PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଚାଷୀ ଆୟ ମାନଚିତ୍ର : ଓଡ଼ିଶା ତଳପଟୁ ଦ୍ୱିତୀୟ

ନୂଆଦିଲ୍ଲୀ,୧/୧୨ : ଖଣି ଓ ଶିଳ୍ପ ଭଳି କ୍ଷେତ୍ରରେ ଆଗ ଧାଡ଼ିରେ ଥିବା ଓଡ଼ିଶା ଚାଷ କ୍ଷେତ୍ରରେ ବେଶ୍‌ ପଛେଇ ଯାଇଛି । ଚାଷୀ ଆୟରେ ତଳ ଆଡୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ରାଜ୍ୟର ଚାଷୀ ପରିବାର ମାସକୁ ହାରାହାରି ୫,୧୧୨ ଟଙ୍କା ରୋଜଗାର କରୁଛନ୍ତି । ମୋଟ ଉପରେ ଦେଶରେ ଏହା ୧୦,୨୧୮ ଟଙ୍କା ରହିଛି । ମେଘାଳୟ ଚାଷୀ ସର୍ବାଧିକ ୨୯,୩୪୮ ଟଙ୍କା ଆୟ କରୁଛନ୍ତି । ଏ କ୍ଷେତ୍ରରେ ଝାଡ଼ଖଣ୍ଡ ସବୁଠୁ ପଛରେ ରହିଥିବାବେଳେ ପଞ୍ଜାବ ଓ ହରିଆଣା ଚାଷୀ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ପକ୍ଷରୁ ହୋଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମଙ୍ଗଳବାର କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର୍‌ ଲୋକସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ମୁତାବକ ଝାଡ଼ଖଣ୍ଡ ଚାଷୀଙ୍କ ହାରାହାରି ମାସିକ ଆୟ ସର୍ବନିମ୍ନ ୪,୮୯୫ ଟଙ୍କା ରହିଛି । ଓଡ଼ିଶା ଚାଷୀଙ୍କ ଆୟ ଏହାଠାରୁ ମାତ୍ର ୨୧୭ ଟଙ୍କା ଅଧିକ । ମନ୍ତ୍ରୀ ଏଠାରେ ଚାଷୀ ପରିବାର ପିଛା ହାରାହାରି ମାସିକ ଆୟ ସଂକ୍ରାନ୍ତ ତଥ୍ୟ ରଖିଛନ୍ତି ।

ତଥ୍ୟ ମୁତାବକ ହାରାହାରି ମାସିକ ଆୟ କ୍ଷେତ୍ରରେ ପଞ୍ଜାବ ଓ ହରିଆଣା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ପଞ୍ଜାବର ଚାଷୀଙ୍କ ହାରାହାରି ମାସିକ ଆୟ ୨୬,୭୦୧ ଟଙ୍କା ରହିଥିବା ବେଳେ ହରିଆଣାର ଏହା ୨୨,୮୪୧ ଟଙ୍କା ରହିଛି । ଅରୁଣାଚଳରେ ଏହା ୧୯,୨୨୫ ଟଙ୍କା ରହିଥିବା ବେଳେ ଜମ୍ମୁ-କାଶ୍ମୀରରେ ୧୮,୯୧୮, ମିଜୋରାମରେ ୧୭,୯୬୪, ରାଜସ୍ଥାନରେ ୧୨,୫୨୦, ଉତ୍ତରାଖଣ୍ଡରେ ୧୩,୫୫୨, କର୍ଣ୍ଣାଟକରେ ୧୩,୪୪୧, କେରଳରେ ୧୭,୯୧୫, ଗୁଜରାଟରେ ୧୨,୬୩୧, ଆନ୍ଧ୍ରପ୍ରଦେଶରେ ୧୦,୪୮୦, ଆସାମରେ ୧୦,୬୭୫, ହିମାଚଳ ପ୍ରଦେଶରେ ୧୨,୧୫୩ ଟଙ୍କା ରହିଛି ।

ପଶ୍ଚିମବଙ୍ଗରେ ଚାଷୀଙ୍କ ହାରାହାରି ମାସିକ ଆୟ ୬,୭୬୨ ଟଙ୍କା ରହିଥିବା ବେଳେ ତ୍ରିପୁରାରେ ଏହା ୯,୯୧୮, ତେଲଙ୍ଗାନାରେ ୯,୪୦୩, ତାମିଲନାଡୁରେ ୧୧,୯୨୪, ଉତ୍ତରପ୍ରଦେଶରେ ୮,୦୬୧,୪ ମଧ୍ୟପ୍ରଦେଶରେ ୮,୩୩୯, ମହାରାଷ୍ଟ୍ରରେ ୧୧,୪୯୨ ଓ ମଣିପୁରରେ ୧୧,୨୨୭ ଟଙ୍କା ରହିଛି । ଆଉ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ତୋମାର ରାଜ୍ୟଗୁଡ଼ିକର ଚାଷୀମାନେ ଚାଷକାର୍ଯ୍ୟରେ କରୁଥିବା ଖର୍ଚ୍ଚ ବାବଦରେ ସୂଚନା ଦେଇଛନ୍ତି । ଏହା ଅନୁଯାୟୀ ଚାଷ କାର୍ଯ୍ୟରେ ହାରାହାରି ମାସିକ ଖର୍ଚ୍ଚ କ୍ଷେତ୍ରରେ ପଞ୍ଜାବ ସବା ଉପରେ ରହିଛି । ରାଜ୍ୟର ଚାଷୀମାନେ ହାରାହାରି ମାସକୁ ସର୍ବାଧିକ ୧୧,୨୭୭ ଟଙ୍କା ଖର୍ଚ୍ଚ କରୁଛନ୍ତି । ଓଡ଼ିଶାରେ ଏହା ୧,୫୮୭ ଟଙ୍କା ରହିଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ହରିଆଣାରେ ଏହା ୧୧,୧୯୦ ଟଙ୍କା ରହିଛି । ଆନ୍ଧ୍ରପ୍ରଦେଶରେ ଏହା ୮,୮୪୭ ଟଙ୍କା ରହିଥିବା ବେଳେ ତେଲଙ୍ଗାନାରେ ୬,୫୪୩, କର୍ଣ୍ଣାଟକରେ ୩,୨୧୯ ଟଙ୍କା, ମଧ୍ୟପ୍ରଦେଶରେ ୩,୦୩୮ ଟଙ୍କା, ମହାରାଷ୍ଟ୍ରରେ ୩,୫୦୦ ଟଙ୍କା, ମେଘାଳୟରେ ୨,୨୯୩, ରାଜସ୍ଥାନରେ ୨,୩୬୧, ତାମିଲନାଡୁରେ ୨,୮୨୬, ଉତ୍ତରପ୍ରଦେଶରେ ୨,୩୬୭ ଓ ପଶ୍ଚିମବଙ୍ଗରେ ୨,୪୫୭ ଟଙ୍କା ରହିଛି । ଜାତୀୟ କ୍ଷେତ୍ରରେ ଏହା ୨,୯୫୯ ଟଙ୍କା ।

