ଫୋନି ମୁକାବିଲା; ଆଜିଠୁ ବିଏମ୍‌ସିର ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌

ଭୁବନେଶ୍ୱର ୧।୫: ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ବିଏମ୍‌ସି (ଭୁବନେଶ୍ୱର ମହାନଗର ନିଗମ) । ରାଜଧାନୀବାସୀ ଯେମିତି ବାତ୍ୟା ସମୟରେ ହଇରାଣ ନହେବେ, ସେଥିପାଇଁ କଣ୍ଟ୍ରୋଲ ରୁମ୍‌ ଖୋଲିବା ସହ ରାଜଧାନୀକୁ ୧୩ଟି ଜୋନ୍‌ରେ ଭାଗ କରି ଦିଆଯାଇଛି । ଏମିତି କି ଲୋକେ ସମସ୍ୟାରେ ପଡିଲେ, ସିଧାସଳଖ ଟୋଲ୍‌ ଫ୍ରି ନମ୍ବର ୧୮୦୦୦୩୪୫୦୦୬୧କୁ ଫୋନ୍‌ କରି ନିଜର ସମସ୍ୟା ଜଣାଇ ପାରିବେ । ବାତ୍ୟା ମୁକାବିଲା ପାଇଁ ବିଏମ୍‌ସି ଏମିତି ଆଗୁଆ ପଦକ୍ଷେପ ନେବା ସହ କର୍ମଚାରୀଙ୍କ ଛୁଟିକୁ ମଧ୍ୟ ବାତିଲ କରି ଦିଆଯାଇଛି ।

ବିଏମ୍‌ସିରେ ବସିଥିବା ଜରୁରି ବୈଠକ ନିଷ୍ପତ୍ତି ଅନୁସାରେ, ମେ’ ୧ ତାରିଖରୁ ୫ ତାରିଖ ଯାଏ ବିଏମ୍‌ସି ଅଫସିରେ ବହୁ ବିଭାଗୀୟ କଣ୍ଟ୍ରୋଲ ରୁମ୍‌ କାମ କରିବ । କଣ୍ଟ୍ରୋଲ ରୁମ୍‌ ଦିନ ରାତି ୨୪ ଘଣ୍ଟା କାମ କରିବ । ଟୋଲ୍‌ ଫ୍ରି ନମ୍ବର କିମ୍ବା ବିଏମ୍‌ସି ଅଫିସକୁ ଆସି ଲୋକେ ସେମାନଙ୍କ ଅଭିଯୋଗ ଜଣାଇ ପାରିବେ ।

ବିଏମ୍‌ସି ମୁଖ୍ୟାଳୟରୁ କାମ କରୁଥିବା କଣ୍ଟ୍ରୋଲ ରୁମ୍‌ରେ ସମସ୍ତ ବିଭାଗର ପ୍ରତିନିଧି ରହି ସମସ୍ୟାର ସମାଧାନ ପାଇଁ ସଂଯୋଜନା କରିବେ । ସଂଯୁକ୍ତ କଣ୍ଟ୍ରୋଲ ରୁମ୍‌ରେ ଅଗ୍ନିଶମ, ଜନସ୍ୱାସ୍ଥ୍ୟ, ନିର୍ମାଣ, ସେସୁ, ଜାଇକା, ଯୋଗାଣ ବିଭାଗ ସହ ବିପର୍ଯ୍ୟୟ ମୁକାବିଲା ଆଦି ଦଳ ରହିବେ । ତେବେ କଣ୍ଟ୍ରୋଲ ରୁମ୍‌ ପରିଚାଳନା ତଦାରଖ ପାଇଁ ଅତିରକ୍ତ ଆୟୁକ୍ତ ସୁରଥ୍‌ ଚନ୍ଦ୍ର ମଲ୍ଲିକ, ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର, ସିଟି ଇଞ୍ଜିନିୟର ଦେବ ସୁନ୍ଦର ମହାପାତ୍ର ଦାୟିତ୍ୱରେ ରହିବେ । ଆବଶ୍ୟକୀୟ ସଫେଇ, ତୁରନ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରିବା ସହ ଡ୍ରେନ୍‌ ସଫେଇ ପାଇଁ ଇଞ୍ଜିନିୟରିଂ ଓ ପରିମଳ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କଠୁ ସମସ୍ୟା ଜାଣିବା ପରେ ସମାଧାନ ପାଇଁ କଣ୍ଟ୍ରୋଲ ରୁମ୍‌ ତତ୍‌କ୍ଷଣାତ ପଦକ୍ଷେପ ନେବ । ଏମିତିକି ବିପଦପୂର୍ଣ୍ଣ ଅବସ୍ଥାରେ ବସବାସ କରୁଥିବା ଲୋକଙ୍କୁ ଉଦ୍ଧାର କରି ଖାଦ୍ୟ,ପେୟ ଦେବାର ବ୍ୟବସ୍ଥା ମଧ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । କଣ୍ଟ୍ରୋଲ ରୁମ୍‌ ବାଦ୍‌ ଲୋକମାନେ ୦୬୭୪-୪୨୪୩୧୨୫୩ ଓ ୦୬୭୪-୪୨୪୩୧୨୫୩କୁ ଫୋନ୍‌ କରି ସମସ୍ୟା ଜଣାଇ ପାରିବେ । ବିଏମ୍‌ସି ଅଫିସରେ ବସିଥିବା ବୈଠକରେ ଅତିରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ ।

