ମସ୍ଜିଦରେ ଗଣହତ୍ୟା, ୪୯ ମୃତ

NEWZEALAND-SHOOTOUT
ଖ୍ରୀଷ୍ଟଚର୍ଚ୍ଚ,୧୫ ।୩(ଏଜେନ୍ସି): ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ଥିବା ଦୁଇଟି ମସ୍ଜିଦରେ ଆଜି ଶୁକ୍ରବାର ପ୍ରାର୍ଥନା ସମୟରେ ଗୁଳିକାଣ୍ଡ ଘଟିଛି । ନୁର-ଅଲ୍ ମସ୍ଜିଦ ଓ ଲିନ୍ଉଡରେ ଥିବା ଏକ ମସ୍ଜିଦରେ ଏହି ଜଘନ୍ୟ ଗଣହତ୍ୟା ଘଟିଛି । ଏଥିରେ ୪୯ ଜଣ ପ୍ରାଣ ହରାଇଥିଲା ବେଳେ ୪୮ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଖ୍ରୀଷ୍ଟଚର୍ଚ୍ଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପୁଲିସ ହତ୍ୟାକାରୀ ଅଷ୍ଟ୍ରେଲୀୟ ଆତଙ୍କବାଦୀ ବ୍ରେଣ୍ଟନ ଟାରାଣ୍ଟ (୨୮) ଓ ଅନ୍ୟ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛି । ହତ୍ୟାକାରୀ ବ୍ରେଣ୍ଟନ ଏହି ଗଣହତ୍ୟାର ସିଧା ପ୍ରସାରଣ ଫେସ୍ବୁକରେ କରିଥିଲା । ଗଣହତ୍ୟା ପରେ ସମଗ୍ର ନ୍ୟୁଜିଲାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି । ସବୁ ମସ୍ଜିଦରେ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜସିନ୍ଦା ଆର୍ଡର୍ଣ୍ଣ ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ଏହା ଦେଶ ପାଇଁ କଳାଦିବସ ବୋଲି କହିଛନ୍ତି ।
ପୁଲିସ କମିଶନର ମାଇକ ବୁଶଙ୍କ ସୂତ୍ରରୁ ପ୍ରକାଶ ଯେ ଆଜି ଶୁକ୍ରବାର ହେତୁ ନୁରଅଲ୍ ମସ୍ଜିଦରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା । ଅପରାହ୍ନ ୧ଟା ୪୦ରେ ସେନା ପୋଷାକ ସହ ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧିଥିବା ହତ୍ୟାକାରୀ ବ୍ରେଣ୍ଟନ ଏକ କାର୍ରେ ଆସି ମସ୍ଜିଦର କିଛି ଦୂରରେ ଅଟକି ଥିଲା । ସେଠାରୁ ଓହ୍ଲାଇ ଚାଲିଚାଲି ମସ୍ଜିଦ ଭିତରକୁ ପ୍ରବେଶ କରିଥିଲା । ହାତରେ ସେମି ଅଟୋମେଟିକ ବନ୍ଧୁକ ଓ ଏକ ରାଇଫଲ ଧରିଥିଲା । ସେହି ସମୟରେ ପ୍ରାୟ ୧୦୦ ଜଣ ଶ୍ରଦ୍ଧାଳୁ ଆଣ୍ଠୁଭାଙ୍ଗି ପ୍ରାର୍ଥନା କରୁଥିଲେ । କେହି କିଛି ବୁଝିବା ପୂର୍ବରୁ ସେମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲା । କିଛି ଲୋକ ରକ୍ତାକ୍ତ ଅବସ୍ଥାରେ ସେଠାରେ ଟଳିପଡ଼ିଥିଲା ବେଳେ ଆଉ କିଛି ଲୋକ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ । ଲୋକଙ୍କ ଆର୍ତ୍ତ ଚିତ୍କାର ଓ ଧାଁଦଉଡ଼ ଭିତରେ ବ୍ରେଣ୍ଟନ ପୁଣି ବାହାରେ ରଖିଥିବା କାର୍ ନିକଟକୁ ଆସିଥିଲା । ବନ୍ଧୁକରେ ଗୁଳି ରି-ଲୋଡ କରିଥିଲା ଓ ପୁଣି ମସ୍ଜିଦ ଭିତରେ ପ୍ରବେଶ କରି ଶ୍ରଦ୍ଧାଳୁଙ୍କ ଉପରକୁ ଗୁଳିମାଡ଼ କରିଥିଲା । ଏପରିକି ଚଟାଣରେ ପଡ଼ିଥିବା ଲୋକଙ୍କ ଭିତରୁ କିଏ ବଞ୍ଚିଛି କି ନାହିଁ ଖୋଜି ଖୋଜି ଗୁଳି କରିଥିଲା ।
ଏସବୁ ଘଟଣା ସମ୍ପର୍କିତ ୧୭ ମିନିଟ୍ର ଏକ ଭିଡିଓ ଫେସବୁକ୍ରେ ସିଧାପ୍ରସାରଣ କରିଥିଲା । ସେଥିପାଇଁ ସେ ପିନ୍ଧିଥିବା ହେଲମେଟରେ କ୍ୟାମେରା ଲଗାଇଥିଲା । ଗୁଳିମାଡ଼ରେ ୪୨ ଜଣ ପ୍ରାଣ ହରାଇଥିଲେ । ୫ ମିନିଟ୍ ଭିତରେ ଏସବୁ କାର୍ଯ୍ୟ ଶେଷ କରି ସେ କାର୍ରେ ଦ୍ରୁତ ଗତିରେ ପଳାଇ ଯାଇଥିଲା । ଯିବାବେଳେ ମଧ୍ୟ ସେ କାର୍ ଡୋର ବାଟେ ମସ୍ଜିଦ ପାଖରେ ଥିବା ଲୋକଙ୍କ ଉପରକୁ ଗୁଳିମାଡ଼ କରିଥିଲା । ପୁଲିସ ପହଞ୍ଚି ମସ୍ଜିଦକୁ ଚାରି ପଟୁ ସିଲ୍ କରି ତଦନ୍ତ ଆରମ୍ଭ କରିଥିଲା । ହତ୍ୟାକାରୀକୁ ଧରିବା ଲାଗି ବିଭିନ୍ନ ରାସ୍ତାକୁ ସିଲ୍ କରିଥିଲା । ଇତି ମଧ୍ୟରେ ବ୍ରେଣ୍ଟନ ୫ଟା ୨୭ରେ ଲିନ୍ଉଡରେ ଥିବା ଅନ୍ୟ ଏକ ମସ୍ଜିଦ ନିକଟରେ ପହଞ୍ଚି ଯାଇଥିଲା । ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ଉପରେ ଗୁଳିମାଡ଼ କରିଥିଲା । ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ବ୍ରେଣ୍ଟନ ଦ୍ରୁତଗତିରେ ପଳାଉଥିଲା ବେଳେ ପୁଲିସ ହାତରେ ଧରାପଡ଼ିଥିଲା । ପୁଲିସ ତାକୁ ଗିରଫ କରିବା ସହ ତା ନିକଟରୁ ବନ୍ଧୁକ ଓ କାର୍ ଭିତରେ ଥିବା କିଛି ବିସ୍ଫୋରକ ଜବତ କରିଛି ।
ଅଭିଯୁକ୍ତ ବ୍ରେଣ୍ଟନର ଟୁଇଟର ପେଜରେ ୭୪ ପୃଷ୍ଠାର ଏକ ଶରଣାର୍ଥୀ ବିରୋଧୀ ଇସ୍ତାହାର ଅପଲୋଡ କରିଛି । ଏଥିସହିତ ସେ କିଏ ଓ ହତ୍ୟା କରିବା ପଛରେ ତାହାର ଉଦ୍ଦେଶ୍ୟ କ’ଣ ସେକଥା ମଧ୍ୟ ଉଲ୍ଲେଖ କରିଛି । ଏହି ଆକ୍ରମଣ ପାଇଁ ସେ ୩ ମାସ ତଳୁ ଯୋଜନା କରିଥିଲା । ସେ ଏକାକୀ ଏହି ଘଟଣା ଭିଆଇଛି । ସେ କୌଣସି ସଙ୍ଗଠନ ସହ ଜଡ଼ିତ ନୁହେଁ । ସେ ନୁରଅଲ୍ ଓ ଲିନ୍ଉଡ ମସ୍ଜିଦକୁ ଟାର୍ଗେଟ କରିବା ପରେ ଯଦି ସମ୍ଭବ ହୋଇଥାନ୍ତା ତେବେ ଆସବର୍ଟନ ମସ୍ଜିଦକୁ ଯାଇଥାନ୍ତା ବୋଲି କହିଛି । ନ୍ୟୁଜିଲାଣ୍ଡରେ ବହୁସଂଖ୍ୟକ ଶରଣାର୍ଥୀ ରହୁଥିବା ଓ ସେମାନେ ନିୟମିତ ମସ୍ଜିଦକୁ ଆସୁଥିବାରୁ ସେ ତାକୁ ଟାର୍ଗେଟ କରିଥିଲା ବୋଲି କହିଛି । ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳିବାକୁ ବାଂଲାଦେଶ ଟିମ୍ ଖ୍ରୀଷ୍ଟଚର୍ଚ୍ଚରେ ପହଞ୍ଚିଥିଲେ । ଆସନ୍ତାକାଲି ଅର୍ଥାତ ଶନିବାର ମ୍ୟାଚ୍ ଖେଳାଯାଇଥାନ୍ତା । ତେବେ ଖେଳାଳିମାନେ ନୁର୍ଅଲ୍ ମସ୍ଜିଦକୁ ବସ୍ରେ ଯାଉଥିଲେ । ସେମାନେ ହେଗଲେ ପାର୍କ ନିକଟରେ ପହଞ୍ଚିଥିବା ବେଳେ ଏହି ଗୁଳିମାଡ଼ ବିଷୟରେ ଜାଣିବାକୁ ପାଇଲେ । ସେଠାରୁ ସେମାନେ ଫେରିଆସିଥିଲେ । ଫଳରେ ସେମାନେ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଟିମ୍ର କ୍ୟାପଟେନ ମୁସ୍ଫିକର ରହିମ ଟୁଇଟ୍ କରି କହିଛନ୍ତି ଯେ ଆଲ୍ଲା ସେମାନଙ୍କୁ ବଞ୍ଚାଇ ଦେଲେ । ଆମେ ନିଶ୍ଚିତ ଭାବେ ଭାଗ୍ୟବାନ । ଏଭଳି ଘଟଣା ଯେଭଳି ଅତୀତରେ ଦେଖିବାକୁ ଆଉ ନମିଳୁ । ତେବେ ଆଜିର ଘଟଣା ପରେ ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ବାତିଲ କରିଦିଆଯାଇଛି ।