କଳିଙ୍ଗରେ ଫିଫା ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର ୨୭/୩: କିଛି ବର୍ଷ ମଧ୍ୟରେ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ହକି ଚାମ୍ପିଅନ୍ସ ଟ୍ରଫି, ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍, ଏସିଆନ୍ ବାଳିକା ରଗ୍ବୀ ଏବଂ ହକି ବିଶ୍ୱକପ୍ ଭଳି ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ବହୁ ପ୍ରଶଂସା ସାଉଁଟିଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗଢ଼ି ଉଠିଛି ଅନ୍ତର୍ଜାତୀୟ ମାନର ହକି ଏବଂ ଆଥଲେଟିକ୍ସ ଷ୍ଟାଡିୟମ । ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ୍ ମଧ୍ୟ ଆୟୋଜିତ ହୋଇ ଆସୁଛି । ଫୁଟବଲ୍ରେ ମଧ୍ୟ ଓଡ଼ିଶା ପଛରେ ପଡ଼ିନି । ନିକଟରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ମହିଳା ଗୋଲ୍ଡ କପ୍ । ପୁଣି ଆଗକୁ ଫିଫାର ଏକ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି । ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍-୨୦୨୦ ଆୟୋଜନ ଅଧିକାର ଭାରତକୁ ମିଳିଛି । ୨୦୧୭ରେ ୧୭ ବର୍ଷରୁ କମ୍ ପୁରୁଷ ଫିଫା ବିଶ୍ୱକପ୍କୁ ଭାରତ ବେଶ ସଫଳତାର ସହ ଆୟୋଜନ କରିଥିଲା । ଆୟୋଜନକୁ ଫିଫା ଭୂୟସୀ ପ୍ରଶଂସା କରିଥିଲା ।
ଆଗାମୀ ୨୦୨୦ ମହିଳା ବିଶ୍ୱକପ୍ ପାଇଁ ୬ ଭେନ୍ୟୁ ରହିବ । ଯେଉଁଥିରେ ଭୁବନେଶ୍ୱର ଗୋଟିଏ ପ୍ରମୁଖ ଭେନ୍ୟୁ ଭାବେ ସ୍ଥାନ ପାଇଛି । ଯଦିଓ ଭେନ୍ୟୁ ଓ କ୍ରୀଡ଼ାସୂଚୀ ଫିଫା ପକ୍ଷରୁ ଘୋଷଣା କରାଯାଇ ନାହିଁ । ବିଶ୍ୱକପ୍ (୨୦୨୦)ରେ ୧୬ଟି ଦଳ ଅଂଶ ଗ୍ରହଣ କରିବେ । ମୋଟ୍ ୬ଟି ଭେନ୍ୟୁରେ ମ୍ୟାଚ୍ ଖେଳାଯିବ । ଦେଶର ପ୍ରମୁଖ ସହର ଗୁଡ଼ିକ ଏହି ଭେନ୍ୟୁ ଦୌଡ଼ରେ ରହିଛନ୍ତି । ତେବେ ୬ଟି ଭେନ୍ୟୁ ମଧ୍ୟରୁ ଭୁବନେଶ୍ୱର ଗୋଟିଏ ଭେନ୍ୟୁ ରହିଛି । ରାଜ୍ୟ କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ପୂର୍ବ ସୂଚନା ଅନୁସାରେ, ବିଶ୍ୱକପ୍ ଆୟୋଜନ ନେଇ ଆମେ ପ୍ରସ୍ତୁତ ରହିଛୁ । ଭୁବନେଶ୍ୱରକୁ ଭେନ୍ୟୁ କରାଯିବା ସଂପର୍କରେ ଆମେ ଆମର ସମ୍ମତି ପତ୍ର ଏଆଇଏଫ୍ଏଫ୍କୁ ପଠାଇ ଦେଇଛୁ ।’ ଏଆଇଏଫ୍ଏଫ୍ ବିଡ୍ ପାଇଁ ଯେଉଁ ନିର୍ଦ୍ଦିଷ୍ଟ ଭେନ୍ୟୁ ଚୂଡ଼ାନ୍ତ କରିଥିଲା ସେଥିରେ ଭୁବନେଶ୍ୱର ସାମିଲ ରହିଛି । ଭାରତ ପୂର୍ବରୁ ୨୦୧୭ରେ ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ୍ (ପୁରୁଷ) ଆୟୋଜନ କରି ବେଶ ପ୍ରଶଂସିତ ହୋଇଥିଲା ।
ମୋଟ୍ ୮ଟି ଭେନ୍ୟୁରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦେଶର ପ୍ରମୁଖ ସହର ଗୁଡ଼ିକ ଏହି ଭେନ୍ୟୁ ତାଲିକାରେ ରହିଥିଲେ । ଏହି ବିଶ୍ୱକପ୍ ପାଇଁ କେନ୍ଦ୍ର ସରକାର ସେତେବେଳେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଫିଫା ପକ୍ଷରୁ ମଧ୍ୟ ୮୦ରୁ ୮୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଭୁବନେଶ୍ୱରରେ ଗତବର୍ଷ ହକି ବିଶ୍ୱକପ୍ ଆୟୋଜିତ ହୋଇଥିଲା । ଯାହା ଭୁବନେଶ୍ୱରକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ଦେଇଛି । ଚମତ୍କାର ଉଦ୍ଘାଟନୀ ଉତ୍ସବ ସାଙ୍ଗକୁ ଆୟୋଜନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ । ଏଥିପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିଥିଲେ । ଫୁଟବଲ୍ ଆୟୋଜନ ସୁଯୋଗ ମିଳିଲେ ଓଡ଼ିଶା ସେମିତି କିଛି ଚମତ୍କାର କରି ନିଶ୍ଚିତ ଦେଖାଇବ ।