ଅସହାୟ ଫୁଲମଣିଙ୍କ ଜୀବନ ଦୁର୍ବିସହ : ପାଇଖାନା ହୋଇଛି ତାଙ୍କ ଘର

କେନ୍ଦୁଝର,୧୩/୦୮: ଯୋଡା ବ୍ଲକ୍‌ ରୁଗୁଡି ଥାନା ଅନ୍ତର୍ଗତ କାଟେସାହି ଗ୍ରାମରେ ବାସ କରୁଛନ୍ତି ବୃଦ୍ଧା ଫୁଲମଣି ନାଏକ। ବୟସ ପ୍ରାୟ ୭୦ରୁ ଊଦ୍ଧ୍ୱର୍ ହେବ । ଅନେକ ଦିନ ଆଗରୁ ସ୍ୱାମୀକୁ ହରାଇଛନ୍ତି । ପିଲାଛୁଆ ନଥିବାରୁ ମୂଲ ଲାଗି ଚଳୁଥିଲେ । ସ୍ୱାମୀ ଥିବା ବେଳରୁ ଏକ ଝାଟିମାଟି ଘର ରହିଥିଲା । ସ୍ୱାମୀକୁ ହରାଇବା ପରେ ସେହି ଘରେ ଜୀବନ ବିତୁଥିଲା । ମାତ୍ର ଘର ମରାମତି କରିବା ପାଇଁ ବୃଦ୍ଧାଙ୍କ ପକ୍ଷେ ସମ୍ଭବ ନଥିଲା । ତଥାପି ତାଙ୍କର କୌଣସି ଚିନ୍ତା ନଥିଲା । ପର ଘରେ କାମ କରି ଗୁଜୁରାଣ ମେଣ୍ଟାଉଥିଲେ । ତେବେ ବୟସ ବଢ଼ିବାରୁ ସେ ଆଉ କାମଧନ୍ଦା କରି ପାରିନଥିଲେ । ଝାଟିମାଟି ଘରଟି ଭାଙ୍ଗି ପଡିଥିଲା । ଘର ମରାମତି ପାଇଁ ଫୁଲମଣିଙ୍କ ସାମର୍ଥ ନଥିଲା । ତେବେ ଦଇବକୁ ଭଗବାନ ସାହା ଭଳି କିଛଦିନ ପୂର୍ବରୁ ଏକ ଖଣି କମ୍ପାନୀ ସ୍ୱଚ୍ଛ ଭାରତ ଅଭିଯାନରେ ଫୁଲମଣିଙ୍କ ଘର ନିକଟରେ ଏକ ପାଇଖାନା ନିର୍ମାଣ କରି ଦେଇଥିଲେ । ତେଣୁ ଘର ମରାମତି କରିନ ପାରିବାରୁ ସେହି ପାଇଖାନାରେ ଅବଶିଷ୍ଟ ଜୀବନ କାଟୁଛନ୍ତି । ନିଜର ଆସବାବପତ୍ରକୁ ନେଇ ସେହି ପାଇଖାନା ଘରେ ରଖି ଫୁଲମଣି ଜୀବନ ବିତାଉଛନ୍ତି ।

ଗୋଡ ଲମ୍ବାଇବାକୁ ଜାଗା ନଥିବା ବେଳେ ସେଇଠି ରୋଷେଇ ଓ ସେଇଘର ହୋଇଛି ଶୋଇବା ସ୍ଥାନ । ପ୍ରାୟ ୫ ବର୍ଷ ଧରି ଫୁଲମଣିଙ୍କ ଠିକଣା ପାଲଟିଛି ପାଇଖାନା ଘର । ଜଣେ ହେଲେ ସରକାରୀ ବାବୁ ଏହା କେମିତି ଜାଣି ପାରିନାହାନ୍ତି ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ସରକାରୀ ବାବୁ କଥା ଛାଡ଼ ଏକାଧିକ ଖଣି କମ୍ପାନୀ ମଧ୍ୟ ଏହି ଯୋଡା ଅଞ୍ଚଳରେ ଆସ୍ଥାନ ଜମାଇଥିବା ବେଳେ ସେମାନେ ମଧ୍ୟ ଅସହାୟ ବୃଦ୍ଧାଙ୍କ ପ୍ରତି ସମବେଦନା ମଧ୍ୟ ଜଣାଇବାକୁ ଉଚିତ୍‌ ମଣିନାହାନ୍ତି । ଖଣି ଅଞ୍ଚଳର ମୂଳ ବାସିନ୍ଦାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସ୍ୱେଚ୍ଛାସେବୀ ସଂସ୍ଥା ମାନେ ମଧ୍ୟ ଫୁଲମଣିଙ୍କ ଅସହାୟ ଅବସ୍ଥାରେ ସହଯୋଗର ହାତ ବଢ଼ାଇବାକୁ ଆସିନାହାନ୍ତି । ସରକାର ଆଦିବାସୀମାନଙ୍କ ପାଇଁ ଯୋଜନା ପରେ ଯୋଜନା ଖଞ୍ଜି ଥିବା ବେଳେ ଫୁଲମଣିଙ୍କ କ୍ଷେତ୍ରରେ ତାହା ମଧ୍ୟ ଅପହଞ୍ଚ ।

ସେହି ଗ୍ରାମରେ ବାସ କରୁଥିବା ସୁମନ୍ତ ଘଣା ନାମକ ଜଣେ ଯୁବକ ବୃଦ୍ଧାଙ୍କୁ ଅନେକ ସମୟରେ ସହଯୋଗ କରି ଆସୁଛନ୍ତି। ଗାଁ ଲୋକଙ୍କୁ ନେଇ ନିକଟରେ ଥିବା ଏକ ଖଣି କମ୍ପାନୀ କାର୍ଯ୍ୟାଳୟ ସହିତ ସହାୟତା ପାଇଁ ଯୋଗାଯୋଗ ମଧ୍ୟ କରିଛନ୍ତି । ଉକ୍ତ ଖଣି କମ୍ପାନୀ ଘର କରିଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । ମାତ୍ର ବର୍ଷ ପରେ ବର୍ଷ ବିତିଥିଲେ ମଧ୍ୟ ବୃଦ୍ଧା ପ୍ରତି କେହି ସହଯୋଗର ହାତ ବଢ଼ାଇନଥିଲେ । ଫଳରେ ପାଇଖାନା ଘରେ ଫୁଲମଣି ଦିନ କାଟୁଛନ୍ତି । ସରକାର ଫୁଲମଣିକୁ ଦେଉଥିବା ମାସିକ ଭତ୍ତା ୩୦୦ ଟଙ୍କାରେ ଚଳୁଛନ୍ତି ବୋଲି ଶ୍ରୀ ଘଣା କହିଛନ୍ତି । ଏ ସମ୍ପର୍କରେ ଯୋଡା ବିଡିଓ ଯୋଗେଶ୍ୱର ନାଏକଙ୍କୁ ପଚାରିବାରୁ ଉକ୍ତ ମହିଳାଙ୍କ ନାମ ବାସଗୃହ ତାଲିକାରେ ନଥିବାର ଘର ଦିଆଯାଇ ପାରୁନି । ଆସନ୍ତା ବର୍ଷ ତାଲିକା ପ୍ରସ୍ତୁତ ସମୟରେ ତାଙ୍କର ନାମ ଭର୍ତ୍ତି କରିବାକୁ ପଦକ୍ଷେପ ନେବେ ବୋଲି କହିଛନ୍ତି ।

   ସମ୍ବନ୍ଧିତ ଖବର


ଆଖି ବୁଜିଲା ସନ୍ଧାନୀ କୁକୁର ଗ୍ରେସିଇ, ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଦିଆଗଲା ଶ୍ରଦ୍ଧାଞ୍ଜଳୀ

ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ବିନିଯୋଗ କଲେ ହୋଇଯିବ ଦୁଇ ଗୁଣ,୫୦ ହଜାର ବଦଳରେ ମିଳିବ ଏକଲକ୍ଷ ଟଙ୍କା

ଭୁବନେଶ୍ୱରରେ ମିଳୁଛି କୋଭିଡ ଟିକା !

ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ରାଜ୍ୟରେ ଏବେ ବେଆଇନ ଧର୍ମଘଟ କଲେ ଏକ ବର୍ଷ ଜେଲ୍‌ କିମ୍ବା ୫ ହଜାର ଜରିମାନା

ଓଡ଼ିଶାର ଚାଷୀଙ୍କୁ ମୋଦି ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌-ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି