କଟକ ଟେଲିଫୋନ୍‌ ଭବନରେ ଭୟାବହ ଅଗ୍ନିକାଣ୍ଡ; ବିଏସ୍‌ଏନ୍‌ଏଲ୍‌ ଅଚଳ,୧୫ ଲକ୍ଷ ମୋବାଇଲ୍‌ ଅକାମୀ

କଟକ ୨୧/୯: କଟକ ବଜ୍ରକବାଟୀ ରୋଡ୍‌ସ୍ଥିତ ବିଏସ୍‌ଏନ୍‌ଏଲ୍‌ ଟେଲିଫୋନ୍‌ ଭବନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଥିବା ବିଏସ୍‌ଏନ୍‌ଏଲ୍‌ର ମୁଖ୍ୟ ବା ସେଣ୍ଟ୍ରାଲ୍‌ ଏକ୍ସଚେଞ୍ଜ୍‌ ଜଳିଯିବା ଯୋଗୁଁ ବିଏସ୍‌ଏନ୍‌ଏଲ୍‌ର ପ୍ରାୟ ସମସ୍ତ ପ୍ରକାର ସେବା ଅଚଳ, ଅକାମୀ ହୋଇପଡ଼ିଛି । ଲକ୍ଷ ଲକ୍ଷ ମୋବାଇଲ୍‌ ଫୋନ୍‌, ଲ୍ୟାଣ୍ଡ୍‌ଲାଇନ୍‌ ଫୋନ୍‌ ଏବଂ ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଟରନେଟ୍‌ ସେବା ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି ।

ଖାଲି କଟକ ନୁହେଁ, କଟକ ସମେତ ପ୍ରାୟ ୧୦ଟି ଜିଲ୍ଲାରେ ବିଏସ୍‌ଏନ୍‌ଏଲ୍‌ର ସେବା ସଂପୂର୍ଣ୍ଣ ବା ଆଂଶିକ ପ୍ରଭାବିତ ହୋଇଛି । ଏସବୁ ସେବା ପୁନଃ ସ୍ଥାପିତ ହେବାକୁ ଅତି କମ୍‌ରେ ଆହୁରି ୨୪ ଘଣ୍ଟା ସମୟ ଲାଗିବ ବୋଲି ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଅଗ୍ନିକାଣ୍ଡରେ ଏକ୍ସଚେଞ୍ଜ କୋଠାର ବିଦ୍ୟୁତ୍‌ ଯୋଗାଣ ହେଉଥିବା କେବୁଲ୍‌ ପୋଡ଼ି ଯାଇଥିବାରୁ ସେଠାକାର ସବୁ କଂଟ୍ରୋଲ୍‌ ରୁମ୍‌ ଠପ୍‌ ହୋଇଯାଇଛି । ଏହି କୋଠାରେ ମୋବାଇଲ୍‌ ସେବା, ଫାଇବର୍‌ ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଟରନେଟ୍‌, ଟେଲିଫୋନ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ଓ ଲ୍ୟାଣ୍ଡ୍‌ଲାଇନ୍‌ ଫୋନ୍‌ର ସମସ୍ତ ଟେକ୍ନିକାଲ୍‌ ଯନ୍ତ୍ରାଂଶ କାମ କରିଥାଏ । ବିଦ୍ୟୁତ୍‌ ଯୋଗାଣ ବନ୍ଦ ଥିବାରୁ ଏହି ସବୁ ସେବା ସଂପୂର୍ଣ୍ଣ ଅଚଳ ହୋଇଯାଇଛି ।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, କଟକ ହେଉଛି ଉପକୂଳ ଜିଲ୍ଲାମାନଙ୍କର ଏକ ମୁଖ୍ୟ ଏକ୍ସଚେଞ୍ଜ । ଏହା ଉପରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଭଳି ପ୍ରାୟ ୧୦ଟି ଜିଲ୍ଲାର ବିଏସ୍‌ଏନ୍‌ଏଲ୍‌ ସେବା ନିର୍ଭର କରିଥାଏ । ଖାସ୍‌କରି ଏହି ସବୁ ଜିଲ୍ଲାର ମୋବାଇଲ୍‌ ସେବା କଟକର ମୁଖ୍ୟ ଏକ୍ସଚେଞ୍ଜ ଉପରେ ନିର୍ଭର କରେ । ତେଣୁ ଏହି ଜିଲ୍ଲାରେ କାମ କରୁଥିବା ପ୍ରାୟ ୧୪ରୁ ୧୫ ଲକ୍ଷ ବିଏସ୍‌ଏନ୍‌ଏଲ୍‌ ମୋବାଇଲ୍‌ ଆଜି ମଧ୍ୟାହ୍ନରୁ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି । ଏହାଛଡ଼ା କଟକରେ ଥିବା ପ୍ରାୟ ୪୦ ହଜାର ଲ୍ୟାଣ୍ଡ୍‌ଲାଇନ୍‌ ଫୋନ୍‌, ୧୬ ହଜାର ଫାଇବର ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଟରନେଟ୍‌ ଓ ପ୍ରାୟ ୮ ହଜାର ଲ୍ୟାଣ୍ଡ୍‌ଲାଇନ୍‌ ଇଣ୍ଟରନେଟ୍‌ ସଂଯୋଗ ବନ୍ଦ ରହିଛି ।

ଏପରିକି ଉକ୍ତ କୋଠାରେ ଲଙ୍ଗ୍‌ ଡିସ୍‌ଟାନ୍ସ କଲ୍‌ ବା ଏସ୍‌ଟିଡି ଓ ଆଇଏସ୍‌ଡିର ଯନ୍ତ୍ରାଂଶ କାମ କରୁଥିବାରୁ ଅନ୍ୟ ଜିଲ୍ଲାର ଲ୍ୟାଣ୍ଡ୍‌ଫୋନ୍‌ ଉପଭୋକ୍ତା ଏବେ ଏସ୍‌ଟିଡି କଲ୍‌ ମଧ୍ୟ କରିପାରିବେନି । ଏହି ସବୁ ସେବାକୁ ଚାଲୁ କରିବା ପାଇଁ ଶନିବାର ସକାଳୁ ମରାମତି କାମ ଆରମ୍ଭ ହେବ । ପ୍ରଥମେ ପୋଡ଼ିଯାଇଥିବା କେବୁଲ୍‌ ବଦଳାଯିବ । ପରେ ସବୁ କୋଠରୀରେ ଡ୍ରାୟର ବା ଗରମ ପବନ ମରାଯିବ । ଏହା ପରେ ଧିରେ ଧିରେ ମୋବାଇଲ୍‌ ସିଷ୍ଟମ୍‌କୁ ମଧ୍ୟ ଆରମ୍ଭ କରାଯିବ ବୋଲି କଟକ ଟେଲିକମ୍‌ ସର୍କଲର ଜିଏମ୍‌ ହରିଶ ମହାନ୍ତି ସୂଚନା ଦେଇଛନ୍ତି । ଏଣୁ ଅତି କମ୍‌ରେ ଦୁଇରୁ ତିନି ଦିନ ଏବେ ମରାମତି ପାଇଁ ଲାଗିବ ବୋଲି ଅନୁମାନ କରାଯାଉଛି ।

ଶୁକ୍ରବାର ଦିନ ପ୍ରାୟ ୧୧ଟା ୪୫ରେ ଟେଲିଫୋନ୍‌ ଭବନ ପରିସରରେ କାର୍ଯ୍ୟରତ କର୍ମଚାରୀମାନେ ପ୍ଲାଷ୍ଟିକ୍‌ ଜିନିଷ ପୋଡି ଦୁର୍ଗନ୍ଧ ହେଉଥିବା ବାରିଥିଲେ । ବଜ୍ରକବାଟି ରୋଡ୍‌ରେ ଥିବା ବିଏସ୍‌ଏନ୍‌ଏଲ୍‌ର ମୁଖ୍ୟ ଏକ୍ସଚେଞ୍ଜ କାମ କରୁଥିବା କୋଠାର ତୃତୀୟ ମହଲାରେ ନିଆଁ ଲାଗିଯାଇଥିଲା । ଲୋକାଲ୍‌ ଏକ୍ସଚେଞ୍ଜ କାମ କରୁଥିବା ଏହି ତୃତୀୟ ମହଲାର ବିଦ୍ୟୁତ୍‌ ସପ୍ଲାଏର ମୁଖ୍ୟ କେବୁଲ୍‌ରେ ନିଆଁ ଲାଗିଯାଇଥିଲା । ପରେ ପରେ ଏହି ନିଆଁ ଦ୍ୱିତୀୟ ଓ ପ୍ରଥମ ମହଲାକୁ ବ୍ୟାପି ଯାଇଥିଲା ।

