ପୁଣି ଲାଣ୍ଡଫଲ୍ ସମୟ ବଦଳାଇଲା ‘ଫୋନି’, ଶୁକ୍ରବାର ସକାଳେ ଭୟଙ୍କର ରୂପ ଧରି ସ୍ଥଳଭାଗ ଛୁଇଁବ

ଭୁବନେଶ୍ୱର ୨/୫: ପୁଣି ଲାଣ୍ଡଫଲ୍ ସମୟ ବଦଳାଇଲା ଫୋନି । ଆସନ୍ତାକାଲି ମଧ୍ଯାହ୍ନ ୧୨ ଟାରେ ସ୍ଥଳଭାଗ ଛୁଇଁବାକୁ ଥିବା  ସାମୁଦ୍ରିକ ଝଡ ଫୋନି ସକାଳ ୮ଟାରୁ ୧୦ଟା ମଧ୍ଯରେ ଲାଣ୍ଡଫଲ୍ ହେବ । ଫୋନିର ବେଗ ଘଣ୍ଟା ପ୍ରତି ପୁଣି ୧ କିଲୋମିଟର ବଢିଥିବାରୁ ଅନୁମାନ କରାଯାଇଥିବା ସମୟ ପୂର୍ବରୁ ଲାଣ୍ଡଫଲ କରିବ ଫୋନି । ଏନେଇ ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟିର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । 

ପୁରୀଠାରୁ ୩୨୦ କିଲୋମିଟର ଦୂରରେ ବାତ୍ଯା ଫୋନି । ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ଯରେ ଲାଣ୍ଡଫଲ୍ କରିବ । ଏବେ ଘଣ୍ଟାକୁ ପ୍ରାୟ ୧୭ କିମି ବେଗରେ ଓଡିଶା ମୁହାଁଉଛି ଫୋନି । ପୁରୀ ପାଖାପାଖି ଅଞ୍ଚଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଲାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୦ରୁ ୧୮୦ କିମି ହେବ । କେତେକ ସ୍ଥାନରେ ବେଗ ଘଣ୍ଟାକୁ ୨୦୦ କିମି ମଧ୍ଯ ରହିବ ।

ଫୋନି ଶୁକ୍ରବାର ସକାଳ ୬ ଟାରୁ ୧୦ଟା  ମଧ୍ୟରେ ଓଡ଼ିଶା ଉପକୂଳ ସ୍ପର୍ଶ କରିବ ବୋଲି ସି.ଇ.ସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ।  ଏହାର ପ୍ରଭାବରେ ପବନର ବେଗ ବଢ଼ିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ଏହି ସମୟରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର ସମେତ ଗଞ୍ଜାମର ଉତରାଂଚଳରେ ଏହାର ପ୍ରଭାବ ପଡ଼ିବ ବୋଲି ଜଣାପଡ଼ିଛି । ଏହି ଘୂର୍ଣ୍ଣିବାତ୍ୟାର ପ୍ରଭାବ କଟକ, ଯାଜପୁର, ନୟାଗଡ଼, ମୟୁରଭଞ୍ଜ, କେନ୍ଦୁଝର ଓ ଢ଼େଙ୍କାନାଳରେ ମଧ୍ୟ ଅନୁଭୂତ ହେବ । ଫୋନିର କେନ୍ଦ୍ର ଅତ୍ୟନ୍ତ ବିସ୍ତୃତ ଓ ଏହା ପ୍ରାୟ ୨୪ କି.ମି ଲମ୍ବା ବୋଲି ଡ. ସାହୁ କହିଛନ୍ତି । 

ଗୁରୁବାର ଫୋନି ନିଜ ଟ୍ରେଲର ରାଜଧାନୀରେ ଦେଖାଇ ସାରିଲାଣି । ଆଜି ମଧ୍ଯାହ୍ନରେ ଭୁବନେଶ୍ୱରରେ ବର୍ଷା ହୋଇଛି । ଅପରାହ୍ନରେ ମଧ୍ଯ କିଛି ସ୍ଥାନରେ ବର୍ଷା ଲାଗିରହିଛି । ଭୁବନେଶ୍ୱର ସମେତ ପୁରୀ, ପାରାଦୀପ, କେନ୍ଦ୍ରାପଡା, ଗଜପତିରେ ମଧ୍ଯ ବର୍ଷା ହୋଇଛି ।  ତେବେ ଫୋନି ପ୍ରଭାବରେ ଆଜି ରାତିରୁ ବର୍ଷା ବଢିବ । ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବ । ଚିଲିକାରେ ପବନର ବେଗ ଅଧିକ ରହିବ ।

ଅନ୍ଯପଟେ ଫୋନି ପାଇଁ ସୁରକ୍ଷା ବ୍ଯବସ୍ଥା ନେଇ ଶକ୍ତି ସଚିବ ହେମନ୍ତ ଶର୍ମା ପ୍ରତିକ୍ରିୟା ରଖିଛନ୍ତି । ସୂଚନା ଅନୁସାରେ ପବନର ବେଗ ୫୦ ଛୁଇଁଲେ ବିଦ୍ଯୁତ୍ ସରବରାହ କାଟି ଦିଆଯିବ । ବାତ୍ଯା ପବନ କମିବା ପରେ ସବୁ ଅଞ୍ଚଳ ତନ୍ନ ତନ୍ନ କରି ଯାଞ୍ଚ କରାଯାଇ ଆବଶ୍ଯକ ମରାମତି ପରେ ବିଦ୍ଯୁତ୍ ସଂଯୋଗ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ ଭୟଙ୍କର ଭାବେ ମାଡିଆସୁଛି ‘ଫୋନି’, ଜାଣନ୍ତୁ ଟିକିନିଖି ଖବର

ଅଧିକ ପଢନ୍ତୁ ରାତି ପାହିଲେ ବିପଦ: ଆଉ ୪୦ ଟ୍ରେନ୍ ବାତିଲ, ଟ୍ୱିନସିଟିରେ ପବନର ବେଗ ୧୦୦ ଟପିବ