ମଙ୍ଗଳାଯୋଡ଼ିରେ ବିରଳ ‘ଆଲବିନୋ’ ଠାବ

ଭୁବନେଶ୍ୱର ୨/୩: ପକ୍ଷୀମାନଙ୍କ ସ୍ୱର୍ଗ ଭାବେ ପରିଚିତ ଚିଲିକା ମଙ୍ଗଳାଯୋଡ଼ିରେ ବିଶ୍ୱର ବିରଳ ଆଲବିନୋ ପର୍ପଲ ମୁର ହେନ୍‌ ପକ୍ଷୀ ଠାବ ହୋଇଛି ।

ଗୋଲାପୀ ଆଖିଥିବା ସଂପୂର୍ଣ୍ଣ ଧଳା ରଙ୍ଗର ଏହି ପକ୍ଷୀକୁ ବାର୍ଡ ଗାଇଡ୍‌ ମଧୁ ବେହେରା ଦେଖି ଫଟୋ ଉଠାଇଥିଲେ । ପରେ ସେହି ଫଟୋକୁ ମଧୁ ଖୋର୍ଦ୍ଧାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ପଠାଇଥିଲେ। ଶୁଭେନ୍ଦୁ ସେହି ଫଟୋରୁ ପକ୍ଷୀଟି ପର୍ପଲ ମୁର ହେନ୍‌ ପକ୍ଷୀର ଆଲବିନୋ ବୋଲି ନିଶ୍ଚିତ କରିଥିଲେ । ମଧୁ ବେହେରା କହିଛନ୍ତି ଯେ, ଗୋଲାପୀ ରଙ୍ଗର ଆଖି ସହ ଏପରି ଧଳା ପକ୍ଷୀଟି ଅନ୍ୟ ପର୍ପଲ ମୁର ହେନ୍‌ଙ୍କ ସହ ଦେଖି ସେ ଫଟୋ ଉଠାଇଥିଲେ । ଜେନେଟିକ୍‌ ମ୍ୟୁଟେସନ ହେତୁ ଶରୀରରେ ମେଲାନିନ୍‌ ପିଗମେଣ୍ଟର ଅଭାବ ହେତୁ ପ୍ରାଣୀମାନଙ୍କ ଠାରେ ଆଲବିନିଜମ ଦେଖା ଯାଇଥାଏ । ଏହି ପ୍ରାଣୀମାନେ ପ୍ରାୟତଃ ସଂପୂର୍ଣ୍ଣ ଧଳା । ହେଲେ ଆଖି ଉଜ୍ଜ୍ୱଳ ଗୋଲାପୀ କିମ୍ବା ଲାଲ ହୋଇଯାଏ ।

ପର୍ପଲ ମୁର ହେନ୍‌କୁ ଓଡ଼ିଆରେ କାମ ପକ୍ଷୀ ବୋଲି କୁହାଯାଏ । ଯାହାର ବୈଜ୍ଞାନିକ ନାମ (ପୋଫିରିଓ ପୋଫିରିଓ) । ମଙ୍ଗଳାଯୋଡ଼ିରେ ଏମାନେ ଏକ ରେସିଡେଣ୍ଟ୍‌ ପକ୍ଷୀ ଏବଂ ବହୁଳ ସଂଖ୍ୟାରେ ଦେଖାଯାଆନ୍ତି । କିନ୍ତୁ ଆଲବିନୋ କାମ ପକ୍ଷୀ ପ୍ରଥମଥର ଲାଗି ମଙ୍ଗଳାଯୋଡ଼ରେ ଦେଖା ଯାଇଛି । ଏକ ସାଧାରଣ କାମ ପକ୍ଷୀର ଶରୀର ବାଇଗଣୀ ନୀଳ ରଙ୍ଗ ହେବା ସହ ଲମ୍ବା, ଗୋଡ଼ ଏବଂ ଥଣ୍ଟ ନାଲି ରଙ୍ଗର ହୋଇଥାଏ । କିନ୍ତୁ ମଧୁ ଠାବ କରିଥିବା କାମ ପକ୍ଷୀଟିର ଶରୀର ସଂପୂର୍ଣ୍ଣ ଧଳା ରଙ୍ଗର ହୋଇଛି ।

ଶୁଭେନ୍ଦୁ ମଲ୍ଲିକଙ୍କ କହିବା ଅନୁଯାୟୀ, ଏହି ଆଲବିନୋ ପକ୍ଷୀର ପର୍ଯ୍ୟଟନ ମୂଲ୍ୟ ରହିଛି । ଆଗାମୀ ଦିନରେ ପର୍ଯ୍ୟଟକମାନେ ଖାସ୍‌ ଏହି ବିରଳ ଆଲବିନୋ କାମ ପକ୍ଷୀଟିକୁ ଦେଖିବା ପାଇଁ ଆସିବେ । ତେବେ ଏହି ବିରଳ ଆଲବିନୋ କାମ ପକ୍ଷୀ ପାଇଁ ସଂରକ୍ଷଣ ଦିଗ ଏତେ ଉଜ୍ଜ୍ୱଳ ନୁହେଁ । କାରଣ ସମାନ ପ୍ରଜାତିର ଅନ୍ୟ ପକ୍ଷୀମାନଙ୍କ ତୁଳନାରେ ଆଲବିନୋ ପକ୍ଷୀମାନଙ୍କର ସ୍ୱଳ୍ପ ଆୟୁଷ ରହିଥାଏ । ଜୀବନ୍ତ ଧଳା ରଙ୍ଗ ପାଇଁ ସେମାନେ ସହଜରେ ଶିକାରୀଙ୍କ ନିକଟରେ ଧରାପଡ଼ିବା ଭୟ ଥାଏ ବୋଲି ଶୁଭେନ୍ଦୁ କହିଛନ୍ତି ।

ଓଡ଼ିଶାର ଅନ୍ୟତମ ପକ୍ଷୀ ବିଶାରଦ ତଥା ସେଞ୍ଚୁରିଆନ୍‌ ୟୁନିଭରସିଟିର ଆସୋସିଏଟ୍‌ ପ୍ରଫେସର ଡା. ଶିବ ପ୍ରସାଦ ପରିଡ଼ା, ଯିଏକି ବିଗତ ୧୦ ବର୍ଷ ଧରି ଚିଲିକା ପକ୍ଷୀଗଣନାରେ ସାମିଲ ରହି ଆସୁଛନ୍ତି, ସେ ମଧ୍ୟ ଏହି ଆଲବିନୋ ପର୍ପଲ ମୁର ହେନ୍‌ ବିଶ୍ୱର ବିରଳ ପକ୍ଷୀ ବୋଲି ସୂଚନା ଦେଇଛନ୍ତିି । ଏଠାରେ ସୂଚନା ଥାଉକି, ଫେବ୍ରୁଆରୀ ୨ରେ ଚିଲିକା ମଙ୍ଗଳାଯୋଡ଼ିରେ ବିରଳ ଅଷ୍ଟ୍ରେଲିଆନ୍‌ ଷ୍ଟିଲ୍ଟ ପକ୍ଷୀ ଦେଖିବାକୁ ମିଳିଥିଲା । ବାର୍ଡ ଗାଇଡ୍‌ ମଧୁ ବେହେରା ଉକ୍ତ ଅଷ୍ଟ୍ରେଲିଆନ୍‌ ଷ୍ଟିଲ୍ଟ ପକ୍ଷୀର ଫଟୋ ଉଠାଇଥିଲେ ।

   ସମ୍ବନ୍ଧିତ ଖବର


ପୁଣି କଳା ପଲସର ଆତଙ୍କ : ଗୁଳି ଫୁଟାଇ ଭୁଜାଲିରେ ହାଣି ଲୁଟିନେଲେ ୯ ଲକ୍ଷ ଟଙ୍କା

ଉଗ୍ରରୂପ ନେଲା ପାରିବାରିକ କଳହ : ହତ୍ୟା ପରେ ଯୁବକଙ୍କୁ ସ୍ତ୍ରୀ ଏବଂ ପୁଅ-ଝିଅ ପୋଡି ଦେଇଥିବା ଅଭିଯୋଗ

ବର୍ଷକ ତଳର ମୃତ ଝିଅକୁ ଜୀବିତ ଘୋଷଣା କଲା ସିଡବ୍ଲ୍ୟୁସି

ବୋଲେରୋ ଗାଡିରୁ ୧୧ ବସ୍ତା ଗଞ୍ଜେଇ ଜବତ : ଡ୍ରାଇଭର ଓ ହେଲ୍‌ପର ଫେରାର୍

ଅଜଣା ଗାଡି ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ନଳକୂଅ ଖୋଳା ବେଳେ ଅଘଟଣ: ୩୦ ଫୁଟ୍‌ ଉପରକୁ ଉଠିଲା ଗରମ ବାଲି ଓ ପାଣି, ଭୂମିକମ୍ପ ଭଳି ଦୋହଲିଲା ମାଟି