କେବୁଲ୍‌ଗୁଡ଼ିକ ଯେଉଁ ସବୁ ମହଲା ବା କୋଠରୀକୁ ଯାଇଛି, ସେହି ରୁମ୍‌କୁ ନିଆଁ ମାଡ଼ିମାଡ଼ି ଚାଲିଲା । ଅଳ୍ପ କିଛି ସମୟ ଭିତରେ ପାୱାର ପ୍ଲାଣ୍ଟ୍‌ ଏବଂ କଣ୍ଟ୍ରୋଲ୍‌ ରୁମ୍‌ ସମେତ ଅନ୍ୟନ୍ୟ ପ୍ରକୋଷ୍ଠ ପୂରା ଧୂଆଁମୟ ହୋଇଯାଇଥିଲା । କେବୁଲ୍‌ ପୋଡ଼ା ଗନ୍ଧ ସାଙ୍ଗକୁ ଧୂଆଁ ଦେଖି କର୍ମଚାରୀମାନେ ଆତଙ୍କିତ ହୋଇପଡିଥିଲେ । ପ୍ରାଣ ବିକଳରେ ଯିଏ ଯେଉଁଠି ଥିଲେ ଏକମୁହାଁ ହୋଇ ତଳକୁ ଧାଇଁଥିଲେ । ଧାଁଦୌଡ଼ ଭିତରେ କେତେକ କର୍ମଚାରୀ ମୂର୍ଚ୍ଛା ହୋଇପଡ଼ିଥିଲେ । ୪ ମହଲାରୁ ଧୂଆଁ ଅନ୍ୟଆଡ଼କୁ ବ୍ୟାପିବାରୁ ସମସ୍ତେ ଭୟଭୀତ ହୋଇପଡ଼ିଥିଲେ । ଖବର ପାଇ ବକ୍ସିବଜାର ଦମକଳ କେନ୍ଦ୍ର ସମେତ ସହରର ମୋଟ ୫ଟି ଦମକଳ କେନ୍ଦ୍ରର ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। କୋଠା ଧୂଆଁମୟ ହୋଇଯାଇଥିବାରୁ ଅଗ୍ନିଶମ କର୍ମଚାରୀମାନେ ଭିତରେ ପଶିବା କଷ୍ଟକର ହୋଇପଡ଼ିଥିଲା।

କର୍ମଚାରୀମାନେ ଆଖିବୁଜା ପାଣି ମାଡ଼ କରିବା ସହ ଫାୟାର ଏକ୍‌ଷ୍ଟିଂଗୁଇସର୍‌ର ସହାୟତା ନେଇ ଧୂଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ଝରକା କାଚ ଭାଙ୍ଗି ପକାଇଥିଲେ । କିଛି ଧୂଆଁ ବାହାରିବା ପରେ କର୍ମଚାରୀମାନେ ୪ ମହଲାକୁ ଚଢ଼ିଥିଲେ । ନିଆଁ ଲିଭା କାର୍ଯ୍ୟରେ ପ୍ରାୟ ୫୦ରୁ ଅଧିକ କର୍ମଚାରୀ ଏବଂ ୨୦ ଅଫିସର ନିୟୋଜିତ ଥିଲେ । ନିଆଁ ଲିଭା ସମୟରେ ସଂପୂର୍ଣ୍ଣ କୋଠାର ବିଦ୍ୟୁତ୍‌ ଯୋଗାଣକୁ ବନ୍ଦ ରଖାଯାଇଥିଲା । ପାଣି ଓ ଫୋମ୍‌ ମାରି ପ୍ରାୟ ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ସେତେବେଳକୁ ଟେଲିଫୋନ୍‌ ଭବନରେ ଲକ୍ଷାଧିକ ଟଙ୍କାର କେବୁଲ୍‌ ତରଳି ଯିବା ସହ ଅନ୍ୟାନ୍ୟ ଯନ୍ତ୍ରପାତି, ଉପକରଣ, ଆସବାବପତ୍ର ଆଦି ତରଳି ଜଉ ପାଲଟି ଯାଇଥିଲା। ଅଗ୍ନିକାଣ୍ଡରେ କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଏଯାଏ ଠୋସ୍‌ ଭାବେ ଜଣାପଡିନଥିଲେ ମଧ୍ୟ ଏନେଇ ନାନା ପ୍ରକାର ଚର୍ଚ୍ଚା ଲାଗି ରହିଛି ।

   ସମ୍ବନ୍ଧିତ ଖବର


ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ଆତଙ୍କବାଦୀ ଲିଙ୍କ୍ ନୁହେଁ, ବନ୍ଧୁକ ଚାଲାଣ ଲିଙ୍କ୍‌ରେ ଉଠାଇଛି NIA : ପୋଲିସ କମିଶନର

ବିବାହକୁ ଅକ୍ଷୁଣ୍ଣ, ସ୍ଥାୟୀ କରିବାକୁ ବର୍ଷାଙ୍କ ପିଟିସନ୍‌; ଅନୁଭବଙ୍କୁ ପରିବାର ଅଦାଲତରୁ ନୋଟିସ୍‌

ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା

ବାଡିରୁ ଫୁଲ ତୋଳିଦେଲା ବୋଲି, ଦିବ୍ୟାଙ୍ଗ ନାବାଳିକାକୁ ନିସ୍ତୁକ ମାଡ ମାରିଲେ ପଡୋଶୀ…

ସାବଧାନ ! ପାର୍ବଣରେ ମାତିଛନ୍ତି ଲୁଟେରା, ଜୋର୍ ଜବରଦସ୍ତ ମହିଳାଙ୍କ ଠାରୁ ଝାମ୍ପିନେଲେ କାନଫୁଲ…