ଉଜୁଡ଼ିଲାଣି ପ୍ରଥମ ପବ୍ଲିକ୍‌ ଆର୍ଟ ମ୍ୟୁଜିୟମ୍‌

ଭୁବନେଶ୍ୱର,୨୬।୮: ରସୁଲଗଡ଼ ଓଭରବ୍ରିଜ ରାଜଧାନୀର ପ୍ରବେଶ ପଥ । ଏହି ଓଭରବ୍ରିଜ ତଳେ ନିର୍ମାଣ ହୋଇଥିଲା ବିଶ୍ୱର ପ୍ରଥମ ‘ପବ୍ଲିକ୍‌ ଆର୍ଟ ମ୍ୟୁଜିୟମ୍‌’ । ଏହି ସ୍ଥାପତ୍ୟ କଳା ଜନସାଧାରଣଙ୍କୁ ଜଳର ଆବଶ୍ୟକତା ଓ ତା’ର ସଂରକ୍ଷଣର ଶିକ୍ଷା ଦେବ ବୋଲି ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଏମିତି ସ୍ଥାପତ୍ୟ କଳା ପୁଣି ରାଜଧାନୀରେ ପ୍ରଥମ ଥର ଦେଖିବାକୁ ମିଳିଥିଲା । ଖୋଲା ଆକାଶ ତଳେ ସ୍ଥାପତ୍ୟ କଳାର ଝଲକ ଦେଖିବା ପାଇଁ ଲୋକମାନେ ମଧ୍ୟ ଭିଡ଼ ଜମାଉଥିଲେ । ହେଲେ ଏବେ ସେହି ସ୍ଥାପତ୍ୟ କଳାର ତଣ୍ଟି ଚିପି ଦେଇଛି କଳଙ୍କି । ଦିନ ଗଡ଼ିବା ସହିତ ଏହି ସ୍ଥାପତ୍ୟ କଳା ନଷ୍ଟ ହେବାକୁ ବସିଲାଣି । ବର୍ଷେ ପୂରିନି ରଙ୍ଗ ଉଡ଼ି ଗଲାଣି । ଧୂଳିର ଏକ ମୋଟା ଆସ୍ତରଣ ବସିବା ସହିତ କିଛି କିଛି କାରୁକାର୍ଯ୍ୟରେ କଳଙ୍କି ଲାଗିଥିବା ଦେଖିବାକୁ ମିଳୁଛି । ତା’ସହିତ ଏଥିରେ ବ୍ୟବହାର ହୋଇଥିବା ସାମଗ୍ରୀ ସବୁ ଭାଙ୍ଗି ଗଲାଣି ତ ଅଧା ଚୋରି ହୋଇଗଲାଣି । ଏହାକୁ ଦେଖିଲେ ଲାଗୁଛି ସତେଯେମିତି ବିଏମ୍‌ସି ଓ ଓଏମ୍‌ସିର ଏଥିପ୍ରତି ନିଘା ନାହିଁ । ଫନି ବାତ୍ୟାରେ ଛାରଖାର ହୋଇଯାଇଥିଲା ଭୁବନେଶ୍ୱର । ବାତ୍ୟା ପରେ ଭୁବନେଶ୍ୱରକୁ ପୁଣି ସଜେଇବା ପାଇଁ ଲାଗି ପଡ଼ିଥିଲେ ସରକାର ଓ କିଛି ଘରୋଇ ସଂସ୍ଥା । ରାଜଧାନୀକୁ ସଜାଇ ତା’ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସାଙ୍ଗକୁ ସାମାଜିକ ବାର୍ତ୍ତା ବି ଦେବା ଭଳି କିଛି କଳାକୃତି କରାଯାଇଥିଲା । ଏମିତି କଳାକୃତି ତିଆରି ହୋଇଥିଲା ଯେ ଲୋକେ ଦେଖି ଶିଖିବା ସହିତ ହୃଦୟରେ ସାଇତି ରିଖିବେ । ଏହି ସ୍ଥାପତ୍ୟ କଳାରେ ଜନସାଧାରଣଙ୍କୁ ଜଳର ଆବଶ୍ୟକତା ଓ ତା’ର ସଂରକ୍ଷଣ ଶିକ୍ଷା ଦିଆଯାଉଥିଲା ।

