ବିପଦ ସଙ୍କେତରେ ବୈତରଣୀ ! ଉପରମୁଣ୍ଡରେ ବର୍ଷା, ତଳିଆ ଅଞ୍ଚଳ ଜଳମଗ୍ନ

ଭଣ୍ଡାରିପୋଖରୀ,୨୧/୦୮: ଲଘୁଚାପ ଜନିତ ଲଗାଣ ବର୍ଷା ଦୁଇଦିନ ଧରି ଲାଗି ରହିଛି। ବୈତରଣୀ ନଦୀର ଉପରମୁଣ୍ଡରେ ବର୍ଷା ପରିମାଣ ଯୋଗୁଁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସନ୍ଧ୍ୟା ସାତଟା ସୁଦ୍ଧା ନଦୀର ଜଳସ୍ତର ଆଖୁଆପଦା ଠାରେ ୧୭.୭୪ ମିଟରରେ ପ୍ରବାହିତ ହେଉଛି । ଏଠାରେ ବିପଦସଙ୍କେତ ସ୍ତର ୧୭.୮୩ ମିଟର ରହିଛି । ମଧ୍ୟ ରାତ୍ର ସୁଦ୍ଧା ନଦୀର ଜଳସ୍ତର ବିପଦସଙ୍କେତସ୍ତର ଅତିକ୍ରମ କରି ୧୮.୧୦ ମିଟରକୁ ସ୍ପର୍ଶ କରିପାରେ ବୋଲି ଜଳସମ୍ପଦ ବିଭାଗ ଆକଳନ କରିଛି ।

ଗତ ଚବିଶ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡ କେନ୍ଦୁଝରରେ ୫୨.୮ ମିମି, ଚମ୍ପୁଆରେ ୭୨.୬ ମିମି, ଠାକୁରମୁଣ୍ଡାରେ ୭୧.୦ ମିମି, ସ୍ୱାମୀପାଟଣାରେ ୪୮.୮ ମିମି, ଆନନ୍ଦପୁରରେ ୯୪.୨ ମିମି ଓ ଆଖୁଆପଦାରେ ସର୍ବାଧିକ ୧୫୬.୪. ମିମି. ବର୍ଷା ରେକର୍ଡ କରାଯାଇଛି ବୋଲି ଆଖୁଆପଦାସ୍ଥିତ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟର ବନ୍ୟା ନିୟନ୍ତ୍ରଣ କକ୍ଷ ସୂଚନା ଦେଇଛି । ଏଥିଯୋଗୁଁ ନଦୀରେ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ବନ୍ୟା ପରିସ୍ଥିତି ସେତେ ଗମ୍ଭୀର ହେବ ନାହିଁ ବୋଳି ଉଭୟ ଜିଲ୍ଲା ପ୍ରଶାସନ ଓ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗୁରୁବାର ସକାଳେ ଜିଲ୍ଲାପାଳ ଜ୍ଞାନ ଦାସ ଆଖୁଆପଦା ଆନିକଟକୁ ଯାଇ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ସହ ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡେଶ୍ୱର ବେହେରା, ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦାସଙ୍କ ସହ ସମୀକ୍ଷା କରିଥିଲେ । ବିଡିଓ ବିଜୟ କୁମାର ସାହୁ ମଧ୍ୟ ସମୀକ୍ଷାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଭଣ୍ଡାରିପୋଖରୀ ବ୍ଲକ ବନ୍ୟା ନିୟନ୍ତ୍ରଣ ପାଇଁ ଦାୟିତ୍ୱ ଅର୍ପଣ କରାଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟାକୁ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଡିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ବ୍ଲକ ଅଞ୍ଚଳରେ ୧୭୮ ମିଲିମିଟର ବର୍ଷା ହୋଇଥିବାରୁ ଖାଲୁଆ ଅଞ୍ଚଳ ଜଳ ପୂର୍ଣ୍ଣ ହୋଇଛି । ଅବରୋଧ ସମସ୍ୟା ଯୋଗୁଁ ବହୁ ବସ୍ତି, ଚାଷଜମି ଓ ରାସ୍ତା ଜଳମଗ୍ନ ହୋଇ ରହିଛି । ଗୁରୁବାର ଅପରାହ୍ନରେ ବର୍ଷା ପରିମାଣ କମିଯାଇଥିବାରୁ ପରିସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି ।