ଗଲୱାନର ବୀର ସହିଦଙ୍କ କାହାଣୀ – ଏକାକୀ ୧୨ ଚୀନ୍‌ ସୈନିକଙ୍କୁ ମାରିଥିଲେ

ନୂଆଦିଲ୍ଲୀ : ଲଦାଖର ଗଲୱାନରେ ଜୁନ୍‌ ୧୫ ରାତିରେ ଘଟିଥିବା ସଂଘର୍ଷରେ ଭାରତୀୟ ଯବାନମାନେ ଅପୂର୍ବ ସାହସ ଓ ବୀରତ୍ୱର ପରିଚୟ ଦେଇଥିଲେ । ସଂଖ୍ୟାରେ କମ୍‌ ଥିଲେ ମଧ୍ୟ ଏବଂ ପୂର୍ବରୁ କିଛି ପ୍ରସ୍ତୁତି କରିନଥିଲେ ବି ସେମାନେ ଶତ୍ରୁ ପକ୍ଷର ଅଶେଷ କ୍ଷତି ଘଟାଇବାରେ ସକ୍ଷମ ହୋଇଥିଲେ । ଏହି ଘଟଣାରେ ଭାରତର ଜଣେ ଅଧିକାରୀଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଥିଲାବେଳେ ଚୀନ୍‌ର ୪୧ରୁ ୯୮ ଜଣ ପ୍ରାଣ ହରାଇଥିବାର ଅନୁମାନ କରାଯାଉଛି ।

ଭାରତର ଯେଉଁ ଯବାନମାନେ ସହିଦ ହୋଇଥିଲେ ସେମାନେ ସେଦିନ କିଭଳି ବୀରତ୍ୱ ପ୍ରଦର୍ଶନ କରିଥିଲେ, ସେସମ୍ପର୍କିତ ଅନେକ ରିପୋର୍ଟ ଏବେ ଧୀରେ ଧୀରେ ସାର୍ବଜନୀନ ହେଉଛି । ଏହି କ୍ରମରେ ଏବେ ଏକ ରିପୋର୍ଟ ଆସିଛି ଯେଉଁଥିରେ କୁହାଯାଇଛି କି ସହିଦ ହୋଇଥିବା ଭାରତୀୟ ଯବାନଙ୍କ ଭିତରୁ ଜଣେ ଏକାକୀ ଚୀନ୍‌ର ୧୨ ଜଣ ସୈନିକଙ୍କୁ ହତ୍ୟା କରିଥିଲେ । ଏହି ସୈନିକ ଜଣକ ହେଉଛନ୍ତି ପଞ୍ଜାବର ଗୁରତେଜ ସିଂ । ମାତ୍ର ୨୩ ବର୍ଷ ବୟସରେ ସହିଦ ହୋଇଥିବା ଏହି ଯବାନ ଜଣକ ସେଦିନ ଯେପରି ଲଢେଇ କରିଥିଲେ, ତାହା ଦେଖି ଚୀନ୍‌ ସେନା ଭୟରେ ଥରିବାକୁ ଲାଗିଥିଲେ ।

ସେମାନେ କେବେହେଲେ ଭାବିପାରିନଥିଲେ ଯେ ଭାରତୀୟ ସେନାରେ ଏମିତି ଯୋଦ୍ଧା ବି ଥାଇପାରନ୍ତି । ଗୁରତେଜଙ୍କ ଚେହେରା ଦେଖିଲେ ଯେକେହି ତାଙ୍କୁ ପିଲା ଭଳି ମନେ କରିବେ । କେହି ବିଶ୍ୱାସ କରିବେ ନାହିଁ ଯେ ଏଇ ପିଲା ପାଖରେ ଏତେ ଶକ୍ତି ଓ ସାମର୍ଥ୍ୟ ନିହିତ ଥିଲା । ୩ ପଞ୍ଜାବ ରେଜିମେଣ୍ଟରେ ଘାତକ ପ୍ଲାଟୁନର ସଦସ୍ୟ ଥିଲେ ଗୁରତେଜ । ଘାତକ ପ୍ଲାଟୁନର ସଦସ୍ୟମାନଙ୍କୁ କମାଣ୍ଡୋଙ୍କ ଭଳି ପ୍ରଶିକ୍ଷଣ ଦିଆଯାଇଥାଏ । ସେମାନେ ମଧ୍ୟ ଅତି ନିକଟରୁ ଯୁଦ୍ଧ କରିବାରେ ସିଦ୍ଧହସ୍ତ । ପ୍ରଶିକ୍ଷଣ ସମୟରେ ତ ସେମାନଙ୍କୁ ଭାରୀ ଓଜନର ବସ୍ତୁ ଧରି ଏକାଥରେ ୪୦ କିମି ଯାଏଁ ଦୌଡ଼ିବାକୁ କୁହାଯାଇଥାଏ । ଏଭଳି ପ୍ରଶିକ୍ଷଣ ପାଇଥିବା କମାଣ୍ଡୋ ଶତ୍ରୁ ମନରେ ଭୟ ସଂଚାର କରିବାରେ ସକ୍ଷମ । ତା’ ସାଙ୍ଗକୁ ସେ ଜଣେ ସର୍ଦ୍ଦାର । ଶିଖ୍‌ ସମୁଦାୟଙ୍କର ଶାରୀରିକ ବଳ ଓ ସାମର୍ଥ୍ୟ ବିଷୟରେ ସମସ୍ତେ ଜାଣନ୍ତି ।

ଘଟଣାଦିନ ଭାରତୀୟ ସେନା କ୍ୟାମ୍ପକୁ ସୂଚନା ମିଳିଥିଲା ଯେ ଚୀନ୍‌ ସେନା ଭାରତୀୟ ସେନାର ପାଟ୍ରୋଲିଂ ଦଳ ଉପରେ ଅତର୍କିତ ଆକ୍ରମଣ କରି ୧୬ ବିହାର ରେଜିମେଣ୍ଟର କମାଣ୍ଡର କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସମେତ ଆଉ କିଛି ଯବାନଙ୍କୁ ହତ୍ୟା କରିଛି । ଏ ଖବର ପାଇବା ମାତ୍ରେ ଭାରତୀୟ ପାଟ୍ରୋଲିଂ ଦଳକୁ ସହାୟତା କରିବା ନିମନ୍ତେ ୩ ଶିଖ୍‌ ରେଜିମେଣ୍ଟର ଘାତକ ପ୍ଲାଟୁନର କିଛି ସଦସ୍ୟ, ୧୬ ବିହାର ରେଜିମେଣ୍ଟର କିଛି ସୈନିକ ଏବଂ ମିଡିୟମ ଆର୍ମି ରେଜିମେଣ୍ଟର ଶିଖ୍‌ ଗନରମାନଙ୍କୁ ସେଠାକୁ ପଠାଯାଇଥିଲା । ଭାରତୀୟ ସେନା ପାଖରେ ପ୍ରସ୍ତୁତି କରିବାକୁ ବେଶୀ ସମୟ ନଥିଲା । ତେଣୁ ସେମାନେ ଠେଙ୍ଗା, ରଡ୍‌ ଓ ଛୁରୀ ଧରି ସେଠାକୁ ଦୌଡ଼ିଥିଲେ ।

ବାସ୍ତବ ନିୟନ୍ତ୍ରଣ ରେଖାର ଦୁଇ କିମି ଭିତରେ ସ୍ୱୟଂଚାଳିତ ଅସ୍ତ୍ର ଏବଂ ବିସ୍ଫୋରକର ବ୍ୟବହାର ଉପରେ କଟକଣା ଥିବାରୁ ସେମାନେ ଏପରି କରିଥିଲେ । ଆଉ ଶିଖ୍‌ ସୈନିକମାନେ ନିଜ ସମୁଦାୟର ଅନ୍ୟ ଲୋକଙ୍କ ଭଳି ନିଜ ପାଖରେ କ୍ରିପାଣ ରଖିଥିଲେ । ସେମାନେ ଗଲୱାନର ପଏଣ୍ଟ ୧୪ ନିକଟରେ ପହଞ୍ଚିବା ପରେ ଉଭୟ ପକ୍ଷ ଭିତରେ ତୁମୁଳ ସଂଘର୍ଷ ଆରମ୍ଭ ହୋଇଥିଲା । ଚୀନ୍‌ ସୈନିକଙ୍କ ସଂଖ୍ୟା ଅଧିକ ଥିଲା । ସେମାନେ ପୂର୍ବରୁ ଆକ୍ରମଣ ପାଇଁ ପୂରା ପ୍ରସ୍ତୁତି କରିଥିଲେ ।

