ପୁଣି ଡରେଇଲା ବସ୍ତି ସଂକ୍ରମଣ : ୪ ଦିନରେ ବାହାରିଲେଣି ୮୬ ଆକ୍ରାନ୍ତ

ଭୁବନେଶ୍ୱର,୫।୮ : ପୁଣି ଡରେଇଲାଣି ବସ୍ତି ସଂକ୍ରମଣ । ଶିରିପୁର କନ୍ଧ ସାହି ବସ୍ତିରେ ପଶିଛି କରୋନା । ଦିନକରେ ଏଠାରୁ ୧୪ଜଣ ସଂକ୍ରମିତ ବାହାରିଛନ୍ତି । ଏହାକୁ ନେଇ ବସ୍ତିରେ ଛନକା ପଶିଯାଇଛି । ଆଖପାଖ ଲୋକେ ବି ଭୟଭୀତ ଅଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଥମୁନି । ଭୁବନେଶ୍ୱରରେ ବି କରୋନା ସଂକ୍ରମଣ କମୁନି । ଆଜି ଦିନକରେ ଭୁବନେଶ୍ୱରରୁ ୧୪୯ଜଣ ପଜିଟିଭ୍‌ ବାହାରିଛନ୍ତି । ଏଥିରୁ ବସ୍ତି ସଂକ୍ରମିତଙ୍କ ସଂଖ୍ୟା ୩୬ । ଶିରିପୁର କନ୍ଧ ସାହିରୁ ଗତ ୨୪ ଘଣ୍ଟାରେ ୧୪ଜଣ ପଜିଟିଭ୍‌ ଥିବାବେଳେ ସାଲିଆସାହିରୁ ବି ୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାବାଦ୍‌ ଖଣ୍ଡଗିରି ତପୋବନ ବସ୍ତିରୁ ୩ଜଣ, ଜୟଦେବବିହାର ଅଞ୍ଚଳର ଏକ ବସ୍ତିରୁ ୨ଜଣ, ବିଶେଶ୍ୱର ବସ୍ତିରୁ ଜଣେ ପଜିଟିଭ୍‌ ବାହାରିଛନ୍ତି । ଇସ୍କନ ପାଖ ବସ୍ତିରୁ ୨ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଜୁଲାଇରେ ରାଜଧାନୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଥିଲା । ଯଦିଓ ଅଗଷ୍ଟରେ ଏଯାବତ୍‌ ସେଭଳି ଦ୍ରୁତ ହାରରେ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି, ତଥାପି ବସ୍ତିକୁ ନେଇ ଡର ଘାରିଲାଣି । ଅଗଷ୍ଟ ମାସର ପ୍ରଥମ ୪ ଦିନ ଭିତରେ ରାଜଧାନୀର ବିଭିନ୍ନ ବସ୍ତିରୁ ୮୬ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି ।

ଜୁଲାଇ ଶେଷ ପର୍ଯ୍ୟନ୍ତ ଯେଉଁ ସବୁ ବସ୍ତିକୁ କରୋନା ପଶିନଥିଲା, ଏବେ ସେଠାରୁ କରୋନା ପଜିଟିଭ ବାହାରିଲେଣି । କେତେକ ବସ୍ତିରେ କରୋନା ପୂର୍ବାପେକ୍ଷା ଅଧିକ ବ୍ୟାପିବାରେ ଲାଗିଛି । ଚନ୍ଦ୍ରଶେଖରପୁର ଶ୍ରମିକ ବସ୍ତିରୁ ଗତକାଲି ୩ଜଣ ସଂକ୍ରମିତ ବାହାରିଥିଲେ । ଗୌତମନଗର ବସ୍ତିରୁ ବି ୫ଜଣ ପଜିଟିଭ୍‌ ବାହାରିଥିଲେ । କ୍ୟାପିଟାଲ ହସ୍ପିଟାଲ ପାଖ ରାଧାକୃଷ୍ଣ ବସ୍ତିରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାଲିଆସାହିରୁ ନିୟମିତ ପଜିଟିଭ୍‌ ବାହାରୁଥିବାବେଳେ ତାରିଣୀ ବସ୍ତିରୁ ଗତ ୧ ତାରିଖରେ ୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏଯାବତ୍‌ ବସ୍ତିରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । କିନ୍ତୁ, ଲକ୍‌ଡାଉନ କୋହଳ ହେବା ପରେ ସଂକ୍ରମଣ ବଢ଼ିବା ଆଶଙ୍କା ଘାରିଛି । ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ବସ୍ତି ଉପରେ ବିଶେଷ ନଜର ରଖିଛି ।

   ସମ୍ବନ୍ଧିତ ଖବର


ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବଲାଙ୍ଗୀର:ଜମି ବଢିନି ଚାଷୀ ବଢିଗଲେ- କୃଷି ବିଭାଗ କହିଲା ଲକ୍‌ଡାଉନ୍ ଯୋଗୁଁ ରାଜ୍ୟ ବାହାରୁ ଫେରି ଆସିଛନ୍ତି ଚାଷୀ

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ମଙ୍ଗଳବାରରୁ ସମସ୍ତ ରୁଟ୍‌ରେ ଆରମ୍ଭ ହେବ ମୋ ବସ୍‌ ସେବା

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