ପ୍ରଥମ ପର୍ଯ୍ୟାୟ ସରିଲା, ୬୮% ମତଦାନ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ଆସନ୍ତା ୫ ବର୍ଷ ପାଇଁ ନେତାଙ୍କ ଭାଗ୍ୟର ଫଇସଲା ହୋଇଛି । ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ୍‌ । ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଭୋଟ ଗ୍ରହଣ ସରିଥିଲା ବେଳେ ୨୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି । ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ୬୮% ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ବହୁ ବୁଥରେ ରାତି ୯ଟା ପର୍ଯ୍ୟନ୍ତ ମତଦାନ ଜାରି ରହିଥିବାରୁ ମତଦାନ ହାର ବଢ଼ିବାର ଆଶା କରାଯାଉଛି । ୨୦୧୪ ନିର୍ବାଚନରେ ଏ ଆସନଗୁଡ଼ିକରେ ୭୩% ମତଦାନ ହୋଇଥିଲା । ଆସନ୍ତା ମେ’ ୨୩ ଭୋଟ୍‌ ଗଣତିରେ ପ୍ରାର୍ଥୀମାନଙ୍କ ଭାଗ୍ୟ ସ୍ପଷ୍ଟ ହେବ ।

ପ୍ରଥମ ପର୍ଯ୍ୟାୟରେ ଆଜି ଓଡ଼ିଶାର ମୋଟ୍‌ ୨୧ ଲୋକସଭା ଆସନରୁ ୪ଟି ଏବଂ ୧୪୭ ବିଧାନସଭା ଆସନରୁ ୨୮ଟିରେ ମତଦାନ ହୋଇଥିଲା । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ସହ ସଂଲଗ୍ନ ୨୮ ବିଧାନସଭା ପାଇଁ ଭୋଟରମାନେ ମତାଧିକାର ସାବ୍ୟସ୍ତ କରିଥିଲେ । ମାଓପ୍ରବଣ ଇଲାକାରେ ଅବାଧ ଓ ମୁକ୍ତ ନିର୍ବାଚନ ବଡ଼ ଚ୍ୟାଲେଞ୍ଜ ଥିଲାବେଳେ ଏଥିରେ ସଫଳତା ମିଳିଛି । କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଖବର ମିଳିନି । ମାଓବାଦୀଙ୍କ ଭୟରେ ମାଲକାନଗିରି ଓ ରାୟଗଡ଼ାର ୧୪ ବୁଥରେ ଜଣେ ହେଲେ ଭୋଟର ଭୋଟ ଦେଇନାହାନ୍ତି । ମୌଳିକ ସୁବିଧା ପୂରଣ ହୋଇନଥିବାରୁ ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ୧୩ ଖଣ୍ଡ ଗାଁ ର ଭୋଟର ଭୋଟ ବର୍ଜନ କରିଛନ୍ତି । କାଲିମେଳା ବ୍ଲକ ଟିଗଲ ପଞ୍ଚାୟତ ଏମପିଭି-୬୫ ନୋଡାଲ ହାଇସ୍କୁଲ ବୁଥରେ ପୋଲିଂ ଅଧିକାରୀମାନେ ଭୋଟ ଟାମ୍ପରିଂ କରିଥିବା ଅଭିଯୋଗ ଆଣି ଗ୍ରାମବାସୀ ପାଟିତୁଣ୍ଡ କରିବାରୁ ଉତ୍ତେଜନା ଆରମ୍ଭ ହୋଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ବିଏସଏଫ୍‌ଙ୍କୁ ମୁତୟନ କରାଯାଇଥିଲା ।

କଳାହାଣ୍ଡି ଲୋକସଭା ଆସନ ଅନ୍ତର୍ଗତ ୫ ବୁଥରେ ଭୋଟରମାନେ ଭୋଟ ବର୍ଜନ କରିଥିଲା ବେଳେ ମାଓ ପ୍ରଭାବିତ ଅଞ୍ଚଳ ଲାଞ୍ଜିଗଡ଼ରେ ଜିଲ୍ଲାର ସର୍ବାଧିକ ମତଦାନ ପ୍ରାୟ ୮୦ ଧ ହୋଇଥିବା ସୂଚନା ମିଳିଛି । ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ ଓ ଝରଣିଆ ଆଦିବାସୀମାନେ ମାଓବାଦୀଙ୍କ ଧମକକୁ ଖାତିର ନକରି ନିର୍ଭିିକତାର ସହ ବୁଥ୍‌କୁ ଆସି ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଥିଲେ । ୨୦୧୪ ମସିହାରୁ ମାଓବାଦୀଙ୍କ ଧମକରେ ନିୟମଗିରି ଅଞ୍ଚଳବାସୀ ଭୋଟ ଦେବାରୁ ବଞ୍ଚିତ ହୋଇଥିଲେ । ଏପରି କି ୨୦୧୭ ପଞ୍ଚାୟତ ନିର୍ବାଚନବେଳେ ମଧ୍ୟ ଭୋଟ ବର୍ଜନ କରିଥିଲେ । ନୂଆପଡ଼ା ଓ ଖଡ଼ିଆଳରେ ଇଭିଏମ୍‌ ସହ ଭିଭିପାଟରେ ତ୍ରୁଟି ପରିଲକ୍ଷିତ ହେବାରୁ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିଲା ।

ବ୍ରହ୍ମପୁର ଲୋକସଭା ଆସନର କିଛି ବୁଥରେ ଇଭିଏମରେ ବୈଷୟିକ ତ୍ରୁଟି କାରଣରୁ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିଲା । କିଛି ସ୍ଥାନରେ ପୋଲିଂ ମଝିରେ ମଧ୍ୟ ଇଭିଏମ୍‌ ଖରାପ ହୋଇଥିଲା । ସେକ୍ଟର ଅଫିସରମାନେ ହସ୍ତକ୍ଷେପ କରି ତ୍ରୁଟି ସୁଧାରିବା ପରେ ସାନି ଭୋଟ ଗ୍ରହଣ ହୋଇଥିଲା । ଗୋପାଳପୁରର ପଞ୍ଚମାରେ ବୁଥ୍‌ ରିଗିଂ ଅଭିଯୋଗ ଆସିବା ପରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା । ପରିସ୍ଥିତି ବିଗିଡ଼ିବାରୁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । କାଁ ଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ରହିଥିଲା ।
ପୂର୍ବ ପ୍ରସ୍ତୁତି ଅନୁସାରେ ପ୍ରଥମେ ପ୍ରାର୍ଥୀମାନଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ପୋଲିଂ ଟିମ୍‌ ଦ୍ୱାରା ‘ମକ୍‌ ପୋଲ୍‌’ କରାଯାଇଥିଲା । ଏହାପରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ୫ ବର୍ଷ ପରେ ଚାଲିଥିବା ଏ ଭୋଟ୍‌ ମହାପର୍ବରେ ସାମିଲ ହେବା ପାଇଁ ଭୋଟରଙ୍କ ମଧ୍ୟରେ ଢେର୍‌ ଉତ୍ସାହ ଦେଖିବାକୁ ମିଳିଥିଲା । ପୁରୁଷ, ମହିଳାଙ୍କଠାରୁ ଆରମ୍ଭ କରି ଦିବ୍ୟାଙ୍ଗ ଭୋଟରମାନେ ଲମ୍ବା ଲାଇନ୍‌ ଲଗାଇଥିଲେ । ନୂଆ ଭୋଟର ନିଜର ପ୍ରଥମ ମତାଧିକାରୀ ପାଇଁ ପୋଲିଂ ବୁଥ୍‌ରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା । ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାରଙ୍କ ସୂଚନା ମୁତାବକ, ସକାଳ ୧୧ଟା ସୁଦ୍ଧା ରାଜ୍ୟର ୨୨% ଭୋଟର ନିଜର ଭୋଟ୍‌ ଦେଇ ସାରିଥିଲେ । ଖରାକୁ ଖାତିର ନ କରି ଭୋଟର ଧାଡ଼ିରେ ଛିଡ଼ା ହୋଇ ଶୃଙ୍ଖଳିତ ଭାବେ ଭୋଟ୍‌ ଦେଉଥିବା ଦେଖିବାକୁ ମିଳିଥିଲା ।
ପ୍ରଥମ ପର୍ଯ୍ୟାୟ ଭୋଟରେ ବହୁ ହେଭିୱେଟ୍‌ ନେତା ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ଜନତା ଜନାର୍ଦ୍ଦନ ତାଙ୍କୁ ବାଛିଛନ୍ତି କି ଗ୍ରହଣ କରିନାହାନ୍ତି ତାହା ଭୋଟ ଫଳାଫଳରୁ ସ୍ପଷ୍ଟ ହେବ । ବିଜେଡିର ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ସୂର୍ଯ୍ୟନାରାୟଣ ପାତ୍ର, ଉଷା ଦେବୀଙ୍କ ଭାଗ୍ୟ ସିଲ୍‌ କରିଛନ୍ତି ଭୋଟର । ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ବିଜେଡିି ନେତା ଲାଲବିହାରୀ ହିମରିକା, ରବି ନନ୍ଦ, ପ୍ରଦୀପ ପାଣିଗ୍ରାହୀ, ଭୂପିନ୍ଦର ସିଂ, ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କ ଭାଗ୍ୟକୁ ମଧ୍ୟ ଫଇସଲା କରିଛନ୍ତି ଭୋଟର । ଏହାଛଡ଼ା କଂଗ୍ରେସ ହେଭିୱେଟ୍‌ ଭକ୍ତଚରଣ ଦାସ, ତାରା ବାହିନୀପତି, ଭୂଜବଳ ମାଝୀ, ପ୍ରଦୀପ ମାଝୀଙ୍କ ସହ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା ଜୟରାମ ପାଙ୍ଗୀଙ୍କ ଭାଗ୍ୟ ମଧ୍ୟ ଏବେ ଇଭିଏମରେ । ତେବେ ଏହି ବରିଷ୍ଠ ନେତାମାନେ ବାଜି ମାରିନେବେ ନା ନାହିଁ ତାହା ଜାଣିବାକୁ ମେ ୨୩ ଯାଏ ଅପେକ୍ଷା କରିବାକୁ ହେବ ।
ମାଓପ୍ରବଣ ୨୦ଟି ବିଧାନସଭା କ୍ଷେତ୍ରରେ ଅପରାହ୍ଣ ୪ଟାରେ ମତଦାନ ଶେଷ ସମୟ ନିର୍ଘଣ୍ଟ ହୋଇଥିଲା । ତେବେ ଚୂଡ଼ାନ୍ତ ସମୟ ବେଳକୁ ଭୋଟରମାନେ ବୁଥ୍‌ ପରିସରକୁ ବହୁ ସଂଖ୍ୟାରେ ଆସି ପହଞ୍ଚିଥିବାରୁ ଆୟୋଗଙ୍କ ନିଷ୍ପତ୍ତି ମୁତାବକ ମତଦାନ ପ୍ରକ୍ରିୟା ଜାରି ରହିଥିଲା । ଏପରିକି ମାଲକାନଗିରି ଭଳି ଜିଲ୍ଲାରେ ବି ୪ଟା ପରେ ବହୁ ସଂଖ୍ୟାରେ ଲୋକ ଭୋଟ୍‌ ଦେଉଥିବା ଦେଖିବାକୁ ମିଳିଛି । ଅନ୍ୟ ୮ଟି ବିଧାନସଭା ଆସନରେ ସନ୍ଧ୍ୟା ୬ଟାରେ ଭୋଟ୍‌ ସାରିବାକୁ ନିର୍ଦ୍ଦେଶ ଥିଲା । କିନ୍ତୁ ବୁଥ୍‌ ପରିସରରେ ଭୋଟରଙ୍କ ଲମ୍ବା ଲାଇନ୍‌ ମତଦାନ ପ୍ରକ୍ରିୟାକୁ ବିଳମ୍ବିତ କରିଥିବା ସିଇଓ କହିଛନ୍ତି । ମତଦାନ ପରେ କଡ଼ା ସୁରକ୍ଷା ବଳୟରେ ଇଭିଏମ୍‌ ଓ ଭିଭିପାଟ୍‌ଗୁଡ଼ିକୁ ଜିଲ୍ଲା ମୁଖ୍ୟାଳୟର ଷ୍ଟ୍ରଙ୍ଗ୍‌ ରୁମ୍‌କୁ ଅଣାଯାଇଛି ।
ସିିଇଓ ସୂଚନା ଦେଇ କହିଛନ୍ତି, ମାଓପ୍ରବଣ କିଛି ଅଞ୍ଚଳରେ ପୋଲିଂ ବୁଥ୍‌କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସତ୍ତେ୍ୱ ଭୟରେ ଲୋକମାନେ ଭୋଟ୍‌ ଦେବାକୁ ଆସି ନ ଥିବା ଜଣାପଡ଼ିଛି । କିନ୍ତୁ ଏ ସମସ୍ତ ବୁଥ୍‌ରେ ପୋଲିଂ ଅଫିସର ମହଜୁଦ ଥିଲେ । ପ୍ରଥମ ପର୍ଯ୍ୟାୟରେ ୭୩୦ଟି ଉତ୍ତେଜନାପ୍ରବଣ ବୁଥ୍‌ର ୱେବ୍‌ କାଷ୍ଟିଂ ହୋଇଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ) ଓ ସିଇଓଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଲାଇଭ୍‌ ଭିଡିଓ ଜରିଆରେ ବୁଥ୍‌ ଉପରେ ନଜର ରଖିଥିଲେ ।

   ସମ୍ବନ୍ଧିତ ଖବର


ରାଜ୍ୟ ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା

ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’