ଫୁଲ ଦର ଆକାଶଛୁଆଁ: ଫୁଲ ବଜାରକୁ ତେଜେଇଲା ନିର୍ବାଚନ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ଫୁଲ ବେପାରୀଙ୍କ ଏବେ କଚ୍ଚେ ପୁଅ ବାର । ଯାନି ଯାତ୍ରା ନାହିଁ କି ପାର୍ବଣ ନାହିଁ । ହେଲେ ଫୁଲ ଦର ହଠାତ୍‌ ଆକାଶଛୁଆଁ ହୋଇଯାଇଛି । ଖରାଦିନିଆ ନିର୍ବାଚନ ଫୁଲ ବଜାରକୁ ଉପରକୁ ଉଠାଇ ଦେଇଛି । କେବଳ ପ୍ରାର୍ଥୀଙ୍କ ଗଳାରେ ଫୁଲର ହାର ଶୋଭା ପାଉନି । ସଭା ମଞ୍ଚଠୁ ଆରମ୍ଭ କରି ପ୍ରଚାର ଗାଡ଼ି ଫୁଲ ନହେଲେ ଗଡୁନି । ନେତାଙ୍କୁ ସ୍ୱାଗତ କରିବା ପାଇଁ କିଏ ବିଶାଳ ଫୁଲହାର ବନାଉଛନ୍ତି ତ ଆଉ କିଏ ଫୁଲରେ ତୋରଣ ଛିଡ଼ା କରାଉଛନ୍ତି ।

ରାଜଧାନୀରେ ଏବେ ଫୁଲର ଚାହିଦା ବହୁଗୁଣ ବଢ଼ିଛି । ସାଧାରଣ ଦିନ ବେପାର ଅପେକ୍ଷା ଗତ ତିନି-ଚାରି ସପ୍ତାହ ହେବ ବେପାର ଜୋର ଧରିଛି । ରାଜ୍ୟର ଆମଦାନୀଠାରୁ ଚାହିଦା ଢ଼େର ଅଧିକ ଥିବାରୁ ବାହାର ରାଜ୍ୟରୁ ତଥା ବିଦେଶୀ ଫୁଲ ଟନ୍‌ ଟନ୍‌ ପ୍ରତିଦିନ ବଜାରକୁ ପଶୁଛି । ଫୁଲ ଭିତରେ ସବୁଠୁ ଅଧିକ ମାର୍କେଟ ରହିଛି ଗେଣ୍ଡୁ ଆଉ ଗୋଲାପ । ସଭାସମିତିର ପେଣ୍ଡାଲ ହେଉ କି ପ୍ରଚାର ଗାଡ଼ି ଯୁଆଡ଼େ ଦେଖିଲେ ଖାଲି ଗେଣ୍ଡୁ ଫୁଲ ମାଳ ମାଳ । ଏସବୁକୁ ଦୃଷ୍ଟିରେ ରଖି ରାଜଧାନୀର ଫୁଲ ଦୋକାନୀ ଗୁଡ଼ିକ ମଧ୍ୟ ଫୁଲ ଆମଦାନୀକୁ ବଢ଼ାଇ ଦେଇଛନ୍ତି । ସାଧାରଣ ଦିନରେ ଯେତିକି ପରିମାଣରେ ଫୁଲ ଆଣୁଥିଲେ ଏବେ ତା’ଠୁ ଢ଼େର ଅଧିକ ଫୁଲ ଆମଦାନୀ କରୁଛନ୍ତି । ବାଙ୍ଗାଲୋର, କୋଲକାତା, ହାଇଦ୍ରାବାଦ ଆଦିରୁ ବିଭିନ୍ନ ରକମର ଗୋଲାପ, ଲିଲି, ଜର୍ଜରା, ଗେଣ୍ଡୁ ଫୁଲ ଆଣୁଛନ୍ତି । ଏସମ୍ପର୍କରେ ଏକନମ୍ବର ହାଟସ୍ଥିତ ମା’ ରାମଚଣ୍ଡୀ ଫ୍ଲୋରିଷ୍ଟର ରାଜେଶ କୁମାର କୁହନ୍ତି, କର୍ମୀ ଜାଣିଛନ୍ତି ତାଙ୍କ ନେତାଙ୍କ ପସନ୍ଦ କ’ଣ । ସେହି ଅନୁସାରେ ଫୁଲର ବରାଦ ଦେଉଛନ୍ତି । ଯେମିତି ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ ଲିଲିୟମ୍‌ । ତାଙ୍କୁ କେହି ଯଦି ଫୁଲତୋଡ଼ାଟିଏ ଦେବାକୁ ଚାହୁଁଛନ୍ତି ତେବେ ପ୍ରଥମେ ସେ ଖୋଜୁଛନ୍ତି ଲିଲିୟମ୍‌ । ପୂର୍ବରୁ କେବଳ ସରକାରୀ କାର୍ଯ୍ୟକ୍ରମ କି ଅନ୍ୟ କୌଣସି କାର୍ଯ୍ୟକ୍ରମ ହେଲେ ଲିଲିୟମ୍‌ ଫୁଲ ବିକ୍ରି ହୁଏ । ବର୍ତ୍ତମାନ ନିର୍ବାଚନ ପାଇଁ ଗତ ମାସକ ଭିତରେ ଅନେକ ଲିଲିୟମ୍‌ ଫୁଲତୋଡ଼ା ବିକ୍ରି ହୋଇଛି । ସେହିପରି ଗେଣ୍ଡୁ ଫୁଲର ବେପାର ବି ଢ଼େର ଗୁଣା ବଢ଼ିଯାଇଛି ।

ଫୁଲମାଳରେ ସମସ୍ତଙ୍କ ଆଖିଦୃଶିଆ ହୁଏ ଆଠ-ଦଶ ଫୁଟିଆ ବଡ଼ ଫୁଲ ହାର । ବିଶାଳ ସଭାମଞ୍ଚରେ ଏହି ଫୁଲହାରକୁ ୧୦ରୁ ୧୫ ଜଣ ବ୍ୟକ୍ତି ଅତିଥିଙ୍କ ଆଗରେ ରଖି ଗ୍ରୁପ୍‌ ଫଟୋ ନିଅନ୍ତି । ବର୍ତ୍ତମାନ ନିର୍ବାଚନରେ ବଡ଼ ବଡ଼ ଦଳୀୟ ସଭା ହୋଇଛି । ଏଥିରେ ଏହି ଫୁଲହାର କର୍ମୀମାନେ ଅତିଥିଙ୍କୁ ପିନ୍ଧାଉଥିବାର ନଜର ଆସିଛି । ଯାହାକି ସଭାର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିଛି । ଏହାର ଦାମ୍‌ ଲମ୍ବା ଓ ମୋଟେଇ ହିସାବରେ ବିକ୍ରି କରାଯାଏ । ବଡ଼ ଫୁଲ ହାରର ଦାମ୍‌ ୨୦୦୦ ଟଙ୍କାରୁ ଆରମ୍ଭ ହୋଇ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଯଦି ଖାଲି ଗେଣ୍ଡୁମାଳରେ ତିଆରି କରାଯାଏ ତେବେ ୨୦୦୦ରୁ ୮୦୦୦ ଟଙ୍କା ଭିତରେ ବିକ୍ରି କରାଯାଏ । ସେହିପରି କେବଳ ଗୋଲାପରେ ତିଆରି ହେଲେ ୧୦ରୁ ୧୫ ହଜାର ଟଙ୍କା ପଡ଼େ । ଆଉ ଗଜରା, ଗେଣ୍ଡୁ, ଜର୍ଜରା ଓ ଗୋଲାପ ଆଦି ଫୁଲକୁ ମିଶାଇ ବଡ଼ ଫୁଲମାଳ ତିଆରି କରାଗଲେ ଏହାର ଦାମ୍‌ ୫୦୦୦ରୁ ୧୦୦୦୦ ଭିତରେ ରୁହେ । ତେବେ ଏହି ବଡ଼ ଫୁଲମାଳକୁ ତିଆରି କରିବାକୁ ୩ରୁ ୫ଘଣ୍ଟା ସମୟ ଲାଗେ ବୋଲି ରାଜେଶ କହିଛନ୍ତି ।

ଅନ୍ୟପକ୍ଷରେ ଖରାରେ ଫୁଲର ଦାମ୍‌ ଓ ଏହାର ରକ୍ଷଣାବେକ୍ଷଣ ବିଷୟରେ ଗୋପବନ୍ଧୁ ଛକରେ ଫୁଲ ଦୋକାନ କରିଥିବା ଦୋକାନୀ ସୂର୍ଯ୍ୟକାନ୍ତ ସ୍ୱାଇଁ କହିଛନ୍ତି, ଖରାଦିନରେ ଫୁଲ ବହୁତଦିନ ରୁହେ ନାହିଁ । ଏହାକୁ ସତେଜ ରଖିବା ପାଇଁ ଏସି ଓ ଫ୍ରିଜର୍‌ରେ ରଖାଯାଏ । ଫଳରେ ଅନ୍ୟଦିନ ଠାରୁ ଏଦିନରେ ଦାମ୍‌ ଟିକିଏ ଚଢ଼ା ରହିଛି । ଏହାସହ ନିର୍ବାଚନ ପାଇଁ ମଧ୍ୟ ଦାମ୍‌ ବଢ଼ିଛି । ଖରା ପାଇଁ ପ୍ରାୟ ଫୁଲର ଦର ପୂର୍ବଅପେକ୍ଷା ଦୁଇଗୁଣି ବଢ଼ିଛି । ଲିଲିୟମ୍‌ ଫୁଲର ଦାମ୍‌ ଗୋଟାକୁ ୨୦୦ ଟଙ୍କା ଲେଖାଏଁ ବିକ୍ରି ହେଉଛି । ସେହିପରି ଗୋଲାପ ୧୦ରୁ ୫୦ ଟଙ୍କା ମଧ୍ୟରେ ବିକ୍ରି କରାଯାଉଛି । ଦିନକୁ ୫୦୦୦୦ରୁ ୬୦୦୦୦ ଟଙ୍କା ବ୍ୟବସାୟ ହେଉଛି ।

   ସମ୍ବନ୍ଧିତ ଖବର


କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଓଡ଼ିଶାରେ ଦିନ ୧ଟାରେ ଆରମ୍ଭ ହେବ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