ଆଜିକାଲିର ଲୋକମାନେ ନଳକୂପର ବ୍ୟବହାର ଭୁଲି ଯାଇଛନ୍ତି । ସେଥିପାଇଁ ଅଦରକାରୀ ମେଟାଲ ସ୍ଲାବକୁ ବ୍ୟବହାର କରି ୨୦ ଫୁଟ୍‌ ଉଚ୍ଚତାର ଏକ ନଳକୂପ ତିଆରି କରାଯାଇଥିଲା । ବର୍ତ୍ତମାନ ଏହି ନଳକୂପରେ ଧୂଳି ମଳି ବସି, ମେଟାଲ ରଙ୍ଗ ଧୀରେ ଧୀରେ ଖରାପ ହେବାକୁ ଲାଗିଲାଣି । ନଳକୂପ ମୂଳ ସିମେଣ୍ଟ ପଲସ୍ତରା ଭାଙ୍ଗିବାକୁ ଲାଗିଲାଣି । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନଳକୂପର ଆବଶ୍ୟକତା ଓ ଜଳ ସଂରକ୍ଷଣର ସୁନ୍ଦର ବାର୍ତ୍ତା ଦେବାକୁ ଛୋଟ ଛୋଟ ନଳକୂପ ତିଆରି କରାଯାଇଥିଲା । ଏବେ ସେଠାରେ ନଳକୂପ ଅଛି, ହେଲେ ଏହାର ଅଧାଅଂଶକୁ କିଏ ଭାଙ୍ଗି ନେଇ ଯାଇଛନ୍ତି । କିଏ ନଳକୂପ ମାରିବା ଷ୍ଟାଣ୍ଡ୍‌ ଭାଙ୍ଗି ନେଇଛନ୍ତି ତ ଆଉ କିଏ ଏହାକୁ ମୂଳରୁ ଓପାଡ଼ି ନେଇ ଯାଇଛନ୍ତି । ସ୍ଥାପତ୍ୟକଳା ମାଧ୍ୟମରେ ଲୋକଙ୍କୁ ସୁନ୍ଦର ବାର୍ତ୍ତା ଭେଟି ଦେବାର ପ୍ରୟାସ କରିଥିଲେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିଳ୍ପୀ ମାନବ ଗୁପ୍ତା । ଓଭରବ୍ରିଜ କାମ ସମୟର ବଳକା ଅଦରକାରୀ ଜିନିଷକୁ ନେଇ ସ୍ମାର୍ଟ ସିଟିର ଆଉ ଏକ ରୂପରେଖ ତିଆରି କରି ‘ଦ ସିଟି ଇନ୍‌ ଦ ସିଟି’ରେ ଏହାକୁ ନାମକରଣ କରିଥିଲେ । ଯେଉଁଥିରେ ପଞ୍ଚ ତତ୍ତ୍ୱକୁ ଚିତ୍ରକଳା ମାଧ୍ୟମରେ ଦେଖାଇଥିଲେ । ମାନବ ଗୁପ୍ତା ଅଦରକାରୀ ସ୍ଲାବକୁ ନେଇ ତିଆରି କରିଥିବା ସିଂହାସନ କଥା ନକହିବା ଭଲ । ସିଂହାସନ ଉପରେ ଭଙ୍ଗା ଇଟା ପଡ଼ିବା ସହିତ ଏହା ଉପରକୁ ଯିବା ପାଇଁ ପଡ଼ିଥିବା ଚାଦରରେ ମାଟି କାଦୁଅ ପଡ଼ି ରହିଛି । ଚାଦର ଉପରେ କେଉଁଠି ଘାସ ଗଛ ଉଠିଲାଣି ତ ଆଉ କେଉଁଠି ଟେକି ହୋଇ ରହିଛି । ସିଂହାସନ ଉପରେ ତିଆରି ହୋଇଥିବା ଚିତ୍ର ବି ଲିଭିଗଲାଣି ।

ଖାଲି ସେତିକି ନୁହେଁ ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟକୁ ଛୋଟ ସ୍ଲାବରେ ରଙ୍ଗ ଦେଇ ଯେଉଁ ଚିତ୍ର ମାଧ୍ୟମରେ ଦେଖାଯାଇଛି ସେଗୁଡ଼ିକରୁ ବି ରଙ୍ଗ ଛାଡ଼ିଲାଣି । ସେହିଭଳି ଭାବେ ବିଭିନ୍ନ ଖେଳାଳିଙ୍କ ଚିତ୍ର ଗୁଡ଼ିକ ବି ନଷ୍ଟ ହେବାକୁ ବସିଲାଣି । ଏହି ସ୍ଲାବ ତଳେ ଘାସ, ପାଣି ଓ ଧୂଳି ଜମି ଖରାପ ହେଲାଣି । ରସୁଲଗଡ଼ ଓଭରବ୍ରିଜ୍‌ ତଳେ ତିଆରି ହୋଇଥିବା ପବ୍ଲିକ ଆର୍ଟ ମ୍ୟୁଜିୟମ୍‌କୁ ମାତ୍ର ବର୍ଷେ ପୂରିଲା । ହେଲେ ଏହାକୁ ଏବେ ଦେଖିଲେ ଲାଗିବ ଯେମିତି ବହୁ ଦିନର ପୁରୁଣା କଳାକୃତି । ଏହି ମ୍ୟୁଜିୟମ୍‌କୁ ଦେଖିଲେ ଲାଗୁଛି ଏହାକୁ କିଏ ଅଧା ଗଢ଼ି ଛାଡି ଦେଇଛନ୍ତି ବା ଶିଳ୍ପୀଟି ଶେଷ ସ୍ପର୍ଶ ଦେବାକୁ ଭୁଲି ଯାଇଛି । କାରଣ ଯେତିକି ସ୍ଥାନରେ କଳାକୃତି ହୋଇଛି ତା’ର ସ୍ଥିତି ଖରାପ ହେବା ସାଙ୍ଗକୁ ଏହାର ଚାରିପଟେ ମଧ୍ୟ ଘାସ ଜଙ୍ଗଲ ସୃଷ୍ଟି ହେଲାଣି ।

   ସମ୍ବନ୍ଧିତ ଖବର


ଆଜି ମହାପ୍ରଭୁଙ୍କ ବାମନ ବେଶ

ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା: ଓଡ଼ିଶାକୁ ଥରାଇଲା କୋହଲା ପାଗ

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି