ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ, ଗାଁ ମୁହାଁ ବନ୍ୟଜନ୍ତୁ, ନଷ୍ଟ ହୋଇଗଲାଣି ଏକର ଏକର ମୂଲ୍ୟବାନ ଗଛ

କେନ୍ଦୁଝର, ୦୨/୦୩ : ହୁତୁହୁତୁ ହୋଇ ଜଳୁଛି କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅଞ୍ଚଳ। ଗାଁ ମୁହାଁ ବନ୍ୟଜନ୍ତୁ। ସେପଟେ ଜଙ୍ଗଲରୁ ନିଆଁ ଲିଭେଇବାକୁ ଅସକ୍ଷମ ହେଉଛି ବନ ବିଭାଗ। ଫଳରେ ଜଙ୍ଗଲରେ ଥିବା ଏକର ଏକର ମୂଲ୍ୟବାନ ଗଛ ସବୁ ନଷ୍ଟ ହେବାକୁ ବସିଲାଣି।
ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅଞ୍ଚଳ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି। ଦୁଇଦିନ ହେବ କରଦାଙ୍ଗି ପଞ୍ଚାୟତ ଶ୍ରୀଧରପୁର ଗାଁ ମାଙ୍କଡ଼ଚୁଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲରେ ଥିବା ମୂଲ୍ୟବାନ ଗଛ ସହ ବିରଳ ଔଷଧୀୟ ଗୁଳ୍ମ ସବୁ ଜଳିପୋଡି ନଷ୍ଟ ହୋଇଗଲାଣି। ତେବେ ଜଙ୍ଗଲରେ ନିଆଁ ଲାଗିବା ଫଳରେ ଏକର ଏକର ଶାଳ, ପିଆଶାଳ ଜଙ୍ଗଲ ନଷ୍ଟ ହେବା ସହ ଜଙ୍ଗଲରେ ଥିବା ବନ୍ୟଜନ୍ତୁ ପ୍ରଭାବିତ ହେଉଛନ୍ତି। ଜୀବନ ବଞ୍ଚାଇବାକୁ ସବୁ ବନ୍ୟଜନ୍ତୁ ଗାଁ ମୁହାଁ ହେଲେଣି।
ଜଙ୍ଗଲରେ ନିଆଁ ଲାଗିବା ଫଳରେ ବନ୍ୟଜନ୍ତୁ ନିଆଁ ଦାଉରୁ ନିଜକୁ ରକ୍ଷା କରିବାକୁ ଏଣେତେଣେ ଦୌଡୁଛନ୍ତି । ମାଙ୍କଡ଼ଚୁଆ ଜଙ୍ଗଲରେ ହାତୀ, ହରିଣ, ବାରାହା, କୁଟୁରା, ସମ୍ବର, ଝିଙ୍କ ଆଦି ଜୀବଜନ୍ତୁ ବହୁ ସଂଖ୍ୟାରେ ରହୁଛନ୍ତି। ତେବେ ଜଙ୍ଗଲରେ ନିଆଁ ଲାଗିବା ଦ୍ଵାରା ସେମାନଙ୍କ ସୁରକ୍ଷା ଏବେ ଚିନ୍ତାର ବିଷୟ ପାଲଟିଛି । ସେପଟେ ନିଆଁ ଲିଭେଇବାରେ ଅସକ୍ଷମ ହେଉଛି ବନ ବିଭାଗ। ସରକାର ନୂତନ ଜଙ୍ଗଲ ସୃଷ୍ଟି ସହ ବନ୍ୟଜନ୍ତୁ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଦିଗରେ ବନବିଭାଗ ନିରବଦ୍ରଷ୍ଟା ସାଜିଥିବା ସର୍ବସାଧାରଣରେ ମତ ପ୍ରକାଶ ପାଉଛି। ସେପଟେ ଏନେଇ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।