ଅକ୍ଟୋବର ୧୮ ସୁଦ୍ଧା ସରିବ ଶୁଣାଣି: ନଭେମ୍ବର୧୭ର ସୁଦ୍ଧା ଅଯୋଧ୍ୟା ମାମଲାର ଚୂଡାନ୍ତ ରାୟ!

ନୂଆଦିଲ୍ଲୀ ୧୯/୯: ବର୍ଷ ବର୍ଷ ଧରି ଗଡ଼ିଚାଲିଥିବା ଅଯୋଧ୍ୟା ଜମି ବିବାଦ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ନେଇ ଆଶା ଉଜ୍ଜୀବିତ ହୋଇଛି । ଏଥିପାଇଁ ଆଉ ହୁଏତ ବେଶିଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସମ୍ଭବତଃ ଚଳିତବର୍ଷ ନଭେମ୍ବରରେ ହିଁ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇପାରେ । ବୁଧବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ପକ୍ଷରୁ ଯେଉଁ ଆଭିମୁଖ୍ୟ ପ୍ରକାଶ ପାଇଛି, ସେଥିରୁ ଏହା ସ୍ପଷ୍ଟ ହେବାରେ ଲାଗିଛି ।

ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ଜମି ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ ପାଞ୍ଚଜଣିଆ ସମ୍ବିଧାନ ପୀଠରେ ଶୁଣାଣି ଚାଲିଥିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇ ଅକ୍ଟୋବର ୧୮ ସୁଦ୍ଧା ସମସ୍ତ ଯୁକ୍ତି ଉପସ୍ଥାପନ ଶେଷ ପାଇଁ ସମସ୍ତ ପକ୍ଷଙ୍କୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ, ଶୁଶାଣି ଅବଧିକୁ ଆଉ ଅଧିକ ଦିନ ବଢ଼ାଇବା ନାହିଁ । ଏହାକୁ ଯେତେଶୀଘ୍ର ଶେଷ କରାଯିବ, ସେତେ ଭଲ ହେବ । ମାମଲା ସହ ଜଡ଼ିତ ପକ୍ଷମାନଙ୍କର ଯେଉଁ ଯୁକ୍ତି ଉପସ୍ଥାପନ ବାକି ରହିଛି, ତାହାକୁ ସେମାନେ ଅକ୍ଟୋବର ୧୮ ସୁଦ୍ଧା ଶେଷ କରନ୍ତୁ । ଆବଶ୍ୟକ ପଡ଼ିଲେ ପୁଣି ମଧ୍ୟସ୍ଥତା ରାସ୍ତା ଆପଣାଇହେବ । ସମାନ୍ତରାଳ ଭାବେ ଏହାର ଉପଯୋଗ କରାଯାଇ ପାରିବ । କିନ୍ତୁ ଏଥିପାଇଁ ଦୈନନ୍ଦିନ ଶୁଣାଣି ପ୍ରଭାବିତ ହେବା ଉଚିତ ନୁହେଁ ।

ଉଭୟ ପକ୍ଷର ଓକିଲ ରାଜୀବ ଧାୱନ ଏବଂ ସିଏସ୍‌ ବୈଦ୍ୟନାଥଙ୍କ ଦ୍ୱାରା ଦିଆଯାଇଥିବା ଏକ ସମ୍ଭାବ୍ୟ ଅବଧି ଉପରେ ଜଷ୍ଟିସ୍‌ ଗୋଗୋଇ କହିଲେ, ଅଯୋଧ୍ୟା ମାମଲାର ଶୁଣାଣି ଚଳିତବର୍ଷ ଅକ୍ଟୋବର ୧୮ ପର୍ଯ୍ୟନ୍ତ ଶେଷ ହୋଇଯିବ ବୋଲି ଆଶା କରାଯାଉଛି । ତେଣୁ ଏହି ଅବଧି ସୁଦ୍ଧା ସମସ୍ତ ପକ୍ଷ ସେମାନଙ୍କର ଯୁକ୍ତି ଉପସ୍ଥାପନ ପ୍ରକ୍ରିୟାକୁ ଶେଷ କରନ୍ତୁ । ଆବଶ୍ୟକ ପଡ଼ିଲେ ସେମାନଙ୍କ ଯୁକ୍ତି ଉପରେ ଶନିବାର ମଧ୍ୟ ଶୁଣାଣି କରାଯାଇ ପାରିବ ।

ଅକ୍ଟୋବର ୧୮ ସୁଦ୍ଧା ଯୁକ୍ତି ଉପସ୍ଥାପନ ଏବଂ ଶୁଣାଣି ଶେଷ ହେବା ଆବଶ୍ୟକ । ଏଭଳି ହେଲେ ମାମଲାର ରାୟ ଲେଖିବାକୁ ଉପଯୁକ୍ତ ସମୟ ମିଳିବ । ଜଷ୍ଟିସ୍‌ ଗୋଗୋଇ ଏହା କହିବା ପରେ ଚଳିତମାସ ୨୭ ତାରିଖ ପର୍ଯ୍ୟନ୍ତ ମୁସଲିମ ପକ୍ଷ ନିଜ ଯୁକ୍ତି ଉପସ୍ଥାପନ ପ୍ରକ୍ରିୟା ଶେଷ କରିବ ବୋଲି କହିଥିଲା । ଏହାପରେ ଜବାବ-ସୁଆଲ୍‌ ପାଇଁ ଆଉ ୨ ଦିନ ସମୟ ଲାଗିବ ବୋଲି ହିନ୍ଦୁ ପକ୍ଷ କହିବା ପରେ ମୁସଲିମ ପକ୍ଷ ଓକିଲ ଧାୱନ କହିଥିଲେ ଆମକୁ ବି ଏଥିପାଇଁ ୨ ଦିନ ଲାଗିବ ।

ତେଣୁ ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନ ଶେଷ ହେବାର ୪ ଦିନ ପର୍ଯ୍ୟନ୍ତ ଜବାବ-ସୁଆଲ ଚାଲିବ ।ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇ କହିଛନ୍ତି, ଇତିମଧ୍ୟରେ ମଧ୍ୟସ୍ଥତା ପ୍ରସଙ୍ଗରେ ଆମ ପାଖକୁ ଚିଠି ଆସିଛି । ତେବେ ଏଥିପାଇଁ କୌଣସି ସମସ୍ୟା ନାହିଁ । ମଧ୍ୟସ୍ଥତା ପ୍ରକ୍ରିୟାର ସାହାଯ୍ୟ ବି ନିଆଯାଇ ପାରିବ । କିନ୍ତୁ ଦୈନନ୍ଦିନ ଶୁଣାଣି ଏବଂ ମଧ୍ୟସ୍ଥତା ପ୍ରକ୍ରିୟା ଉଭୟ ସମାନ୍ତରାଳ ଭାବେ ଗତି କରିବା ଆବଶ୍ୟକ । କୌଣସିମତେ ଦୈନନ୍ଦିନ ଶୁଣାଣି ପ୍ରଭାବିତ ହେବା ଉଚିତ ନୁହେଁ ବୋଲି ସେ ଦର୍ଶାଇଥିଲେ ।

ଉଲ୍ଲେଖଯୋଗ୍ୟ, ମଧ୍ୟସ୍ଥତା କମିଟି ସହ ଆଉଥରେ କଥାବାର୍ତ୍ତା କରି ମାମଲାର ସମାଧାନ ପାଇଁ ଉଦ୍ୟମ କରିବା ବାବଦରେ ସୁନ୍ନି ୱାକଫ ବୋର୍ଡ ଏବଂ ନିର୍ମୋହି ଆଖଡ଼ା ପକ୍ଷରୁ ଆଗ୍ରହ ପ୍ରକାଶ ପାଇଛି । ଏ ନେଇ ସେମାନେ କମିଟିକୁ ଜଣାଇବା ପରେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏଫ୍‌ ଏମ୍‌ କଲିଫୁଲ୍ଲା ସୁପ୍ରିମକୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠଙ୍କୁ ଚିଠି ଲେଖିଥିଲେ । କଲିଫୁଲ୍ଲା କମିଟିର ମୁଖ୍ୟ ରହିଛନ୍ତି । ତେବେ ଏ ବାବଦରେ ସୁପ୍ରିମକୋର୍ଟ କହିଛନ୍ତି, ଏଭଳି ଉଦ୍ୟମ କରାଯିବା ନେଇ କୌଣସି ଅସୁବିଧା ନାହିଁ ।

ମାମଲାର ଶୁଣାଣି କରୁଥିବା ୫ ଜଣିଆ ସମ୍ବିଧାନ ପୀଠରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇଙ୍କ ବ୍ୟତୀତ ବିଚାରପତି ଏସ୍‌ ଏ ବୋବଡ଼େ, ଡି ୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌ ଏ ନାଜିର ରହିଛନ୍ତି । କୁହାଯାଉଛି ଯେ ଅକ୍ଟୋବର ୧୮ ସୁଦ୍ଧା ଅଯୋଧ୍ୟା ମାମଲାର ଶୁଣାଣି ଶେଷ ହେବା ପରେ ରାୟ ଲେଖିବା ପାଇଁ ପାଖାପାଖି ୧ ମାସ ସମୟ ଲାଗିବ । ତେଣୁ ନଭେମ୍ବର ମାସରେ ଏହି ସମ୍ବେଦନଶୀଳ ମାମଲାର ଚୂଡ଼ାନ୍ତ ରାୟ ଆସିପାରେ ।

ଏହାବ୍ୟତୀତ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇ ନଭେମ୍ବର ୧୭ରେ ଅବସର ନେବାକୁ ଯାଉଛନ୍ତି । ତେଣୁ ଅବସର ପୂର୍ବରୁ ସେ ଐତିହାସିକ ଅଯୋଧ୍ୟା ମାମଲାର ରାୟ ପ୍ରକାଶ କରିବାକୁ ଆଗ୍ରହ ଦେଖାଇବେ । ଏମିତି କି ଦୈନନ୍ଦିନ ଶୁଣାଣିକୁ ପ୍ରତିଦିନ ୧ ଘଣ୍ଟା ବଢ଼ାଇବା ସହଆବଶ୍ୟକ ପଡ଼ିଲେ ଶନିବାର ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ ସମ୍ବିଧାନ ପୀଠ କହିଛନ୍ତି । ତେଣୁ ନଭେମ୍ବରରେ ହିଁ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।

   ସମ୍ବନ୍ଧିତ ଖବର


ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା

ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