ତନ୍ତ୍ର ସାଧନା ପାଇଁ ଝିଅ ଆଖିରୁ ରକ୍ତ ନେଲେ ବାପା

source:naidunia.jagran.com
ବାଲେଶ୍ୱର/ଜଳେଶ୍ୱର,୨୮ା୨(ଆପ୍ର): ଏବେବି ତନ୍ତ୍ର ସାଧନାର ଅନ୍ଧବିଶ୍ୱାସ ବହୁ ଅଞ୍ଚଳରେ ଦେଖିବାକୁ ମିଳୁଛି । ନିଜର ସିଦ୍ଧି ହାସଲ ପାଇଁ ଜନ୍ମିତ ସନ୍ତାନକୁ ମଧ୍ୟ ବଳି ଦେବାକୁ ପଛାଉ ନାହାନ୍ତି । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ତଥା ରାଇବଣିଆ ଥାନା ଅନ୍ତର୍ଗତ ଖୁଦିଆମାଝୀ ସାହି ପଞ୍ଚାୟତର ପାଳପ୍ରସାଦ ଗାଁରେ ।
ଘଟଣାରୁ ପ୍ରକାଶ, ସେହି ଗାଁର ରବୀନ୍ଦ୍ର ଦଳେଇଙ୍କ ପତ୍ନୀ ସନ୍ଧ୍ୟାରାଣୀ ଦଳେଇ (୩୫)ଙ୍କଠାରୁ ତାଙ୍କ ବାପା ଗୟାପ୍ରସାଦ ଦଣ୍ଡପାଟ (୬୦), ମା’ ଏବଂ ଭାଇ ବଳରାମ (୨୨), ପରିମଳ (୨୦) ଓ ବଳରାମ ଦଣ୍ଡପାଟଙ୍କ ଶାଶୂ ବାସନ୍ତୀ ବେରା ତନ୍ତ୍ର ସାଧନା ପାଇଁ ରକ୍ତ ନେଇଛନ୍ତି । ସନ୍ଧ୍ୟାରାଣୀଙ୍କ ମୁଣ୍ଡ, ଆଖିରୁ ରକ୍ତ ବାହାର କରି ପୂଜା କାର୍ଯ୍ୟ ସାରିଥିବା ବେଳେ ସ୍ଥାନୀୟ ଲୋକେ ଘଟଣା ବାବଦରେ ଜାଣି ପାରି ତାଙ୍କୁ ଗୁରୁତର ଅବସ୍ଥାରେ ହାତୀଗଡ଼ ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏ ବାବଦରେ ରାଇବଣିଆ ଥାନା ଅଧିକାରୀ ଆର୍. ଏନ୍. ବେହେରା କହିଛନ୍ତି, ଏନେଇ କେହି ଥାନାରେ ଅଭିଯୋଗ କରିନାହାନ୍ତି । ଏବେ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରୁ ଶୁଣିବାକୁ ପାଉଛି ।