ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀରାଓ ପାଟିଲ ନିଲାଙ୍ଗିକରଙ୍କ ୮୯ ବର୍ଷ ବୟସ ଦେହାନ୍ତ: ୫ ଦିନ ତଳେ କରୋନାକୁ ହରାଇଥିଲେ..

ପୁନେ,୦୬/୦୮: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀରାଓ ପାଟିଲ ନିଲାଙ୍ଗିକରଙ୍କର ବୁଧବାର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ସେ ବୟସାଧିକ ଜନିତ ରୋଗରେ ପୀଡିତ ଥିଲେ । ଶିବାଜୀରାଓ ଗତ ଜୁଲାଇ ୧୬ରେ କରୋନା ସଂକ୍ରମିତ ଚିହ୍ନଟ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ବୟସାଧିକ ସତ୍ତେ୍ୱ ମାତ୍ର ୧୫ ଦିନର ଚିକିତ୍ସାରେ ସେ କରୋନାକୁ ହରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଗତ ଜୁଲାଇ ୩୧ରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ତେବେ ବୁଧବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡିଯିବା କାରଣରୁ ତାଙ୍କୁ ପୁନେର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ଶିବାଜୀରାଓ ୧୯୮୫ରୁ ୧୯୮୬ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ବମ୍ବେ ହାଇକୋର୍ଟ ତାଙ୍କୁ ମେଡିକାଲ ସିଟ୍‌ ଦୁର୍ନୀତି ଭଳି ସଙ୍ଗିନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ । ନିଜ ଝିଅକୁ ଡାକ୍ତରୀ ସିଟ୍‌ ଦେବା ଉଦ୍ଦେଶ୍ୟରେ ସେ ଏହି ଦୁର୍ନୀତି କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବରିଷ୍ଠ ନେତା ତାଙ୍କ ମୃତ୍ୟୁ ନିମନ୍ତେ ଦୁଃଖବ୍ୟକ୍ତ କରିଛନ୍ତି ।