ଅଗ୍ନିଶମ ବିଭାଗର ବାତ୍ୟା ପ୍ରସ୍ତୁତି; ଭୁବନେଶ୍ୱର ପାଇଁ ୫୦ ଜଣିଆ ଟିମ୍‌

ବାତ୍ୟା ‘ଫୋନି’ର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ଭୁବନେଶ୍ୱର ଅଗ୍ନିଶମ ବିଭାଗ । ସେଥିପାଇଁ ୧୦ଟି ଟିମ୍‌ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ୫ଜଣ ଲେଖାଏଁ ଅଗ୍ନିଶମ କର୍ମଚାରୀ ଅଛନ୍ତି । ଏଥିସହିତ ୨୦ଟି ପାୱାର କରତ, ୨୦ଟି ଛୋଟବଡ଼ ପମ୍ପ୍‌, ୨୦ଟି ଟାୱାର ଲାଇଟ୍‌, ୪ଟି ପାୱାର ବୋଟ୍‌ର ବ୍ୟବସ୍ଥା ହୋଇଛି । ଏହି ୧୦ ଟିମ୍‌ ଭୁବନେଶ୍ୱର ଓ ଏହାର ଉପକଣ୍ଠ ଯଥା ବାଲିଅନ୍ତା, ବାଲିପାଟଣା ଓ ଜଟଣୀରେ ସଜାଗ ରହିବେ । ବାତ୍ୟାର ତାଣ୍ଡବରେ ଗଛ ଓ ବିଜୁଳି ଖୁଣ୍ଟି ପଡ଼ି ରାସ୍ତା ଅବରୋଧ ହେବା ସମ୍ଭାବନା ରହିଛି । ତୁରନ୍ତ ରାସ୍ତାରୁ ଗଛ ହଟାଇବାକୁ ଟିମ୍‌ ଉଦ୍ୟମ କରିବ । ବର୍ଷାପାଣିରେ ଫସିଥିବା ଲୋକଙ୍କୁ ଅଗ୍ନିଶମ ଅଧିକାରୀମାନେ ଉଦ୍ଧାର କରିବେ । ଘରେ ପାଣି ପଶିଲେ ୧୧୦ନମ୍ବରରେ ଫୋନ୍‌କଲେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କରିବେ । ଖାଲି ଭୁବନେଶ୍ୱର ନୁହେଁ ସାରା ରାଜ୍ୟର ସବୁ ଅଗ୍ନିଶମ କର୍ମଚାରୀଙ୍କୁ ସଜାଗ ରହିବାକୁ ଅଗ୍ନିଶମ ଡିଜି ବିଜୟ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସବୁ ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ କରା ଯାଇଥିବା ଜଣାପଡ଼ିଛି ।

ବାତ୍ୟା ଆଶଙ୍କାରେ ଦରବୃଦ୍ଧି; ରୋକିବାକୁ ମୁଖ୍ୟ ସଚିବଙ୍କୁ ସମାଜବାଦୀପାର୍ଟିର ପତ୍ର
ଓଡ଼ିଶାକୁ “ଫୋନି’ ବାତ୍ୟା ଆଶଙ୍କା । ଏହାକୁ ନେଇ ସାଧାରଣ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୩/୪ ଦିନ ପାଇଁ ଚୂଡ଼ା, ଚାଉଳ, ଚିନି, ଡ଼ାଲି, ତେଲ, ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରରେ ଲୋକଙ୍କ ଗହଳି ବଢୁଇି । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ଓ ମହଜୁଦକାରୀମାନେ ଖାଉଟିଙ୍କୁ ଶୋଷଣ କରିବାରେ ଲାଗିଛନ୍ତି । ୧୦ ଟଙ୍କାରେ ବିକ୍ରି ହେଉଥିବା ଆଳୁ ଆଜି ୧୮ରେ ପହଞ୍ଚିଛି । ସେହିପରି ୧୫ ଟଙ୍କାରେ ବିକ୍ରି ହେଉଥିବା ପିଆଜ ୨୨ ଟଙ୍କାରେ ବିକ୍ରି ହେଉଛି । ବଜାର ଦର ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ । ତେଣୁ ତୁରନ୍ତ ସରକାର ଏ ଦିଗରେ ହସ୍ତକ୍ଷପ କରି ବଜାର ଦରକୁ ନିୟନ୍ତ୍ରଣ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଏକ ଚିଠି ଲେଖି ଅସାଧୁ ବ୍ୟବସାୟୀଙ୍କ ଉପରେ ଆଇନ୍‌ଗତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

   ସମ୍ବନ୍ଧିତ ଖବର


୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା