ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ବୃକ୍ଷ ନଷ୍ଟ

କେନ୍ଦୁଝର, ୨୩/୨ : ହୁତୁହୁତୁ ହୋଇ ଜଳିଗଲା ଗ୍ରାମ୍ୟ ଜଙ୍ଗଲ। କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଏରେଣ୍ଡେଇ ଗ୍ରାମର ବୈତରଣୀ ନଦୀ କୂଳରେ ଥିବା ଜଙ୍ଗଲରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ। ଫଳରେ ୨ ହଜାରରୁ ଅଧିକ ଆକାଶିଆ ଗଛ ଜଳିପୋଡି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲା ଏରେଣ୍ଡେଇ ଗ୍ରାମର ବୈତରଣୀ ନଦୀ କୂଳରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ପାଟଣା ବନାଞ୍ଚଳ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା। ୨୫ ଏକର ପରିସୀମା ମଧ୍ୟରେ ୧୬ ହଜାର ଆକାଶିଆ ଗଛ ଲଗାଯାଇଥିଲା। ତେବେ ଉକ୍ତ ଗ୍ରାମ୍ୟ ଜଙ୍ଗଲରେ କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଫଳରେ ୨ ହଜାରରୁ ଅଧିକ ଆକାଶିଆ ଗଛ ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଏହି ଜଙ୍ଗଲରେ କିଏ ଏବଂ କାହିଁ ନିଆଁ ଲଗାଇଲେ ସେନେଇ କୌଣସି ସୂଚନା ମିଳି ନାହିଁ। ସେପଟେ ଏଭଳି କାଣ୍ଡ ଭିଆଇଥିବା ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ।