ପ୍ରଥମ ଟେଷ୍ଟ: ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ

ନର୍ଥ ସାଉଣ୍ଡ,୨୨ା୮(ଏଜେନ୍ସି): ଘରୋଇ ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ । ସାର୍‌ ଭିଭିଆନ ରିଚାର୍ଡ୍ସ ଗ୍ରାଉଣ୍ଡ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରଥମ ଅଧିବେଶନ ସୁଦ୍ଧା ଭାରତ ୩ ୱିକେଟ୍‌ ହରାଇ ୬୮ ରନ୍‌ ସଂଗ୍ରହ କରିଛି । ଦଳ ପକ୍ଷରୁ ଲୋକେଶ ରାହୁଲ ୩୭ ଓ ଅଜିଙ୍କ୍ୟ ରାହାଣେ ୧୦ ରନ୍‌ କରି ଅପରାଜିତ ରହିଛନ୍ତି ।

ବର୍ଷା ଯୋଗୁଁ ଟସ୍‌ରେ ବିଳମ୍ବ ହୋଇଥିଲା । ୱେଷ୍ଟ ଇଣ୍ଡିଜ୍‌ ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଅବଶ୍ୟ ଓଦା ଆଉଟ୍‌ ଫିଲ୍ଡ ଯୋଗୁଁ ୧୫ମିନିଟ୍‌ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା । ଦୁଇ ଓପନର ମୟଙ୍କ ଅଗ୍ରୱାଲ୍‌ ଓ ଲୋକେଶ ରାହୁଲ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ । ଘରୋଇ ଦଳର ଦୁଇ ଅଭିଜ୍ଞ ପେସ୍‌ ବୋଲର କିମାର ରୋଚ ଓ ସାନନ ଗାବ୍ରିଏଲ୍‌ ପିଚ୍‌ର ଫାଇଦା ଉଠାଇଥିଲେ । ପଞ୍ଚମ ଓଭରରେ ରୋଚ ୨ଟି ୱିକେଟ୍‌ ନେଇ ବିପର୍ଯ୍ୟୟ ଘଟାଇଥିଲେ । ଏହି ଓଭରର ଦ୍ୱିତୀୟ ବଲ୍‌ରେ ମୟଙ୍କ(୫) ଆଉଟ୍‌ ହୋଇଥିଲେ । ଅଫ ଷ୍ଟମ୍ପ ଲାଇନ ବଲ୍‌କୁ ଖେଳିବାକୁ ଯାଇ ସେ କିପରଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା(୨) ମାତ୍ର ୪ଟି ବଲ୍‌ ଖେଳି ପାଭିଲିୟନ ଫେରିଥିଲେ । ରୋଚଙ୍କ ଏହି ଓଭରର ଶେଷ ବଲ୍‌ରେ ସେ ମଧ୍ୟ କିପରଙ୍କ ହାତରେ ଧରା ପଡ଼ିଥିଲେ ।

ବିରାଟ କୋହଲି କ୍ରିଜ୍‌କୁ ଓହ୍ଲାଇବା ପରେ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଥିଲା । ସେ ୨ଟି ଆକର୍ଷଣୀୟ ଚୌକା ମଧ୍ୟ ମାରିଥିଲେ । ହେଲେ ଗାବ୍ରିଏଲ୍‌ଙ୍କ ରଣ କୌଶଳ ଆଗରେ କୋହଲି ବିଫଳ ହୋଇଥିଲେ । ଗାବ୍ରିଏଲ୍‌ ୩ଜଣ ସ୍ଲିପ୍‌ ସହ ଗଲିରେ ଅତିରିକ୍ତ ଫିଲ୍ଡର ରଖି କୋହଲିଙ୍କୁ ଅଫ ଷ୍ଟମ୍ପ ଉପରେ ଆକ୍ରମଣ କରିଥିଲେ । ପିଚ୍‌ରୁ ଅତିରିକ୍ତ ବାଉନ୍ସ ମିଳୁଥିବାରୁ କୋହଲି ନିୟନ୍ତ୍ରଣ ହରାଇ ବସିଥିଲେ । ବ୍ୟକ୍ତିଗତ ୯ ରନ୍‌ କରି ସେ ଗଲି ଅଞ୍ଚଳରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ୨୫ ରନ୍‌ରେ ଭାରତ ୩ଟି ୱିକେଟ୍‌ ହରାଇ ଥିଲା ।

ପ୍ରଥମ ଟେଷ୍ଟ ପାଇଁ ଭାରତ ଚୂଡ଼ାନ୍ତ ଏକାଦଶରେ ରୋହିତ ଶର୍ମା ଓ ରବି ଚନ୍ଦ୍ରନ ଅଶ୍ୱିନଙ୍କୁ ସ୍ଥାନ ମିଳି ନଥିଲା । ଗତ ବିଶ୍ୱକପ୍‌ରେ ୫ଟି ଶତକ ଅର୍ଜନ କରି ବିଶ୍ୱ ରେକର୍ଡ ସ୍ଥାପନ କରିଥିବା ରୋହିତ ଉନ୍ନତ ଫର୍ମରେ ରହିଥିଲେ । ସେ ଗତ ୱେଷ୍ଟ ଇଣ୍ଡିଜ୍‌ ଏ’ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ଅର୍ଦ୍ଧ ଶତକ ଅର୍ଜନ କରିଥିଲେ । ହେଲେ ହନୁମା ବିହାରୀଙ୍କୁ ଅଗ୍ରାଧିକାର ଦିଆଯାଇଥିଲା । ସେହିପରି ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୪ଟି ଶତକ ଅର୍ଜନ କରିବା ସହ ୬୦ଟି ଟେଷ୍ଟ ୱିକେଟ୍‌ ନେଇ ସାରିଥିବା ଅଶ୍ୱିନ ଏକାଦଶରେ ସ୍ଥାନ ପାଇ ନଥିଲେ । ତାଙ୍କ ସ୍ଥାନରେ ରବିନ୍ଦ୍ର ଜାଡେଜା ଏକମାତ୍ର ସ୍ପିନର ଭାବେ ଦଳରେ ରହିଛନ୍ତି ।

   ସମ୍ବନ୍ଧିତ ଖବର


ଏହି ଅଷ୍ଟ୍ରେଲୀୟ କ୍ରିକେଟ ଖେଳାଳିଙ୍କ ପତ୍ନୀ ଭାଙ୍ଗିଲେ ଧୋନିଙ୍କ ଓ୍ବାର୍ଲ୍ଡ ରେକର୍ଡ

ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ସାହିଦ୍ ଆଫ୍ରିଦ୍, ମୋଦିଙ୍କକୁ ନେଇ କହିଲେ ଏହି କଥା

ସୁନୀଲ ଗାଭାସ୍କରଙ୍କ ଟିପ୍ପଣୀକୁ ନେଇ କଡା ଜବାବ୍ ଦେଲେ ଅନୁଷ୍କା ଶର୍ମା, କହିଲେ ଏଭଳି

ଡ୍ରଗ୍ସ ଜାଲରେ କ୍ରିକେଟରଙ୍କ ପତ୍ନୀ!

ବିରାଟ କୋହଲିଙ୍କ ଉପରେ ଲାଗିଲା ୧୨ ଲକ୍ଷ ଟଙ୍କାର ଜରିମାନା, ଜାଣନ୍ତୁ କ’ଣ ରହିଛି କାରଣ?

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟରଙ୍କ ହୃଦଘାତରେ ମୃତ୍ୟୁ