ଭୁଲିଯିବା ବୁଦ୍ଧିମାନ ଲୋକର ଲକ୍ଷଣ: ବୈଜ୍ଞାନିକମାନଙ୍କ ଦ୍ୱାରା ଅଧ୍ୟୟନରୁ ଜଣାପଡ଼ିଛି…

ଲଣ୍ଡନ ୩/୧୧: ଅନେକ ଲୋକ ବେଳେ ବେଳେ କିଛି ଭୁଲିଯାଇଥିବାର ଅନୁଭବ କରନ୍ତି । ସମୟାନୁସାରେ ମନ ଓ ମସ୍ତିଷ୍କରୁ ଅନେକ ତଥ୍ୟ ବିସ୍ମୃତ ହୋଇଯାଇଥାଏ। ତେବେ ସମସ୍ତେ ଏ ପ୍ରକାର ଲକ୍ଷଣକୁ ନକାରାତ୍ମକ ଦୃଷ୍ଟିରେ ଦେଖିଥାନ୍ତି। ସେମାନେ ଏହାକୁ ଉକ୍ତ ବ୍ୟକ୍ତି ବିଶେଷର ଦୁର୍ବଳତା ବୋଲି ମନେ କରନ୍ତି । କିନ୍ତୁ ଏବେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଭୁଲିଯିବା ପ୍ରକୃତରେ ଏକ ଭଲ ଲକ୍ଷଣ । ଏହା ବୁଦ୍ଧିମାନ ବ୍ୟକ୍ତିଙ୍କ ଲକ୍ଷଣ ଅଟେ । ତେଣୁ କେହି ଭୁଲିଯାଉଥିଲେ ନିଜକୁ ହୀନ ମନେ କରିବା ଉଚିତ୍‌ ନୁହେଁ ।

ଏହି ଗବେଷକମାନଙ୍କ ଅନୁସାରେ, ମଣିଷ ମସ୍ତିଷ୍କର କ୍ଷମତା ସୀମିତ । ଏହା ସବୁ କିଛି ମନେ ରଖିପାରିବ ନାହିଁ । ତେଣୁ ସମୟାନୁସାରେ ଏଥିରୁ କିଛି ତଥ୍ୟ ହଟିଯାଇଥାଏ । ଏହାର ଅନ୍ୟ ଏକ କାରଣ ବି ରହିଛି । ତାହା ହେଉଛି କି ମସ୍ତିଷ୍କ ସବୁବେଳେ ତା’ ନିକଟରେ ସଂରକ୍ଷିତ ତଥ୍ୟଗୁଡିକ ଭିତରେ ତୁଳନା କରିଥାଏ ଏବଂ ଅପେକ୍ଷାକୃତ କମ୍‌ ଗୁରୁତ୍ୱପୂର୍ଣ୍ଣ ମନେ ହେଉଥିବା ତଥ୍ୟକୁ ବାଦ୍‌ ଦେଇଥାଏ । ଏହାଯୋଗୁ ସେଇ ବ୍ୟକ୍ତିର ଚିନ୍ତା କରିବାର ପ୍ରକ୍ରିୟା ଅଧିକ ପାରଦର୍ଶୀ ହୋଇଥାଏ।

ଉଦାହରଣ ସ୍ୱରୂପ: କିଛି ଲୋକ ଥାନ୍ତି ଯେଉଁମାନେ ଗୋଟିଏ ରାସ୍ତା ଦେଇ ଗଲେ ବହୁ ବର୍ଷ ଯାଏଁ ତା’କୁ ମନେ ରଖିଥାନ୍ତି। ସେମାନେ ପୁଣି ଥରେ ସେଇ ବାଟ ଦେଇ ଗଲେ, କେଉଁଠି କେଉଁ ଦିଗ ଆଡକୁ ଯିବାକୁ ହେବ ତାହା ସେମାନଙ୍କର ପୂରା ମନେ ଥାଏ । କିନ୍ତୁ ଆଉ କିଛି ଲୋକ ଥାଆନ୍ତି ଯେଉଁମାନେ ସେଇ ବାଟ ଦେଇ ବାରମ୍ବାର ଯାଉଥିଲେ ବି ସେମାନଙ୍କର ତାହା ମନେ ରହେ ନାହିଁ । ତେଣୁ ସେମାନେ ସେଇ ବାଟ ଦେଇ ଗଲେ ଅଧିକାଂଶ ସମୟରେ ଅସୁବିଧାରେ ପଡନ୍ତି ।

ବୈଜ୍ଞାନିକଙ୍କ ଅନୁସାରେ ଏପରି ହେବାର କାରଣ ହେଉଛି କି ଭୁଲିଯାଉଥିବା ବ୍ୟକ୍ତିଙ୍କ ମସ୍ତିଷ୍କରେ ସେଇ ରାସ୍ତା ସମ୍ପର୍କିତ ତଥ୍ୟ ଠାରୁ ଆହୁରି ଗୁରୁତ୍ୱପୂର୍ଣ୍ଣ କିଛି ତଥ୍ୟ ସଂରକ୍ଷିତ ହୋଇରହିଛି। ତେଣୁ ମସ୍ତିଷ୍କ ସେଗୁଡିକ ଭିତରେ ତୁଳନା କରି ଅପେକ୍ଷାକୃତ କମ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିବା ତଥ୍ୟକୁ ବାଦ୍‌ ଦେଇଛି। ସେହିପରି ମସ୍ତିଷ୍କରେ ଗୁଡାଏ ତଥ୍ୟ ରହିଲେ, ସେଗୁଡିକର ବିଶ୍ଲେଷଣ କରିବା ବି ମୁସ୍କିଲ ହୋଇଥାଏ। ତେଣୁ ମସ୍ତିଷ୍କ କିଛି ତଥ୍ୟକୁ ହଟାଇ ଦେଇଥାଏ। ଏହି କାରଣରୁ କେହି କିଛି ଭୁଲିଯାଉଥିଲେ, ତା’କୁ ଉପହାସ କରିବା ଉଚିତ୍‌ ନୁହେଁ ।

   ସମ୍ବନ୍ଧିତ ଖବର


ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଏହି ନିୟମକୁ ପାଳନ କରନ୍ତୁ, ମିଳିବ ଶୁଭ ଫଳ

କେଉଁଠି କେଉଁଠି ବ୍ୟବହାର ହୋଇଛି ଆପଣଙ୍କ ଆଧାର, ଘରେ ବସି ଏମିତି ଜାଣନ୍ତୁ…

୧୪୯ ଟଙ୍କିଆ ପ୍ରିପେଡ୍ ପ୍ଲାନରେ ବଡ ପରିବର୍ତ୍ତନ କଲା ଜିଓ, ଜାଣନ୍ତୁ…

ଶହେଟି ରୋଗରୁ ନିରୋଗ ରହିବା ପାଇଁ ଅଳାଁ ଏକ ମାତ୍ର ସୂତ୍ର