ଆଇସିଡିଏସ୍‌ ପ୍ରକଳ୍ପମାନଙ୍କରେ ଆରମ୍ଭ ହେଲା ନିର୍ଦ୍ଧିଷ୍ଟ ଦିନରେ ଛତୁଆ ମିଶ୍ରଣ ପ୍ରକ୍ରିୟା

ଭୁବନେଶ୍ୱର ୨୩/୦୮  ସମନ୍ୱିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତୀ ମା’ମାନଙ୍କୁ ଅତିରିକ୍ତ ପୁଷ୍ଟି ସାଧନ ପାଇଁ ଛତୁଆ ଯୋଗାଣ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଏବଂ ଉତ୍କୃଷ୍ଟ ମାନ ବଜାୟ ରଖିବା ଲକ୍ଷ୍ୟରେ ପ୍ରତି ମାସର ୨୩ ତାରିଖକୁ ଛତୁଆ ମିଶ୍ରଣ ପାଇଁ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସାରା ରାଜ୍ୟର ୩୩୮ଟି ଆଇସିଡିଏସ୍‌ ପ୍ରକଳ୍ପ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଛତୁଆ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ପୂର୍ବରୁ ଜାରି କରାଯାଇଥିବା ସଂଶୋଧିତ ଗାଇଡ୍‌ ଲାଇନ୍‌ ଅନୁଯାୟୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସିଡିପିଓ କିମ୍ବା ମିଶନଶକ୍ତିର ପ୍ରୋଗ୍ରାମ ଅଧିକାରୀମାନଙ୍କ ଉପସ୍ଥିତିରେ ନିର୍ଦ୍ଧାରିତ ପରିମାଣର ସାମଗ୍ରୀ ମିଶ୍ରଣ କରି ଛତୁଆ ପ୍ରସ୍ତୁତ କରାଯାଇଛି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ପ୍ରତି ଜିଲ୍ଲାରେ ଚାଲିଥିବା ମିଶ୍ରଣ ପ୍ରକ୍ରିୟାରେ ସାମଗ୍ରୀର ମାନ, ଛତୁଆ ପ୍ରସ୍ତୁତି କେନ୍ଦ୍ରର ଭିତ୍ତିଭୂମି, ସ୍ୱଚ୍ଛତା, ବ୍ୟବହୃତ ଯନ୍ତ୍ର ସାମଗ୍ରୀର ଗୁଣବତ୍ତା, ପ୍ୟାକେଜିଂ ପ୍ରଭୃତିକୁ ନିରୀକ୍ଷଣ ଏବଂ ତଦାରଖ କରାଯାଉଛି । କେଉଁଝର ଜିଲ୍ଲାରେ ଜିଲ୍ଲାପାଳ ଉପସ୍ଥିତ ରହି ଏହି ଛତୁଆ ମିଶ୍ରଣ କାର୍ଯ୍ୟର ତଦାରଖ କରିଥିଲେ ।

ପ୍ରକାଶ ଥାଉ କି, ଛତୁଆ ପ୍ରସ୍ତୁତି ପାଇଁ ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧ ବର୍ଷିଆ ଚୁକ୍ତିରେ ଚୟନ କରାଯାଇ ଛତୁଆ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି । ଗହମ, ବାଦାମ, ବୁଟ ଏବଂ ଚିନିର ମିଶ୍ରଣରେ ପ୍ରସ୍ତୁତ ଛତୁଆକୁ ୬ ମାସରୁ ୩ ବର୍ଷ ବୟସର ଶିଶୁ, ଗର୍ଭବତୀ, ପ୍ରସୂତି ଏବଂ ୩ରୁ ୬ ବର୍ଷର ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ଭାବେ ଯୋଗାଇ ଦିଆଯାଉଛି । ଏଣିକି ପ୍ରତିମାସ ୧ ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ମାତୃକମିଟି ଓ ଯାଞ୍ଚ କମିଟି ଉପସ୍ଥିତିରେ ଛତୁଆ ବଣ୍ଟନ କରାଯିବ । ଛତୁଆ ମିଶ୍ରଣ ପାଇଁ ନିର୍ଦ୍ଧାରିତ ୨୩ ତାରିଖ ଛୁଟି ଦିନ ଥିଲେ ମଧ୍ୟ ସେହି ଦିନ ହିଁ ଛତୁଆ ମିଶ୍ରଣ କରାଯିବ । ଆଜି ସାରା ରାଜ୍ୟରେ ଜନ୍ମାଷ୍ଟମୀ ପାଇଁ ସରକାରୀ ଛୁଟି ଥିଲେ ମଧ୍ୟ ଛତୁଆ ମିଶ୍ରଣ କରାଯାଇଛି ।

ଏହା ଦ୍ୱାରା ଛତୁଆ ଯୋଗାଣ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଆସିବା ସହ ହିତାଧିକାରୀମାନେ ଉନ୍ନତ ମାନର ଛତୁଆ ପାଇପାରିବେ ବୋଲି ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଶା ବ୍ୟକ୍ତ କରିବା ସହ ଏହି ପ୍ରକ୍ରିୟା ସହ ଜଡ଼ିତ ସବୁ ଅଧିକାରୀମାନେ ଗାଇଡ୍‌ ଲାଇନ୍‌ର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ସମ୍‌ରେ ସଫଳ କିଡ୍‌ନୀ ପ୍ରତିରୋପଣ – ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଉଛି ସମ୍ ଅଲ୍ଟିମେଟ୍ ମେଡିକେୟାର

ସରକାରୀ ହସ୍ପିଟାଲରେ ଟ୍ରୁନାଟରେ ପରୀକ୍ଷା ବନ୍ଦ

ବିଜୁଳି ଦରବୃଦ୍ଧି, ଘେରିଲେ ବିରୋଧୀ

ଏଥର ସନ୍ଧ୍ୟାରେ ସଅଳ ବଜାର ବନ୍ଦ !

ସମ୍‌ ଡାକ୍ତରଙ୍କ ସଫଳ ଚିକିତ୍ସା -ଜଟିଳ ହୃଦରୋଗରୁ ସୁସ୍ଥ ହେଲେ ବୃଦ୍ଧ

ଦିଗପହଣ୍ଡିରେ କୃଷି ଓ କୃଷକ ବିରୋଧୀ ବିଲ୍ ବିରୋଧରେ ଗଣଧାରଣା ଓ ପ୍ରତିବାଦ ସଭା