ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ପରଲୋକ

ପୁରୀ ୨୬/୩: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ବୁଧବାର ସକାଳେ ପରଲୋକ ଘଟିଛି । ତାଙ୍କୁ ୯୮ ବର୍ଷ ହୋଇଥିଲା । ଅସୁସ୍ଥ ଅବସ୍ଥାରେ ଶ୍ରୀ ନାୟକଙ୍କୁ ପୁରୀର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ବେଳେ ସକାଳ ସାଢେ ୯ଟାରେ ତାଙ୍କ ପରଲୋକ ହୋଇଥିଲା । ସ୍ୱର୍ଗଦ୍ୱାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜ୍ୟେଷ୍ଠା କନ୍ୟା ଜ୍ୟୋସ୍ନା ନାୟକ ମୁଖାଗ୍ନି ଦେଇଥିଲେ ।

ଛାତ୍ରାବସ୍ଥାରୁ ସ୍ୱର୍ଗତ ନାୟକ ଜଣେ ସ୍ୱାଧୀନ ଚେତା ମଣିଷ ଥିଲେ । ଗାନ୍ଧିବାଦୀ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହୋଇଥିଲେ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଜଣେ କର୍ତ୍ତବ୍ୟନିଷ୍ଠ କର୍ମୀ ଭାବେ କାର୍ଯ୍ୟ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କୁ ଜଣେ ଜନନାୟକ ଭାବେ ତାମ୍ର ଫଳକ ପ୍ରଦାନ କରିଥିଲେ । ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏ ପି ଜେ ଅବଦୁଲ କାଲାମ୍‌ କ୍ରାନ୍ତି ଦିବସ ଅବସରରେ ସ୍ୱର୍ଗତ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ସିଂହ ପାଟିଲ୍‌ ୨୦୦୯ ମସିହାରେ ତାଙ୍କୁ ସମ୍ମାନିତ କରିଥିଲେ ।।

ସ୍ୱର୍ଗତ ନାୟକ ଜଣେ ସଚ୍ଚା ସର୍ବୋଦୟ କର୍ମୀ ତଥା ସାରସ୍ୱତ ସାଧକ ଥିଲେ । ତାଙ୍କ ରଚିତ ଆମ ପତାକା, ଆମ ରାଷ୍ଟ୍ରୀୟ ସଙ୍ଗୀତ, ସର୍ବୋଦୟ ଉପାସନା, ସର୍ବୋଦୟ ପାତ୍ର, ମା’ରମାଦେବୀ, ଲୋକମାତା କସ୍ତୁରବା, ଖରାଖିଆ ବୈଦ୍ୟନାଥ ଓ ଉତ୍କଳମଣି ଆଦି ରଚନା ବେଶ୍‌ ହୃଦୟସ୍ପର୍ଶୀ ଓ ପାଠକ ମହଲରେ ଆଦୃତ ।

ପ୍ରଥମେ ନାୟକଙ୍କ ମୃତଦେହକୁ ହସ୍ପିଟାଲ୍‌ରୁ ମାର୍କଣ୍ଡେଶ୍ୱର ସାହି ଯମୁନା ଲେନ୍‌ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା। ତାଙ୍କ ନିଜ ଘର ବ୍ରହ୍ମଗିରି କାଣ୍ଡଗୋଦା ଗ୍ରାମରେ। ଶେଷ ଜୀବନରେ ସ୍ୱର୍ଗତ ନାୟକ ସ୍ଥାୟୀ ଭାବରେ ପୁରୀ ଘରେ ରହି ଆସୁଥିଲେ । ତାଙ୍କର ଧର୍ମପତ୍ନୀ ଉମା ଦେବୀ, ତିନି ଝିଅ ଓ ଜଣେ ପୁଅ ଅଛନ୍ତି।

ତାଙ୍କ ମୃତ୍ୟୁଖବର ପାଇଁ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସ୍ୱର୍ଗଦ୍ୱାରରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ମରଶରୀରରେ ଜାତୀୟ ପତାକା ଦେଇ ସମ୍ମାନିତ କରାଯାଇଥିଲା । ଉପଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର ଆଶିଷ କୁମାର ଜେନା, ଏଡିପିଆର୍‌ଓ ଜିତେନ୍ଦ୍ରୀୟ ଜେନା, ସାହିଭାଇ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବ୍ରଜବନ୍ଧୁ ମହାରଣା, ଚନ୍ଦ୍ରଶେଖର ମିଶ୍ର, ଶ୍ୟାମପ୍ରକାଶ ସେନାପତି, ରମାବଲ୍ଲଭ ମହାପାତ୍ର, ନବକିଶୋର ରଥ, ଶିବପ୍ରସାଦ ମିଶ୍ର ପ୍ରମୁଖ ସ୍ୱର୍ଗଦ୍ୱାରରେ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ନାଗାର୍ଜୁନ ବେଶ ଆଉ ୩ ଦିନ: ବେଶ ଲାଗିରେ ରହିବେ ୨୨ ପୁଷ୍ପାଳକ ସେବକ

ବେଳାମାର୍ଗରେ ସିରିଜ୍‌ ଦୁର୍ଘଟଣା, ଭାଙ୍ଗିଲା ୩ କାର୍‌: ଡ୍ରାଇଭର ଫେରାର, ଗାଡି ଭିତରେ ପଡିଛି ମଦ ଠିପି

ଆଜି ନାଗାର୍ଜୁନ ବେଶ ସେବକ ବୈଠକ

ପୁରୀ-କୋଣାର୍କ ବାଇପାସ୍‌ରେ ମହିଳାଙ୍କୁ ପଛପଟୁ ଧକ୍କା ଦେଲା କାର: କାର୍‌ ଜବତ, ଥାନାରେ ଗଡ଼ିଲେ ଚାଳକ

ଆଜି ପବିତ୍ର ଅଁଳା ନବମୀ: ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧା ପାଦ ଦର୍ଶନ କରିପାରିବେନି ଭକ୍ତ, ମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି