ବୈଠକରେ ସରକାରଙ୍କ ଦ୍ବାରା ଦିଆଯାଇଥିବା ଖାଦ୍ୟ ଖାଇଲେନି କୃଷକ ନେତା, ଲଙ୍ଗରରୁ ଖାଦ୍ୟ ଓ ଗୋଟେ ଡ୍ରମ୍ ଚା’ ଆଣିଲେ

ନୂଆଦିଲ୍ଲୀ,୩।୧୨: କୃଷି ଆଇନକୁ ବିରୋଧ କରି କୃଷକମାନେ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଜାରି ରଖିଛନ୍ତି। ଆନ୍ଦୋଳନକୁ ଆଜି ୮ ଦିନ ହୋଇଛି। ଏହା ଭିତରେ ଆଜି ବିଜ୍ଞାନ ଭବନରେ କୃଷକ ନେତା ଓ ସରକାରଙ୍କ ଭିତରେ ଆଉ ଏକ ପର୍ଯ୍ୟାୟର ଆଲୋଚନା ଜାରି ରହିଛି। ବୈଠକରେ କୃଷକମାନେ ପୁଣିଥରେ କୃଷି ଆଇନ ଫେରାଇ ନେବାର ଦାବି ଦୋହରାଇଛନ୍ତି। ସରକାର ଓ କୃଷକଙ୍କ ଭିତରେ ଏହି ବୈଠକ ବେଳେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା।

ମଧ୍ୟାହ୍ନ ୧୨ଟା ବେଳେ ଆରମ୍ଭ ହୋଇଥିବା ବୈଠକର କିଛି ସମୟ ପରେ ଆରମ୍ଭ ହୋଇଥିଲା ଲଞ୍ଚ ବ୍ରେକ୍। ଏହି ସମୟରେ ସରକାରଙ୍କ ପକ୍ଷରୁ କୃଷକ ନେତାଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ କୃଷକ ନେତାମାନେ  ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଖାଦ୍ୟ ଖାଇବାକୁ ମନା କରିଦେଇଥିଲେ। କୃଷକ ନେତାମାନେ ନିଜ ପାଇଁ ଲଙ୍ଗରରୁ ଖାଦ୍ୟ ମଗାଇ ଖାଇଥିଲେ।ମିଳିଥିବା ସୂଚନା ଅନୁସାରେ, କୃଷମାନଙ୍କ ପାଇଁ ଭାତ, ରାଜମା, ରୁଟି ଏବଂ ତରକାରୀ ଲଙ୍ଗରରେ ଆସିଥିଲା। ଏହା ସହିତ ଗୋଟେ ଡ୍ରମ୍ ଚା’ ମଧ୍ୟ ଅଣାଯାଇଥିଲା। କୃଷକମାନେ ନିଜର ଲଙ୍ଗର ଆମ୍ବୁଲାନ୍ସରେ ମଗାଇଥିଲେ।

କୃଷକଙ୍କ ଏଭଳି ବ୍ୟବହାର ପରେ ଲାଗୁଛି କୃଷି ବିଲ୍ ନେଇ କୃଷକମାନେ ଏତେ ଜଲଦି ହାର ମାନିବା ମୁଡ୍‌ରେ ନାହାନ୍ତି। ବିଜ୍ଞାନ ଭବନରେ କୃଷକ ସଂଗଠନ ଓ ସରକାରଙ୍କ ଭିତରେ ଜାରି ବୈଠକରେ କୃଷକମାନେ ପୁଣିଥରେ କୃଷି ଆଇନକୁ ଫେରାଇ ନେବାକୁ ଦାବି କରିଛନ୍ତି। ଏହା ସହିତ ବାୟୁ ପଦୂଷଣ ନେଇ କୃଷକଙ୍କ ପାଇଁ ଅଣାଯାଇଥିବା ଆଇନକୁ ଫେରାଇ ନେବାକୁ ଦାବି କରିଛନ୍ତି। ତା ସହିତ ଇଲେକ୍ଟ୍ରିସିଟି ଆମେଡମେଣ୍ଟ ଆକ୍ଟ ୨୦୨୦, ଯାହାକି ଆସିବାକୁ ଯାଉଛି ତାକୁ ନେଇ କୃଷମାନେ ଲିଖିତ ଭାବରେ ଆପତ୍ତି ପ୍ରକାଶ କରିଛନ୍ତି।