୫ ବର୍ଷ ବୟସରୁ ମଡେଲିଂ ଓ ଆକ୍ଟିଂରେ ଫ୍ଲୋରିନାଙ୍କ ଋଚି

ମୟୂରଭଞ୍ଜ ୨୭/୧୧: ମାତ୍ର ୫ ବର୍ଷ ବୟସରେ ସେ କୁନି କୁନି ପାଦରେ ନୃତ୍ୟ କରି ଆସୁଛନ୍ତି । ଝିଅର ନୃତ୍ୟରେ ଋଚି ଦେଖି ବାପା ମାଆ ତାଙ୍କୁ ପ୍ରଥମେ ନଂର ୱାନ ଡ୍ୟାନ୍‌ସ ଗ୍ରୁପରେ ନୃତ୍ୟ ଶିକ୍ଷା ଦେବା ସହିତ ଏବେ ରୟାଲ କିଙ୍ଗଡମରେ ଗୁରୁ କବିର ସାରଙ୍କ ପାଖରେ ନୃତ୍ୟ ଶିକ୍ଷା ଦେଉଛନ୍ତି ।

ନିର୍ମଳେନ୍ଦୁ କୁମାର ସାହୁ ଓ ଶକୁନ୍ତଳା ସାହୁଙ୍କ ଏକମାତ୍ର ଅଲିଅଳି କନ୍ୟା ଫ୍ଲୋରିନା ଓରଫ୍‌ ସିମୁନ ଭଲ ପାଠ ପଢି ଡାକ୍ତର ହେବାକୁ ଇଚ୍ଛା ରଖିଥିବା ବେଳେ ମଡର୍ଣ୍ଣ ଓ ଛଉ ନୃତ୍ୟ ସହ ମଡେଲିଂ ଓ ଆକ୍ଟିଂରେ ଋଚି ରଖନ୍ତି। କଳାକ୍ଷେତ୍ର ବାରିପଦା ଲାଲବଜାରର ଏଇ ଟଲଣ୍ଟେଡ ଝିଅ ଶ୍ରୀ ସତ୍ୟସାଇ ବିଦ୍ୟା ବିହାର ରେ କ୍ଲାସ ଇଲଭେନର ଛାତ୍ରୀ । କ୍ଲାସ ୭ରେ ପଢୁଥିବା ବେଳେ ୧୨ ବର୍ଷ ବୟସରେ ୨୦୧୬ରେ ଜୀ ସାର୍ଥକର ଡ୍ୟାନ୍‌ସ ଓଡ଼ିଶା ଡ୍ୟାନ୍‌ସର ଲିଟିଲ ମାଷ୍ଟର ଥିଲେ ।

ତରଙ୍ଗ ଟିଭିରେ ପ୍ରସାରିତ ରାନୀ ସିରିଏଲରେ ନିପା ଭୂମିକାରେ ଶିଶୁକଳାକାର ଭାବେ ୩୦ଟି ଯାକ ଏପିସୋଡରେ ବେଶ ନିଖୁଣ ଭାବେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଫ୍ଲୋରିନା ଅସିତ ପତିଙ୍କ ‘ରିଭେଞ୍ଜ’ ସିନେମାରେ ନାୟିକାଙ୍କ ଛୋଟ ବେଳର ଭୂମିକା ନିର୍ବାହ କରିଥିଲେ । ଏହାଛଡା କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ମଣ୍ଟୁ ଛୁରୀଆଙ୍କ ପ୍ରେମ ତୁରୀ ଆଲବମରେ ଲିଡ ରୋଲରେ ଅଭିନୟ କରିଛନ୍ତି । ପିଲାଟି ବେଳରୁ ତାଙ୍କର ପ୍ରତିଭା ପାଇଁ ପୁରୀ ଶିଶୁ ସମାଚାର, ବାରିପଦା ପୌରପରିଷଦ ସମେତ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।