ମାଗଣା ୱାଇଫାଇ ଲୋଭ ବିପଦ; ଚୋରି କରି ନେଉଛନ୍ତି ବ୍ୟାଙ୍କ ତଥ୍ୟ

କଟକ,୨୪/୦୭: ମାଗଣା ୱାଇଫାଇ ଜୋନ୍‌ରେ ଇଣ୍ଟରନେଟ୍‌ ବ୍ୟବହାର ନିରାପଦ ନୁହେଁ । ମାଗଣା ୱାଇଫାଇ ଲୋଭରେ ଇଣ୍ଟରନେଟ୍‌ ବ୍ୟବହାର କରୁଥିଲେ ବିପଦରେ ପଡିପାରନ୍ତି ବ୍ୟବହାରକାରୀ । ମାଗଣା ୱାଇଫାଇ ଜୋନ୍‌ରେ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ ଖୋଲିଲେ ହ୍ୟାକରମାନେ ୟୁଜର୍‌ ଆଇଡି, ପାସ୍‌ୱାର୍ଡ ଏବଂ ବ୍ୟାଙ୍କ ସମ୍ବନ୍ଧୀୟ ଆଦି ଅନ୍ୟାନ୍ୟ ଗୋପନୀୟ ତଥ୍ୟ ହ୍ୟାକ୍‌ କରିବାର ଆଶଙ୍କା ରହିଛି । ରାଜ୍ୟରେ ଏମିତି ବହୁ ଅନାମଧ୍ୟେୟ ଓ ଅସୁରକ୍ଷିତ ମାଗଣା ୱାଇଫାଇ ଜୋନ୍‌ରେ ଲୋକେ ନିଜର ଇମେଲ୍‌ ଆଇଡି ସମେତ ଫେସବୁକ୍‌, ଟ୍ୱିଟର, ହ୍ୱାଟସ୍‌ଆପ୍‌ ଆଦି ସୋସିଆଲ୍‌ ମିଡିଆ ଖୋଲି ହ୍ୟାକର୍‌ଙ୍କ ଶିକାର ହେଉଥିବା ନଜରକୁ ଆସିଲାଣି । ଏ ସଂକ୍ରାନ୍ତୀୟ ମାଳମାଳ ଅଭିଯୋଗ ଏବେ ସାଇବର ଥାନା ସମେତ ରାଜ୍ୟର ବିଭିନ୍ନ ଥାନାରେ ହେଉଛି । ବିନା ସିକ୍ୟୁରିଟିରେ ୱାଇଫାଇ ଯୋଗାଯୋଗ ହୋଇଯାଉଥିବା ଜୋନ୍‌ରେ ହିଁ ସୋସିଆଲ ମିଡ଼ିଆ ଆକାଉଣ୍ଟ ନଖୋଲିବା ଲାଗି କ୍ରାଇମବ୍ରାଞ୍ଚ ସର୍କୁଲାର ଜାରି କରିଛି ।

ମାଗଣା ୱାଇଫାଇ ଜୋନ୍‌ରେ ସବୁଠୁ ଅଧିକ ବିପଦ ହେଉଛି, ବ୍ୟାଙ୍କିଙ୍ଗ୍‌ ସମ୍ବନ୍ଧୀୟ କାମ କରିବା । ସୁରକ୍ଷିତ ନଥିବା ୱାଇ ଫାଇ ଜୋନ୍‌ରେ ମାଗଣା ଇଣ୍ଟରନେଟ୍‌ ସେବା ପାଇବା ଲକ୍ଷ୍ୟରେ ଟଙ୍କା ଟ୍ରାନ୍ସଫର୍‌ ଏବଂ ଅନ୍ୟାନ୍ୟ ବ୍ୟାଙ୍କ କାର୍ଯ୍ୟ କରିବା ସମୟରେ ହ୍ୟାକର୍‌ମାନେ ସମସ୍ତ ଗୋପନୀୟ ତଥ୍ୟ ପାଇ ଆକାଉଣ୍ଟ୍‌କୁ ହ୍ୟାକ୍‌ କରିଥାନ୍ତି ବୋଲି କ୍ରାଇମବ୍ରାଞ୍ଚ ଅବଗତ କରାଇଛି । ବିଶେଷ କରି ହ୍ୟାକରମାନେ ୟୁଜର ଆଇଡି ହ୍ୟାକ୍‌ କରିନେବା ପରେ ନିଜର କାରସାଦି ଚଳାଇଛନ୍ତି । ମାଗଣା ୱାଇଫାଇ ଜୋନ୍‌ ବ୍ୟାଙ୍କିଙ୍ଗ୍‌ କାରବାର କରି ଲୋକେ ଅନେକ ସମୟରେ ସର୍ବସ୍ୱ ହରାଉଥିବା ସୂଚନା ମିଳିଛି । ସେହିପରି ମାଗଣା ୱାଇଫାଇ ଜୋନ୍‌ରେ ସୋସିଆଲ୍‌ ମିଡିଆ ତଥା ଫେସ୍‌ବୁକ୍‌, ଟ୍ୱିଟର, ଇନ୍‌ଷ୍ଟାଗ୍ରାମ ଓ ହ୍ୱାଟସଆପ୍‌ ଆଦି ଆକାଉଣ୍ଟ୍‌ ଖୋଲିଥିବା ବ୍ୟକ୍ତି ବିଶେଷ ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଥିବା ଜଣାପଡିଛି । ହ୍ୟାକର୍‌ମାନେ ୟୁଜର୍‌ ଆଇଡି ପାସୱାର୍ଡ ସହଜରେ ଜାଣିଯାଉଥିବାରୁ ବିଭିନ୍ନ ସମୟରେ ହ୍ୟାକ କରି ବ୍ୟବହାରୀଙ୍କର ତଥ୍ୟ ଓ ସୂଚନା ଜାଣି ନିଜ ସ୍ୱାର୍ଥହାସଲ କରୁଛନ୍ତି ।

ଏଥିରେ ଯୁବପିଢିମାନେ ବେଶି କ୍ଷତିଗ୍ରସ୍ତ ହେଉଥିବା ଜଣାପଡିଛି । ଏହାଦ୍ୱାରା ଅଧିକାଂଶ ସମୟରେ ସୋସିଆଲ୍‌ ମିଡିଆରେ ସେମାନଙ୍କର ଗୋପନୀୟତା ପ୍ରଘଟ ହେଉଛି । ଏମିତିକି ହ୍ୟାକର୍‌ମାନେ ବହୁ ଯୁବତୀ ତଥା ମହିଳାଙ୍କର ଫେସ୍‌ବୁକ୍‌, ହ୍ୱାଟସ୍‌ଆପ୍‌, ଟ୍ୱିଟର, ଇନ୍‌ଷ୍ଟାଗ୍ରାମ ଆଦି ଆଇଡିକୁ ହ୍ୟାକ୍‌ କରି ସେଥିରେ ଅଶ୍ଳୀଳ ଫଟୋ ଅପ୍‌ଲୋଡ୍‌ କରିବା ସହ ବିଭିନ୍ନ ସମୟରେ ଶୋଷଣ କରୁଥିବା ଓ ବ୍ଲାକ୍‌ ମେଲିଂ କରୁଥିବା ସୂଚନା ମିଳିଛି । ଏ ସଂକ୍ରାନ୍ତୀୟ ମାମଲା ବୃଦ୍ଧି ପାଉଥିଲେ ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ହ୍ୟାକର୍‌ମାନଙ୍କୁ ସହଜରେ ଠାବ କରିବା ପୁଲିସ୍‌ ପାଇଁ କଷ୍ଟକର ହୋଇପଡୁଛି । ଫଳରେ ଏହାକୁ ନେଇ ଏବେ କ୍ରାଇମବ୍ରାଞ୍ଚର ଚିନ୍ତା ବଢ଼ିଯାଇଛି । ତେଣୁ ଅଜଣା ମାଗଣା ୱାଇଫାଇ ଲୋଭରେ ପଡ଼ି ଉକ୍ତ ସେବାକୁ ବ୍ୟବହାର କରୁଥିବା ବ୍ୟକ୍ତି ବିଶେଷ ହିଁ ଠକାମି ହେବାର ଯଥେଷ୍ଟ୍‌ ସମ୍ଭାବନା ରହିଛି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ଫଳରେ ଏଥିରୁ ଦୂରେଇ ରହିବା ପାଇଁ କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ ସତର୍କ ସୂଚନା ଜାରି କରିଛି ।

   ସମ୍ବନ୍ଧିତ ଖବର


ଟାପୁରେ ଫଶିଲେ ଶହ ଶହ ମାଙ୍କଡ : ୫ଦିନ ପରେ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ଆରମ୍ଭ କରିଛି ବନବିଭାଗ

ଆଜିଠୁ ବୋର୍ଡ କର୍ମଚାରୀଙ୍କ ଆନ୍ଦୋଳନ,ଦାବି ପୂରଣ ନହେଲେ ମନ୍ତ୍ରୀଙ୍କ ବାସଭବନ ଘେରାଉ

ଅଲଗା ଜାତି ବୋଲି ଶବ ସତ୍କାର ପାଇଁ ମିଳିଲାନି ଶ୍ମଶାନ, ଟ୍ରାକ୍ଟରରେ ନେଇ ଜଙ୍ଗଲରେ ପୋତିଦେଲା ସ୍ୱାମୀ

ଟୋକନ ବ୍ୟବସ୍ଥାକୁ ନେଇ ତେଜୁଛି ଚାଷୀ ଆନ୍ଦୋଳନ : ରାସ୍ତାରେ ଧାନ ଢ଼ାଳି ଚାଷୀଙ୍କ ବିକ୍ଷୋଭ