୫୨ ଘଣ୍ଟା ପରେ ମଧ୍ୟ ବରଫ ଭିତରେ ନିଖୋଜ ୫ ଆଇଟିବିପି ଯବାନ

ନୂଆଦିଲ୍ଲୀ,୨୨।୨: ହିମାଚଳ ପ୍ରଦେଶର କିନ୍ନୋର ଜିଲ୍ଲାରେ ପ୍ରବଳ ବରଫପାତ ଯୋଗୁଁ ଗତ ବୁଧବାର ଭାରତ-ତିବ୍ଦତ ସୀମାବଳ (ଆଇଟିବିପି)ର ୬ଜଣ ଯବାନ ଫଶି ଯାଇଥିଲେ। ଏହି ଦୁର୍ଘଟଣାରେ ମୋଟ ୬ ଜଣ ଯବାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୫ଜଣଙ୍କର ଏପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ। ଉଦ୍ଧାରକାରୀ ଦଳ ଗୁରୁବାର ପୁଣିଥରେ ରେସକ୍ୟୁ ଅପରେସନ୍ ଚଳାଇଥିଲେ। କିନ୍ତୁ ବରଫପାତ ଯୋଗୁଁ ନିଜର ସାଥୀ ସୈନିକଙ୍କୁ ଖୋଜିବାରେ ବିଫଳ ହୋଇଥିଲେ। ପ୍ରଶାସନ ପକ୍ଷରୁ ସନ୍ଦେହ କରାଯାଉଛି ଯେ ବରଫ ତଳେ ଦବି ହୋଇ ରହିଥିବା ସୈନିକଙ୍କ ବଞ୍ଚିବାର ସମ୍ଭାବନା ବହୁତ କମ୍।

ସର୍ଚ ଅପରେସନ୍ ଗତ ୩ ଦିନ ହେବ ଜାରି ରହିଛି। ଏହି ଘଟଣାକୁ ୫୨ ଘଣ୍ଟା ବିତି ସାରିଛି। କିନ୍ତୁ ତିବ୍ଦତ ସୀମା ପାଖରେ ଖରାପ ପାଣିପାଗ କାରଣରୁ ଉଦ୍ଧାରକାରୀ ଦଳ ସର୍ଚ ଅପରେସନ୍କୁ ଗୁରୁବାର ପୁଣିଥରେ ଆରମ୍ଭ କରିବାରେ ଅସମର୍ଥ ହୋଇଥିଲେ। ରାତିସାରା ବରଫପାତ ହେବା କାରଣରୁ ଶୁକ୍ରବାର ସକାଳେ ଅଭିଯାନ ଆରମ୍ଭ ହୋଇପାରିନଥିଲା। କିନ୍ତୁ ଆଶା କରାଯାଉଛି ଯେ ପାଣିପାଗ ସଫା ହେବାପରେ ପୁଣିଥରେ ଅଭିଯାନ ଆରମ୍ଭ କରାଯିବ।