ପୁଅକୁ ପଥରରେ ଛେଚି ହତ୍ୟା କଲା ବାପା

କେନ୍ଦୁଝର ୨/୯ : ପୁଅକୁ ପଥର କଚାଡ଼ି ହତ୍ୟା କରିଛି ବାପା । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ମଲଦା ପଞ୍ଚାୟତର ବଳଭଦ୍ରପୁର ଗାଁରେ । ଟ୍ରାନ୍‌ସପୋର୍ଟିଂ ପଇସା ଭାଗ ବଣ୍ଟାକୁ ନେଇ ଏଭଳି କାଣ୍ଡ ଘଟିଥିବାବେଳେ ହତ୍ୟାକାରୀ ବାପା ନାରାୟଣ ମହାନ୍ତ (୫୦)କୁ ସହଯୋଗ କରିଛି ଦ୍ୱିତୀୟ ସ୍ତ୍ରୀର ନାବାଳକ (୧୭ ବର୍ଷ) ପୁଅ । ମୃତକ ଜଣକ ହେଉଛନ୍ତି ନାରାୟଣଙ୍କ ତୃତୀୟ ସ୍ତ୍ରୀର ପୁଅ ପିତାମ୍ବର ମହାନ୍ତ ( ୧୮) । ହତ୍ୟା ପରେ ନାରାୟଣ ଓ ନାବାଳକ ପୁଅ ଫେରାର ଅଛନ୍ତି ।
 

ସୂଚନା ମୁତାବକ, ଶ୍ରୀ ମେଟାଲିକ ଏବଂ ଆରଡେଣ୍ଟ ଷ୍ଟିଲ୍‌ରୁ ସ୍ଥାନୀୟ ଲୋକମାନେ ଟ୍ରାନ୍‌ସପୋର୍ଟିଂ ବାବଦକୁ କିଛି କିଛି ପଇସା କମିଟି ମାଧ୍ୟମରେ ପାଇଥାନ୍ତି । ଆଜି ଏ ସମ୍ବନ୍ଧରେ ଗାଁରେ ଏକ ବୈଠକ ବସିଥିଲା । ବୈଠକରୁ ଫେରିବା ପରେ ଅପରାହ୍ନ ୩ଟା ପାଖାପାଖି ଟଙ୍କା ବଣ୍ଟାକୁ ନେଇ ନାରାୟଣ ମହାନ୍ତଙ୍କ ପରିବାରରେ କଳି ଝଗଡା ଆରମ୍ଭ ହୋଇଥିଲା । ନାରାୟଣଙ୍କ ତିନୋଟି ସ୍ତ୍ରୀ ହୋଇଥିବାରୁ ଟଙ୍କା କିଏ ନେବ ଏହାକୁ ନେଇ ନାରାୟଣ ମହାନ୍ତ , ପ୍ରଥମ ସ୍ତ୍ରୀ ମାଳତୀ ମହାନ୍ତ ଏବଂ ଦ୍ୱିତୀୟ ସ୍ତ୍ରୀର ପୁଅ ଗୌତମ ମହାନ୍ତ ମିଶି ତୃତୀୟ ସ୍ତ୍ରୀ ହୀରାମଣୀ ମହାନ୍ତଙ୍କ ସାନ ପୁଅ ପିତାମ୍ବର ମହାନ୍ତଙ୍କ ସହିତ ଝଗଡା କରିଥିଲେ ।
 

ତୁ ପାଞ୍ଚ ବର୍ଷ ହେଲାଣି ଟ୍ରାନ୍‌ସପୋର୍ଟିଂ ପଇସା ଖାଉଛୁ, ଏଥର ଆମେ ନେବୁ ବୋଲି ନାରାୟଣ ପିତାମ୍ବରଙ୍କ ସହ ପାଟିତୁଣ୍ଡ କରୁଥିଲେ । ଏଥିରେ ରାଗି ପିତାମ୍ବର କହିଥିଲା ଯେ, ଗୁଣି ଗାରେଡି ସନ୍ଦେହ କରି ମୋ ମା’କୁ ଘରୁ ତଡିଲ, ଜମିବାଡି ସବୁ ଖାଇଲ, ମୁଁ କଣ ପାଇଁ ଟ୍ରାନ୍‌ସପୋର୍ଟିଂ ପଇସା ତୁମମାନଙ୍କୁ ଦେବି । ଏହାପରେ ସେମାନଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା । ନାରାୟଣ ଓ ପିତାମ୍ବର ମଧ୍ୟରେ ବଚସା ଚାଲିଥିବାବେଳେ ଦ୍ୱିତୀୟ ସ୍ତ୍ରୀର ନାବାଳକ ପୁଅ ପିତାମ୍ବରକୁ ଧକ୍କା ମାରି ତଳେ ପକାଇବା ସହ ପିଟିଥିଲା । ଏହି ସମୟରେ ତଳେ ପଡିଥିବା ଏକ ପଥର ଉଠାଇ ନାରାୟଣ ପିତାମ୍ବର ମୁଣ୍ଡରେ କଚାଡି ଦେଇଥିଲେ । ଆଘାତ ପ୍ରାପ୍ତ ହୋଇଥିଲେ ମଧ୍ୟ ପିତାମ୍ବର ତଳୁ ଉଠିବାକୁ ପ୍ରୟାସ କରୁଥିବାବେଳେ ନାରାୟଣଙ୍କ ହାତରୁ ପଥର ଛଡାଇ ନାବାଳକ ପୁଅ ପୁଣି ଥରେ ପିତାମ୍ବରଙ୍କ ମୁଣ୍ଡରେ ପଥରକୁ କଚାଡି ଦେଇଥିଲା ।

ଏହାପରେ ନାରାୟଣ ଅମାନୁଷିକ ଭାବେ ପିତାମ୍ବରଙ୍କ ମୁଣ୍ଡ ଉପରେ ୩/୪ ଥର ପଥର କଚାଡି ଦେଇଥିଲେ । ଫଳରେ ମୁଣ୍ଡ ଫାଟି ଘଟଣାସ୍ଥଳରେ ପିତାମ୍ବରଙ୍କ ମୃତ୍ୟୁ ଘଟିଛି । ଘଟଣା ସମ୍ପର୍କରେ ଖବରପାଇ ବାମେବାରୀ ଥାନା ଏସ୍‌ଆଇ ପରେଶ ମହାନ୍ତି ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ପିତାମ୍ବରଙ୍କୁ ହତ୍ୟା କରିବା ପରେ ନାରାୟଣ ଏବଂ ନାବାଳକ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୁଲିସ ଏ ସଂକ୍ରାନ୍ତରେ ହତ୍ୟା ମାମଲା ରୁଜୁ କରି ହତ୍ୟାକାରୀଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛି । ମୃତଦେହ ଘଟଣାସ୍ଥଳରେ ପଡି ରହିଛି । ଆସନ୍ତାକାଲି ସାଇଣ୍ଟିଫିକ ଟିମ ଏବଂ ଡଗ୍‌ ସ୍କ୍ୱାଡ୍‌ ପହଞ୍ଚିଲା ପରେ ମୃତ ଦେହ ବ୍ୟବଛେଦ ପାଇଁ ପଠାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ଭିଡ଼ିଓ କଲ୍‌ରେ ଉଲଗ୍ନ ହେବାକୁ ଯୁବତୀଙ୍କୁ ଜିଦ୍ କରୁଥିଲେ ! ବାହୁବଳୀ ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ….

କଳା ପଲସର ଆତଙ୍କ: ବାଇକ୍‌ରେ ଆସି ଝାମ୍ପି ନେଲେ ଗହଣା ବ୍ୟାଗ୍, ୪ ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ

ହାଥରସ୍ ମାମଲା: ଯେଉଁ କ୍ଷେତରେ ପୀଡିତାଙ୍କୁ ହୋଇଥିଲା ଦୁଷ୍କର୍ମ, ତା’ର ମାଲିକ ସରକାରଙ୍କୁ ମାଗିଲେ କ୍ଷତିପୂରଣ

ପୁଲିସ ଟାର୍ଗେଟ୍‌ରେ ‘ଜହର ରାଣୀ’: ଜଳେଶ୍ୱରରୁ ଆଣି ପୁରୀକୁ ଯୋଗାଉଛି ବ୍ରାଉନ୍‌ ସୁଗର ! ଚେର ଉପାଡ଼ିବାକୁ ଚାଲିଛି ଛାନ୍‌ଭିନ୍‌

କୁକୁଡ଼ା ଫାର୍ମରେ ନାବାଳିକା ଗଣଦୁଷ୍କର୍ମ ଘଟଣା: ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ଏନ୍‌ଏଚ୍‌ଆର୍‌ସି

ହାଜତ ଭିତରେ ମହିଳା କଏଦୀଙ୍କୁ ୧୦ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ, ଥାନା ଅଧିକାରୀଙ୍କ ସହ ୫ ପୋଲିସକର୍ମୀଙ୍କ ସମ୍ପୃକ୍ତି ଅଭିଯୋଗ