ଅନ୍ୟପକ୍ଷରେ ପ୍ରାଣୀ ସମ୍ପଦରେ ହେଉଥିବା ମାସିକ ଖର୍ଚ୍ଚ କ୍ଷେତ୍ରରେ ହରିଆଣା ଶୀର୍ଷରେ ରହିଛି । ହରିଆଣାରେ ଏହା ମାସିକ ହାରାହାରି ୪,୪୫୧ ଟଙ୍କା ରହିଛି । ଓଡ଼ିଶାରେ ଏହା ମାତ୍ର ୩୯୨ ଟଙ୍କା ରହିଥିବା ବେଳେ ଛତିଶଗଡ଼ ସବା ତଳେ (୮୪ ଟଙ୍କା) ରହିଛି । ଝାଡ଼ଖଣ୍ଡରେ ପ୍ରାଣୀ ସମ୍ପଦ ଉପରେ ମାସିକ ହାରାହାରି ଖର୍ଚ୍ଚ ୧୫୬ ଟଙ୍କା ରହିଥିବା ବେଳେ ନାଗାଲାଣ୍ଡରେ ୨୮୯, ମେଘାଳୟରେ ୩୮୧ ଟଙ୍କା ରହିଛି । ଆନ୍ଧ୍ରପ୍ରଦେଶ, କେରଳ ଓ ପଞ୍ଜାବରେ ଏହା ୩,୦୦୦ ଟଙ୍କାରୁ ଅଧିକ ରହିଥିବା ତଥ୍ୟ ଦର୍ଶାଇଛି । ସେହିଭଳି ଗୁଜରାଟ, ମିଜୋରାମରେ ୨,୦୦୦ ଟଙ୍କାରୁ ଅଧିକ ରହିଛି । ଜାତୀୟ କ୍ଷେତ୍ରରେ ଏହା ୧,୨୬୭ ଟଙ୍କା ରହିଥିବା ଜଣାପଡ଼ିଛି । ଚାଷୀଙ୍କ ଆୟ ଓ ବ୍ୟୟ ମାପିବା ପାଇଁ କେନ୍ଦ୍ର ସରକାର କୌଣସି ବାର୍ଷିକ ସର୍ବେକ୍ଷଣ କରୁଛନ୍ତି କି ବୋଲି ସାଂସଦ ଉଲାକା ନିଜ ପ୍ରଶ୍ନରେ ପଚାରିଥିଲେ । ଜବାବରେ ମନ୍ତ୍ରୀ ତୋମାର କହିଥିଲେ, ଦେଶର ଗ୍ରାମାଞ୍ଚଳରେ ଚାଷୀ ପରିବାର, ଚାଷଜମି ଓ ପରିବାରଗୁଡ଼ିକର ପ୍ରାଣୀ ସମ୍ପଦ ବାବଦରେ ମୂଲ୍ୟାୟନ ଲାଗି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ୭୭ତମ ପର୍ଯ୍ୟାୟ ସର୍ବେକ୍ଷଣ କରାଯାଇଥିଲା । ଏହି ସର୍ଭେ ରିପୋର୍ଟକୁ ଆଧାର କରି ମନ୍ତ୍ରୀ ତୋମାର ରାଜ୍ୟଗୁଡ଼ିକର ଚାଷୀଙ୍କ ହାରାହାରି ମାସିକ ଆୟ ଓ ଅନ୍ୟ ତଥ୍ୟ ପ୍ରଦାନ କରିଛନ୍ତି ।

ଏହାବ୍ୟତୀତ ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ୨୦୧୬ ଏପ୍ରିଲରେ କେନ୍ଦ୍ର ସରକାର ଏକ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ । କମିଟି ୨୦୧୮ ସେପ୍ଟେମ୍ବରରେ ଏହାର ରିପୋର୍ଟ ଦାଖଲ କରିଥିଲା । ୨୦୨୨ ସୁଦ୍ଧା ଚାଷୀ ଆୟ ଦୁଇଗୁଣା କରିବା ପାଇଁ ଏହି ରିପୋର୍ଟରେ ବିଭିନ୍ନ ରଣନୀତି ବାବଦରେ ସୁପାରିସ କରାଯାଇଥିଲା । ଏ ବାବଦରେ ଅଗ୍ରଗତି ପାଇଁ ସରକାର ଏକ କ୍ଷମତାସମ୍ପନ୍ନ କମିଟି ବି ଗଠନ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର