ ସାକ୍ଷ୍ୟ ଦେଇଥିଲେ ।