ଷ୍ଟେଜରେ ଅଶ୍ଲୀଳ ନୃତ୍ଯ ନେଇ ଯାତ୍ରା ପାର୍ଟି ମାଲିକ ଓ କଳାକାରଙ୍କ ବିରୋଧରେ ଏତଲା: ଖଣ୍ଡଗିରି ଥାନାରେ ଏତଲା ଦେଲା କଳିଙ୍ଗ ସେନା

ଭୁବନେଶ୍ୱର ୨୫/୨: ଯାତ୍ରା ପାର୍ଟି ମାଲିକ ଓ କଳାକାରଙ୍କ ବିରୋଧରେ ଏତଲା । ଯାତ୍ରା ପେଣ୍ଡାଲରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ ନେଇ ଯାତ୍ରା ପାର୍ଟି ମାଲିକ ଓ କଳାକାରଙ୍କ ବିରୋଧରେ ଏତଲା ଦେଲା କଳିଙ୍ଗ ସେନା । ଖୋଲା ମଞ୍ଚରେ ଅଶ୍ଲୀଳ ନୃତ୍ୟ ହେଉଥିବା ନେଇ ଖଣ୍ଡଗିରି ଥାନାରେ କଳିଙ୍ଗ ସେନା ସୋମବାର ଏତଲା ଦେଇଛି ।
ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ପଡିଛି ଅନେକ ଗଣନାଟ୍ଯ । ସେଗୁଡିକ ମଧ୍ୟରୁ ସଚ୍ଚିଦାନନ୍ଦ ଗଣନାଟ୍ୟର ଜଣେ ମହିଳା କଳାକାର ଗତ ୨ ଦିନ ତଳେ ଷ୍ଟେଜରେ ନୃତ୍ଯ କରୁଥିବା ସମୟରେ ପୋଷାକ ଖୋଲିଦେଇଥିଲେ । ମହିଳା କଳାକାର ଜଣକ ଯାତ୍ରା ଦୁନିଆରେ ରାନୀ ନାମରେ ବେଶ୍ ପରିଚିତ । ତାଙ୍କର ଏହି ଅଶୋଭନୀୟ ଆଚରଣ ଓ ଅଶ୍ଲୀଳ ନୃତ୍ଯ ସମସ୍ତଙ୍କୁ ଚକିତ କରିଥିଲା । ଏହି ଘଟଣାକୁ ସବୁ ମହଲରେ ତୀବ୍ର ନିନ୍ଦା କରାଯାଇଥିଲା । କାରଣ ଯାତ୍ରା ଦେଖିବା ପାଇଁ ଦର୍ଶକ ସପରିବାରେ ଯାଇଥିଲେ । ଦର୍ଶକଙ୍କ ମଧ୍ୟରେ ଅନେକ ଛୋଟ ପିଲା ମଧ୍ଯ ଥିଲେ । ତେବେ ସେତିକି ନୁହେଁ ଗତକାଲି ପୁଣି ଦେଖିବାକୁ ମିଳିଥିଲା ରାନୀଙ୍କ ଉନ୍ମତ୍ତ କାଣ୍ଡ । ଜଣେ ଦର୍ଶକଙ୍କ କାନ କାମୁଡି ଛିଡେଇବା ସହିତ ପୁଣି ଡ୍ରେସ୍ ଖୋଲିଥିଲେ ଏହି ଯାତ୍ରା କଳାକାର ।
ଏହି ଘଟଣା ଆଜି ସବୁ ମିଡିଆ ସହିତ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଖୋଲାମଞ୍ଚରେ ଏପରି ନୃତ୍ଯକୁ ବିରୋଧ କରିବା ସହିତ ସମସ୍ତେ ଏହାକୁ ବନ୍ଦ କରିବା ପାଇଁ ଦାବି କରୁଛନ୍ତି । ତେବେ ଯାତ୍ରା ଦୁନିଆରେ ଏପରି ବ୍ୟବହାର ଓ ଅଶ୍ଲୀଳତା ନେଇ ସୋମବାର ଥାନାରେ ଏତଲା ଦେଇଛି କଳିଙ୍ଗ ସେନା ।