ରାଜଧାନୀରେ ପଡ଼ୋଶୀଙ୍କ ବର୍ବର କାଣ୍ଡ: ଖେଳିବାକୁ ଡାକି ନେଇ ଶିଶୁର ତଣ୍ଟି ଚିପି ହତ୍ୟା କଲେ ମହିଳା

ଭୁବନେଶ୍ୱର ୪/୫: ରାଜଧାନୀରେ ଏକ ବର୍ବର କାଣ୍ଡ ଘଟିଯାଇଛି । ପଡ଼ୋଶୀ ଘରର ଶିଶୁପୁତ୍ରକୁ ଖେଳିବାକୁ ଡାକି ନେଇ ଜଣେ ମହିଳା ତା’ତଣ୍ଟି ଚିପି ହତ୍ୟା କରିଛନ୍ତି । ତେବେ ଅଭିଯୁକ୍ତ ମହିଳା ମଧ୍ୟ ଉକ୍ତ ଘରୁ ବେହୋସ୍‌ ଅବସ୍ଥାରେ ମିଳିଛନ୍ତି । ଶିଶୁକୁ ମାରିବା ପରେ ପଶ୍ଚାତାପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ଖଣ୍ଡିଗିରି ଥାନା ଅଧୀନ ଆଇଗିଣିଆ ଛକ ରାଜୀବ ନଗରରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ଶିଶୁ ହେଉଛି ମହିଳାଙ୍କ ପଡ଼ୋଶୀ ସମୀର ପାତ୍ରଙ୍କ ସାନ ପୁଅ ସାଇଶ୍ରୀ । ହତ୍ୟା ଅଭିଯୁକ୍ତ ମହିଳା ହେଉଛନ୍ତି ସୁବାସ ପରମାଣିକଙ୍କ ସ୍ତ୍ରୀ’ ତନୁଶ୍ରୀ ପରମାଣିକ(୩୭) ।

ପୂରା ଘଟଣାଟି ଏମିତି । ରାଜୀବ ନଗର ଏଚ୍‌ଆଇଜି ୩୦ର ‘ଲକ୍ଷ୍ମୀ ବାସୁଦେବ ଭବନ’ରେ ରହୁଛନ୍ତି ସମୀର । ତାଙ୍କର ୨ ପୁଅ । ବଡ ପୁଅ ଓମ୍‌ଶ୍ରୀ ଓ ସାନଟି ହେଉଛି ସାଇଶ୍ରୀ । ସମୀରଙ୍କ ଘରଠାରୁ ୨ଟି ଘର ଛାଡି଼ ଏମ୍‌ଆଇଜି-୩୯ ‘ନିର୍ମାଲ୍ୟ’ରେ ରୁହନ୍ତି ଡେପୁଟି ଚିଫ୍‌ ଲେବର କମିଶନର ଡ. ନାରାୟଣ ତ୍ରିପାଠୀ । ତାଙ୍କ ଘରେ ୨ ଦିନ ହେଲା ଭଡ଼ାରେ ରହୁଛନ୍ତି ସୁବାସ ଓ ତନୁଶ୍ରୀ । ସୁବାସ ଏମ୍ସରେ ଟେକ୍ନିସିଆନ୍‌ ଅଛନ୍ତି । ଉଭୟଙ୍କ ଗୋଟିଏ ୪ ବର୍ଷର ଝିଅଟିଏ ଅଛି ।
ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ସମୀରଙ୍କ ଘରକୁ ଯାଇଥିଲେ ତନୁଶ୍ରୀ । ତାଙ୍କ ଝିଅ ସହ ଖେଳିବାକୁ କହି ନିଜ ଘରକୁ ସାଇଶ୍ରୀକୁ ଡାକିଥିଲେ । ହେଲେ ସାଇଶ୍ରୀଙ୍କ ମା ଦିପ୍ତୀରାଣୀ ମନା କରିଥିଲେ । ଆଉ ଥରେ ଡାକିବାକ ଯାଇ ଖାଲି ହାତରେ ଫେରିଥିଲେ । ସାଢ଼େ ୧୨ଟା ବେଳେ ଦିପ୍ତୀରାଣୀ ନଥିବା ସୁଯୋଗରେ ସାଇଶ୍ରୀଙ୍କୁ ଫୁସଲାଇ ଡାକି ନିଜ ଘରକୁ ନେଇଥିଲେ ।

ଘଣ୍ଟାଏ ଯାଏଁ ସାଇଶ୍ରୀ ଘରକୁ ଫେରି ନ ଥିଲା । ବଡ଼ ଭାଇ ଓମ୍‌ଶ୍ରୀ ପଡୋଶୀଙ୍କ ଘରକୁ ଯାଇ ଦେଖିଲା ବେଳକୁ ସାଇଶ୍ରୀ ତଳେ ଅଚେତ୍‌ ଅବସ୍ଥାରେ ପଡି଼ଛି । ତାଙ୍କ ବେକରେ ଏକ ଓଢ଼ଣି ଗୁଡ଼ା ଯାଇଛି । ଖଟରେ ତନୁଶ୍ରୀ ମଧ୍ୟ ବେହୋସ୍‌ ଅବସ୍ଥାରେ ପଡି଼ଛନ୍ତି । ତାଙ୍କ ପାଖରେ କୁନି ଝିଅ ମୋବାଇଲ୍‌ ଧରି ଦେଖୁଛି । ଓମ୍‌ଶ୍ରୀ ଧାଇଁ ଯାଇ ଏ ଖବର ନିଜ ଘରେ ଜଣାଇଥିଲେ । ସାଇଶ୍ରୀଙ୍କ ପରିବାର ଲୋକ ତୁରନ୍ତ ତାଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ସାଇଶ୍ରୀକୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷେ ସୁବାସ ଘଟଣାସ୍ଥଳରେ ପହଞ୍ଚି ତନୁଶ୍ରୀଙ୍କୁ ଏମ୍ସ ହସ୍ପିଟାଲକୁ ନେଇଥିଲେ । ସେଠାରେ ତନୁଶ୍ରୀଙ୍କ ଚିକିତ୍ସା ଚାଲିଛି । ପାରିପାର୍ଶିକ ସ୍ଥିତିରୁ ତନୁଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳ ସହ ୨ଟି ହସ୍ପିଟାଲକୁ ଯାଇଛି । ପୁଲିସ୍‌ ସାଇଶ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ତନୁଶ୍ରୀ ରହୁଥିବା ରୁମ୍‌କୁ ସିଲ୍‌ କରିଛି । ଆସନ୍ତାକାଲି ସାଇଣ୍ଟିଫିକ୍‌ ଟିମ୍‌ ସେଠାକୁ ଯାଇ ଅନୁସନ୍ଧାନ କରିବ । ପୁଲିସ କହିଛି, ପାରିପାଶ୍ୱିର୍କ ସ୍ଥିତି ଓ ପ୍ରାଥମିକ ତଦନ୍ତରୁ ସାଇଶ୍ରୀକୁ ହତ୍ୟା କରା ଯାଇଥିବା ଜଣାପଡୁଛି । ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ତନୁଶ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ହେବା ପରେ ତାଙ୍କୁ ଘଟଣା ସମ୍ପର୍କରେ ପଚରା ଉଚରା କରାଯିବ । ପରେ ଘଟଣାରୁ ରହସ୍ୟ ଖୋଲିବ ।

   ସମ୍ବନ୍ଧିତ ଖବର


ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ବାଇକ୍‌ରେ ଯାଉଥିଲେ, ଚଢ଼ିଗଲା ଟ୍ରକ୍: ଅଜା-ନାତିଙ୍କ ଚାଲିଗଲା ଜୀବନ

ଉତ୍ତରପ୍ରଦେଶ ଆମେଠିରେ ଦଳିତ ଗାଁ ମୁଖିଆଙ୍କ ସ୍ବାମୀକୁ ଜୀଅନ୍ତା ଜଳାଇ ହତ୍ୟା…

ମୁହାଁ ମୁହିଁ ଧକ୍କା ହେଲା ଟ୍ରକ୍‌ : ଗୁରୁତର ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି

ଆଜି ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ: ସବୁଠି କୋଭିଡ୍‌ ନିୟମ ଅନୁସାରେ ହେବ ପୂଜା, ଦର୍ଶନ କରିବେନି ଭକ୍ତ