ଆଜି ସକାଳ ସାଢେ ୧୦ଟାରେ ହେବ ୭୦ ବର୍ଷର ବିବାଦର ଅନ୍ତ!

ନୂଆଦିଲ୍ଲୀ ୯/୧୧: ଦୀର୍ଘ ୭୦ ବର୍ଷ ଧରି ଭାରତର ରାଜନୈତିକ ଓ ସାମାଜିକ ଜୀବନକୁ ପ୍ରଭାବିତ କରିଆସୁଥିବା ଅଯୋଧ୍ୟା ରାମ ଜନ୍ମଭୂମି ଏବଂ ବାବ୍ରୀ ମସଜିଦ୍‌ ମାମଲାର ରାୟ ଆଜି ସକାଳ ୧୦ଟା ୩୦ରେ ପ୍ରକାଶ ପାଇବ। ଶୁକ୍ରବାର ରାତିରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ ଦ୍ୱାରା ଏହି ସୂଚନା ଦିଆଯାଇଛି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଦେବେ । ଉକ୍ତ ଖଣ୍ଡପୀଠରେ ବିଚାରପତି ଏସ ଏ ବୋବଡେ, ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ବିଚାରପତି ଅଶୋକ ଭୂଷଣ ଏବଂ ବିଚାରପତି ଏସ୍‌ ଅବଦୁଲ ନଜିର ସଦସ୍ୟ ଅଛନ୍ତି ।

ଏହି ମାମଲାରେ ଲଗାତର ୪୦ ଦିନ ଧରି ଶୁଣାଣି କରିବା ପରେ ଗତ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ପ୍ରଧାନ ବିଚାରପତି ଗୋଗୋଇ ଚଳିତ ମାସ ୧୭ ତାରିଖରେ ଅବସର ନେବାକୁ ଯାଉଥିବାରୁ ତା’ପୂର୍ବରୁ ଏହି ରାୟ ଆସିବ ବୋଲି କୁହାଯାଉଥିଲା ଯାହା ସତ୍ୟ ପ୍ରମାଣିତ ହୋଇଛି ।

ଅଯୋଧ୍ୟା ମାମଲାରେ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ସମୁଦାୟ ୧୪ଟି ଆବେଦନ ଦାଖଲ କରାଯାଇଥିଲା । କିନ୍ତୁ ୮ ବର୍ଷ ଧରି ଏସବୁ ଉପରେ ଶୁଣାଣି ହେଉନଥିଲା। ସୁପ୍ରିମକୋର୍ଟ ଚଳିତ ବର୍ଷ ଏହି ବିବାଦର ଆପୋଷ ବୁଝାମଣା ଭିତ୍ତିରେ ସମାଧାନ କରିବା ପାଇଁ ଏକ ମଧ୍ୟସ୍ଥତା କମିଟି ଗଠନ କରିଥିଲେ । କିନ୍ତୁ ଏହି କମିଟି ଏହାର ସମାଧାନ କରିବାରେ ବିଫଳ ହୋଇଥିଲା ଯାହାଯୋଗୁ ସର୍ବୋଚ୍ଚ ଅଦାଲତ ଏହା ଉପରେ ଶୁଣାଣି କରିଥିଲେ ।

ଅଯୋଧ୍ୟା ମାମଲାରେ ରାୟ ପ୍ରକାଶ ପାଇବା ପୂର୍ବରୁ ୟୁପି ସମେତ ଦେଶର ବିଭିନ୍ନ ଭାଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଶନିବାର ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଦିଲ୍ଲୀରେ ବି ଅନୁରୂପ ଘୋଷଣା କରାଯାଇଛି । ଭୋପାଳ, ଜମ୍ମୁ ଓ ବେଙ୍ଗାଲୁରୁରେ ଆଜି ସକାଳୁ ଧାରା ୧୪୪ ଲାଗୁ କରାଯିବ ବୋଲି ସୂଚନା ଦିଆଯାଇଛି । ଅନ୍ୟ ରାଜ୍ୟର ସରକାରମାନେ ବି ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ସମ୍ବେଦନଶୀଳ ସ୍ଥାନଗୁଡିକରେ ଅବତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ସମଗ୍ର ୟୁପିରେ ଧାରା ୧୪୪ ଜାରି କରାଯାଇଛି । କେବଳ ଅଯୋଧ୍ୟାରେ ୪୦୦୦ରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଛି । ଏମିତିକି ପ୍ରଧାନ ବିଚାରପତି ଗୋଗୋଇ ନିଜେ ଆଜି ୟୁପିରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ନିଜ ଚାମ୍ବରରେ ସେ ୟୁପିର ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ସହ ଏନେଇ ଆଲୋଚନା କରିଥିଲେ । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ୯ରୁ ୧୧ ତାରିଖ ଯାଏଁ ବନ୍ଦ ରଖାଯାଇଛି ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ନିବେଦନ କରିଛନ୍ତି କି ଏହି ମାମଲାରେ ସୁପ୍ରିମକୋର୍ଟ ଆଜି ଯାହା ବି ରାୟ ଆସିବ, ତାକୁ କେହି ନିଜର ବିଜୟ କିମ୍ବା ପରାଜୟ ଭାବେ ବିବେଚନା କରିବା ଉଚିତ୍‌ ନୁହେଁ। ଏହି ରାୟ ଯେପରି ଦେଶରେ ଶାନ୍ତି, ସଦିଛା ଏବଂ ଏକତାର ଭାବନାକୁ ଆହୁରି ମଜଭୁତ କରିବ, ତାହା ଆମ୍ଭମାନଙ୍କର ପ୍ରାଥମିକତା ହେବା ଆବଶ୍ୟକ ।

   ସମ୍ବନ୍ଧିତ ଖବର


ଯେବେ ଲୋକସଭାରେ ରାହୁଲଙ୍କ ସିଟରେ କଂଗ୍ରେସର ଏହି ସାଂସଦ ଥିଲେ, ବାଚସ୍ପତି ଓମ୍ ବିର୍ଲା କହିଲେ- ରାହୁଲ ଛୁଟିରେ…

ତେଜସ୍ ପରେ ଏବେ ଦେଶରେ ଚାଲିବ ଆଉ ୧୫୦ ପ୍ରାଇଭେଟ୍ ଟ୍ରେନ୍

ଭୋଡାଫୋନ୍ ଆଣିଲା ୨୧ ଟଙ୍କିଆ ନୂଆ ପ୍ଲାନ୍, ପାଆନ୍ତୁ ଅନଲିମିଟେଡ୍ କଲିଂର ଫାଇଦା

କର୍ଣ୍ଣାଟକର ଏହି ବିଜେପି ବିଧାୟକଙ୍କ ୧୮ ମାସରେ ବଢ଼ିଛି ୧୮୫ କୋଟି ଟଙ୍କା