ହାଇକୋର୍ଟ ଇତିହାସରେ ପ୍ରଥମ: ଭିଡିଓ କନ୍‌ଫରେନ୍ସିଂରେ ହେଲା ଶୁଣାଣି

କଟକ ୨୬/୩: କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ଆଜି ଓଡ଼ିଶା ହାଇକୋର୍ଟରେ ପ୍ରଥମଥର ଲାଗି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମାମଲାର ଶୁଣାଣି ହୋଇଥିଲା । ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟର ସମସ୍ତ ଇ-ନିଲାମ ଉପରେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି । ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନ ଦ୍ୱାରା ବର୍ତ୍ତମାନ ସମୟରେ ଯେତେସବୁ ଇ-ନିଲାମ କରାଯିବାକୁ ଥିଲା ସେସବୁ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ୍‌ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ମାମଲାର ଶୁଣାଣି ଉପରେ କଟକଣା ଜାରି କରାଯାଇଛି । ଯଦି କୌଣସି ଅତି ଜରୁରିକାଳୀନ ମାମଲା ଆସେ ଉକ୍ତ ମାମଲାକୁ ଡେପୁଟି ରେଜିଷ୍ଟ୍ରାରଙ୍କ ନିକଟରେ ରୁଜୁ କରାଯିବ । ପରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମାମଲାର ଶୁଣାଣି କରାଯିବ ବୋଲି ଅଦାଲତ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହି ଆଧାରରେ ଆଜି ପ୍ରାୟ ୪ଟି ମାମଲାର ଶୁଣାଣି ହୋଇଥିଲା । ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଘର ଏବଂ ଜମି ନିଲାମ ପାଇଁ ଜାରି ହୋଇଥିବା ନୋଟିସ୍‌ ଉପରେ ରହିତାଦେଶ ପାଇଁ ଏସବୁ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ବିଚାରପତି ନୂଆ ବିଲଡିଂର କନ୍‌ଫରେନ୍ସ ହଲ୍‌ରେ ବସିଥିଲେ ।

ଆବେଦନକାରୀଙ୍କ ପକ୍ଷରୁ ତାଙ୍କ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ଏବଂ ଅନ୍ୟ ଆଇନଜୀବୀମାନେ ହାଇକୋର୍ଟର ପୁରୁଣା ବିଲଡିଂର ୧ନଂ କୋର୍ଟରେ ବସିଥିଲେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମାମଲାର ଶୁଣାଣି ହୋଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପୂର୍ବରୁ ହାଇକୋର୍ଟର ଜଣିକିଆ ବିଚାରପତି ଏବଂ ବିଭିନ୍ନ ଖଣ୍ଡପୀଠ ଦ୍ୱାରା ଦିଆଯାଇଥିବା ରହିତାଦେଶକୁ ହାଇକୋର୍ଟ ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ନଟ୍ ଆଉଟ୍!… କରୋନା ନୁହେଁ ସନ୍ଦିଗ୍ଧ

କେରଳରେ ମଦ ଦେକାନ ବନ୍ଦ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ବ୍ରେକ୍

ଏବେ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍

ରାଜ୍ୟ ଷଷ୍ଠ କରୋନା ପଜିଟିଭ କଟକରୁ ଚିହ୍ନଟ୍