ଦିଲ୍ଲୀ ଏମ୍ସ ଅପରେସନ୍ ଥିଏଟରରେ ଅଗ୍ନିକାଣ୍ଡ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ,୨୪।୩: ରାଜଧାନୀ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ ତଥା ଏମ୍ସର ଟ୍ରାମା ସେଣ୍ଟରରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି। ଅଗ୍ନିକାଣ୍ଡ ଖବର ମିଳିବା ମାତ୍ରେ ଅଗ୍ନିଶମ ବିଭାଗର ୨୦ଟି ଦମକଳ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିପଡିଥିଲେ। ଏଥିରେ କେହି ମୃତାହତ ହେବାର ଖବର ବର୍ତ୍ତମାନ ସୁଦ୍ଧା ମିଳିନାହିଁ।

ଏମ୍ସ ଟ୍ରାମା ସେଣ୍ଟରରେ ପ୍ରଥମ ମହଲାରେ ଥିବା ଅପରେସନ୍ ଥିଏଟରରେ ଅଗ୍ନିକାଣ୍ଡ ହୋଇଥିବାର ସୂଚନା ମିଳିଛି। ତେଣୁ ରୋଗୀଙ୍କୁ ସ୍ଥାନାନ୍ତର କରିବାର କାର୍ଯ୍ୟ ପ୍ରଥମେ ଆରମ୍ଭ କରି ଦିଆଯାଇଥିଲା। ସନ୍ଧ୍ୟା ୬ଟା ୧୨ ମିନିଟରେ ଏମ୍ସର ଟ୍ରାମା ସେଣ୍ଟରୁ ଧୂଆଁ ବାହାରୁ ଥିବାର ଦେଖିବାକୁ ମିଳିଥିଲା। ଘଟଣାର ସୂଚନା ମିଳିବାପରେ ତୁରନ୍ତ ଦମକଳ ବିଭାଗକୁ ସୂଚନା ଦିଆଯାଇଥିଲା।