ଦିଲୀପ ଭେଙ୍ଗସକର କ୍ରିକେଟର ମକ୍କାର କରିଥିଲେ ସେହି କମାଲ, ଯାହା ସୁନୀଲ ଗାଭାସ୍କର-ସଚିନ ତେନ୍ଦୁଲକର କରି ପାରିନଥିଲେ

Aajtak
ନୂଆଦିଲ୍ଲୀ, ୬/ ୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟସମାନ୍ ଦିଲୀପ ବଳବନ୍ତ ଭେଙ୍ଗସକରଙ୍କର ଆଜି ଜନ୍ମଦିନ। ୬୫ ବର୍ଷରେ ପଦାର୍ପଣ କରିଛନ୍ତି ଦିଲୀପ ଭେଙ୍ଗସକର। ୧୯୫୬ ଏପ୍ରିଲ ୬ ତାରିଖରେ ମହାରାଷ୍ଟ୍ରର ରାଜାପୁରରେ ଦିଲୀପ ଭେଙ୍ଗସକର ଜନ୍ମଗ୍ରହଣ କରିଥିଲେ। ସେ ୭୦ ଦଶକର ଶେଷ ଓ ୮୦ ଦଶକର ଆରମ୍ଭରେ ଭାରତୀୟ ଟିମର ଷ୍ଟାର ଖେଳାଳି ଥିଲେ।
୧୯୮୩ରୁ ୧୯୮୭ ମସିହା ପର୍ଯ୍ୟନ୍ତ ଦିଲୀପ ଭେଙ୍ଗସକର ନିଜର ବ୍ୟାଟିଂ ବଳରେ ଅନେକ ବିଶ୍ବ ରେକର୍ଡ କରିଥିଲେ। ଦିଲୀପ ଭେଙ୍ଗସକର କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ୍ ମଇଦାନରେ ଲଗାତାର ତିନି ଶତକ ମାରିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଥିଲେ । ଭାରତ ପକ୍ଷରୁ ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକରଙ୍କ ଭଳି ମହାନ୍ ଖେଳାଳି ଏହି କାରନାମା କରି ପାରିନଥିଲେ।
ଦିଲୀପ ଭେଙ୍ଗସକର ୧୯୭୯ ମସିହାରେ ଲର୍ଡସ୍ ମଇଦାନରେ ୦, ୧୦୩ ଇନିଂସ୍ ପରେ ୧୯୮୨ ମସିହାରେ ୨ ଓ ୧୫୭ ଓ ୧୯୮୬ ମସିହାରେ ୧୨୬ ଓ ୩୩ ରନର ଇନିଂସ୍ ଖେଳିଥିଲେ। ଦିଲୀପ ଭେଙ୍ଗସକର ଲର୍ଡସ୍ ମଇଦାନରେ ୪ଟି ଟେଷ୍ଟ ମ୍ୟାଚ୍ ଖେଳି ୫୦୮ ରନ୍ ସ୍କୋର କରିଥିଲେ। ଶେଷଥର ପାଇଁ ୧୯୯୦ ମସିହାରେ ଦିଲୀପ ଭେଙ୍ଗସକର ଖେଳିଥିଲେ। ଏଥିସହିତ ଦିଲୀପ ୧୯୮୩ ମସିହାରେ ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ମଧ୍ୟ ଥିଲେ।
ଦିଲୀପ ଭେଙ୍ଗସକର ୧୧୬ ଟେଷ୍ଟ ୬୮୬୮ ରନ୍ ସ୍କୋର କରିଥିଲେ। ଯେଉଁଥିରେ ସେ ୧୭ ଶତକ ଓ ୩୫ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ। ସେହିପରି ଦିଲୀପ ୧୨୯ଟି ଦିନିକିଆ କ୍ରିକେଟ୍ ଖେଳି ୩୫୦୮ ରନ୍ ସ୍କୋର କରିଥିଲେ। ଏଥିସହିତ ସେ ଟିମ୍ ଇଣ୍ଡିଆ ପାଇଁ ୧୦ ଟି ମ୍ୟାଚରେ ଅଧିନାୟକତ୍ବ ମଧ୍ୟ କରିଥିଲେ।