କିନ୍ତୁ ଭାରତୀୟ ସୈନିକ ଏସବୁ ପ୍ରତି ଧ୍ୟାନ ନଦେଇ ସେମାନଙ୍କ ଉପରକୁ ଝାମ୍ପ ଦେଇଥିଲେ । କିଛି ସୈନିକଙ୍କ ବେକ ମୋଡି ଛିଣ୍ଡେଇ ଦେଇଥିଲେ । ଚୀନ୍‌ ସୈନିକଙ୍କ ଠାରୁ ଧାରୁଆ ଅସ୍ତ୍ର ଛଡେଇ ଆଣି ସେଇଥିରେ ସେମାନଙ୍କ ଦେହକୁ ଭୁସି ଦେଇଥିଲେ । ଏହି ଲଢେଇ ସମୟରେ ଘାତକ କମାଣ୍ଡୋର ସଦସ୍ୟ ଥିବା ଗୁରତେଜ ସିଂଙ୍କ ଉପରେ ଏକାବେଳେ ଚୀନ୍‌ର ୪ ଜଣ ସୈନିକ ଆକ୍ରମଣ କରିଥିଲେ । ଗୁରତେଜ ଅତି ଜୋରରେ ‘ବୋଲେ ସୋ ନିହାଲ, ସତ ଶ୍ରୀ ଅକାଲ’ କହିବା ସହିତ ସେମାନଙ୍କ ଭିତରୁ ଦୁଇ ଜଣଙ୍କୁ ଦୁଇ ହାତରେ ଉପରକୁ ଟେକି ଦେଇ କିଛି ସମୟ ଝୁଲାଇ ରଖିଥିଲେ । ତା’ ପରେ ସେ ତାଙ୍କ ଉପରେ ଆକ୍ରମଣ କରିଥିବା ୪ ଜଣ ସୈନିକଙ୍କୁ ଏକ ସମୟରେ ଘୋଷାଡି ଘୋଷାଡି ନେଇ ପାହାଡ ତଳକୁ ଫିଙ୍ଗି ଦେଇଥିଲେ । ଏହାଯୋଗୁ ଚୀନ୍‌ର ଉକ୍ତ ୪ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଏପରି କରିବା ସମୟରେ ସେ ନିଜେ ବି ପାହାଡ ମୁଣ୍ଡିଆ ଉପରୁ ତଳକୁ ଖସିପଡିଥିଲେ । କିନ୍ତୁ ସେ ଗୋଟିଏ ବଡ ପଥରକୁ ଧରି ଝୁଲି ରହିଥିଲେ ଏବଂ ନିଜେ ପ୍ରୟାସ କରି ପାହାଡ ଉପରକୁ ଆସିଥିଲେ ଏବଂ ପୁଣି ଥରେ ଯୁଦ୍ଧ ଆରମ୍ଭ କରିଥିଲେ । ସେ ନିଜ କ୍ରିପାଣ ବ୍ୟବହାର କରି ଚୀନ୍‌ର ଆଉ ୭ ଜଣ ସୈନିକଙ୍କ ବେକ କାଟି ଦେଇଥିଲେ । ଏତିକିବେଳେ ଚୀନ୍‌ର ଅନ୍ୟ ଜଣେ ସୈନିକ ଗୁରତେଜଙ୍କ ପଛ ପଟରୁ ତାଙ୍କ ଦେହରେ ଛୁରି ଭୁସି ଦେଇଥିଲା । ଏହାଯୋଗୁ ଗୁରତେଜ ଗୁରୁତର ହୋଇଥିଲେ । କିନ୍ତୁ ପ୍ରାଣ ହରାଇବା ପୂର୍ବରୁ ସେ ତାଙ୍କ ଉପରେ ଆକ୍ରମଣ କରିଥିବା ଉକ୍ତ ଚୀନ୍‌ ସୈନିକକୁ ବି ମାରି ଦେଇଥିଲେ । ଏପରି ଭାବେ ସେ ଏକାକୀ ଚୀନ୍‌ର ସମୁଦାୟ ୧୨ ଜଣ ସୈନିକଙ୍କୁ ନିପାତ କରିଥିଲେ ।

ଗୁରତେଜଙ୍କ ମୃତ୍ୟୁରେ ତାଙ୍କ ପରିବାରଲୋକେ ଶୋକାଭିଭୂତ ହୋଇପଡିଥିଲେ ହେଁ ତାଙ୍କର ବୀରତ୍ୱ ଏବଂ ବଳିଦାନ ପାଇଁ ଗର୍ବ ବି ଅନୁଭବ କରୁଛନ୍ତି । ଖାଲି ତାଙ୍କ ପରିବାର ନୁହେଁ, ବରଂ ପୂରା ଭାରତ ତାଙ୍କ ପାଇଁ ଏବେ ଗର୍ବ ଅନୁଭବ କରୁଛି ।

   ସମ୍ବନ୍ଧିତ ଖବର


ଯୁବତୀଙ୍କ ସହ ବାଥ୍‌ରୁମ୍‌ ଭିଡିଓ କଲ୍‌ରେ ଉଲଗ୍ନ ହୋଇଥିଲେ ଯୁବକ – ଏବେ ଟଙ୍କା ଦେବା ପାଇଁ ମିଳୁଛି ଧମକ

ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ପଜିଟିଭ୍

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଲିଫ୍ଟ ମାଗିଥିବା ମହିଳା ଥିଲେ ପ୍ରେତାତ୍ମା- ଅଙ୍ଗେ ନିଭେଇଥିବା କଥା

ଇଏ ସେହି ମହିଳା, ଯିଏ ପୁରା ବିଶ୍ୱ ପାଇଁ ତିଆରି କରନ୍ତି Indian Flag

କରୋନା କାଳରେ ଚାଲିଛି ଅରବପତିଙ୍କ ବିଳାସପୂର୍ଣ୍ଣ ପାର୍ଟି, ଅତିଥିଙ୍କର ପ୍ରତି ୧୫ ମିନିଟରେ ହେଉଛି କୋଭିଡ୍ ଟେଷ୍ଟ