ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଆଠମଲ୍ଲିକ ଗଡଜାତକୁ ଆସିଥିଲେ ଗାନ୍ଧୀ, ରହିଛି ପଦଚିହ୍ନ

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜୟନ୍ତୀ ଭାରତବାସୀଙ୍କ ସହିତ ସମଗ୍ର ବିଶ୍ୱବାସୀ ପାଳନ କରୁଛନ୍ତି । ଗାନ୍ଧିଜୀଙ୍କ ମହାନ୍‌ ଚିନ୍ତାଧାରା ଓ ଦେଶପ୍ରେମ ଶାନ୍ତି ଓ ସହାବସ୍ଥାନ ପାଇଁ ତାଙ୍କର ମାର୍ଗ ସମସ୍ତେ ଅନୁକରଣ କରି ଯୁଦ୍ଧ, ଆତଙ୍କବାଦ ଓ ହିଂସାଠାରୁ ଦୂରେଇ ସମସ୍ତେ ଅହିଂସ ମାର୍ଗରେ ଶାନ୍ତିର ପଥ ଆପଣେଇବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଗାନ୍ଧିଜୀ ଦେଶକୁ ସ୍ୱାଧୀନତା ଦେବାପାଇଁ ସମଗ୍ର ଦେଶ ବୁଲିଥିବାବେଳେ ଓଡ଼ିଶାକୁ ବହୁବାର ଆସିଛନ୍ତି ।
ଗାନ୍ଧିଜୀ ୧୯୩୪ ମସିହା ମଇ ମାସ ୫ ତାରିଖରେ ସମ୍ବଲପୁରରୁ କାର୍‌ ଯୋଗେ ଆସି ରାତିରେ ଜାତୀୟ ରାଜପଥ ପାଶ୍ୱର୍ର ଆଠମଲ୍ଲିକ ଗଡ଼ଜାତର ଦୁଇ ବଖୁରିଆ ଚାଳଘର ଥିବା ବାମୁର ଡାକବଙ୍ଗଳାରେ ଅବସ୍ଥାନ କରିଥିଲେ । ବ୍ରିଟିଶ ପୁଲିସ ଓ ରାଜାଙ୍କର କଟକଣାକୁ ଖାତିର ନକରି ବହୁସଂଖ୍ୟକ ଲୋକ ଗାନ୍ଧୀଙ୍କ ଆସିବା ଖବର ପାଇ ବାମୁରଠାରେ ଭିଡ଼ ଜମାଇଥିଲେ ।

ସେଦିନ ରାତିରେ ଗାନ୍ଧୀ ରାତ୍ରଭୋଜନରେ ନାକଚୀ ଗ୍ରାମର ଗିରିଧାରୀ ମାଝୀଙ୍କ ଘରୁ ଆସିଥିବା ଛେଳି କ୍ଷୀର ଖାଇଥିଲେ । ତା’ ପରଦିନ ସକାଳେ ଏଠାରେ ଉପସ୍ଥିତ ହଜାର ହଜାର ଲୋକଙ୍କୁ ଗାନ୍ଧୀ ସତ୍ୟ, ଅହିଂସ, ଅସ୍ପୃଶ୍ୟତା ନିବାରଣ, ନିଶା ନିବାରଣ, ଖଦି କାର୍ଯ୍ୟକ୍ରମ ଓ କୃଷି ବ୍ୟବସ୍ଥା ସଂପର୍କରେ ଉପଦେଶ ଦେଇଥିଲେ । ଜଣେ ବ୍ୟକ୍ତି ଖୁସିରେ ଗାନ୍ଧୀଙ୍କୁ ଏକ ଆମ୍ବ ଖାଇବାକୁ ଦେଇଥିଲେ । ଗାନ୍ଧୀ ଆମ୍ବ ଖାଇସାରିଲା ପରେ ସେହି ଟାକୁଆଟିକୁ ଗଛ କରିବାକୁ କଳାବେଡ଼ା ଗ୍ରାମର ମକରଧ୍ୱଜ ଦେଓଙ୍କୁ ପ୍ରଦାନ କରିଥିଲେ । ସେ ଭଦ୍ରବ୍ୟକ୍ତି ସେହି ଟାକୁଆକୁ ପୋତି ଏକ ଆମ୍ବଗଛ ସୃଷ୍ଟି କରିଥିଲେ, ଯାହାକି ବହୁବର୍ଷ ପର୍ଯ୍ୟନ୍ତ ଗାନ୍ଧୀଗଛ ଭାବରେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ପରବର୍ତ୍ତୀ ଅବସ୍ଥାରେ ଝଡ଼ ବାତ୍ୟାରେ ସେହି ଗଛଟି ଉପୁଡ଼ି ନିଶ୍ଚିହ୍ନ ହୋଇଥିବାବେଳେ ତାଙ୍କ ସ୍ମୃତିରେ ଏକ ଆମ୍ବ ବଗିଚା ମଧ୍ୟ କରାଯାଇଛି । ଏଠାରେ ଗାନ୍ଧୀ କେଉଁମାନେ ମଦ୍ୟପାନ କରୁଛନ୍ତି ବୋଲି ପଚାରନ୍ତେ, କିଛି ସାହସୀ ଯୁବକ ହାତ ଟେକିଥିଲେ, ଗାନ୍ଧୀ ସେମାନଙ୍କୁ ବିରକ୍ତ ନହୋଇ ସ୍ପଷ୍ଟବାଦୀ ହୋଇ ସତ୍ୟ କହିଥିବାରୁ ସେମାନଙ୍କ ପିଠି ଥାପୁଡ଼େଇ ନିଶା ପରିତ୍ୟାଗ କରିବାକୁ ଉପଦେଶ ଦେଇଥିଲେ ଏବଂ ସେମାନେ ମଧ୍ୟ ଗାନ୍ଧୀଙ୍କ ପରାମର୍ଶ ମାନି ନିଶା ପରିତ୍ୟାଗ କରିଥିଲେ ।

ଏହାପରେ ଗାନ୍ଧୀ ଅନୁଗୋଳ ଗସ୍ତରେ ଯାଇ ସେଠାରେ ଏକ ସମାବେଶରେ ଉପସ୍ଥିତ ହଜାର ହଜାର ଲୋକଙ୍କୁ ଦେଶପ୍ରେମ ଓ ସ୍ୱରାଜ୍ୟର ବାର୍ତ୍ତା ପ୍ରଦାନ କରିଥିଲେ । ଏଠାରୁ ମେରାମୁଣ୍ଡଳୀ ଯାଇ ରେଳଯୋଗେ ପୁରୀ ଗସ୍ତ କରିଥିଲେ । ପୁରୀରେ ୬ ତାରିଖରେ ପହଞ୍ଚି ୭ ତାରିଖରେ ମୌନବ୍ରତ ପାନଳ କରି ୮ ତାରିଖ ଦିନ ସିଂହଦ୍ୱାରଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ତାଙ୍କର ଓଡ଼ିଶାରେ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ । ମଇ ମାସ ୮ ତାରିଖଠାରୁ ଆରମ୍ଭ କରି ଜୁନ ମାସ ୮ ତାରିଖ ପର୍ଯ୍ୟନ୍ତ ଅବିଭକ୍ତ ପୁରୀ, କଟକ ଓ ବାଲେଶ୍ୱର ଜିଲ୍ଲାରେ ପଦଯାତ୍ରା କରି ଲୋକଙ୍କୁ ଉଦ୍‌ବୋଧନ ଦେବା ସହ ଲୋକଙ୍କଠାରୁ ପାଣ୍ଠି ସଂଗ୍ରହ କରିଥିଲେ । ଭଦ୍ରକରେ କାର୍ଯ୍ୟକ୍ରମ କରି ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଜୁନ ୮ ତାରିଖରେ ପଦଯାତ୍ରା ସମାପନ କରି ଗାନ୍ଧିଜୀ ରେଳଯୋଗେ ଖଡ଼ଗପୁର ଗଲେ । ଗାନ୍ଧୀଙ୍କ ରହଣିକୁ ସ୍ମରଣୀୟ କରିବାପାଇଁ ବାମୁରଠାରେ ସ୍ଥାନୀୟ ଗାନ୍ଧୀପ୍ରେମ, ମୁରବି ଓ ଅଞ୍ଚଳବାସୀ ମହାତ୍ମା ଗାନ୍ଧୀ ମେମୋରିଆ ଟ୍ରଷ୍ଟ ଗଠନ କରି ଏଠାରେ ଗାନ୍ଧୀ ଜୟନ୍ତୀ, ଗାନ୍ଧୀ ତିରୋଧାନ ଦିବସ ଓ ଗାନ୍ଧୀ ରହଣି ବାର୍ଷିକୀ ପାଳନ କରାଯାଉଅଛି ।

ବାମୁରଠାରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ, ଜାନୁଆରୀ ୩୦ ତିରୋଧାନ ଦିବସ ଓ ମଇ ମାସ ୫ ତାରିଖରେ ବାପୁଙ୍କ ବାମୁର ରହଣି ଦିବସ ମହାସମାରୋହରେ ପାଳନ କରାଯିବା ସହ ଗାନ୍ଧୀ ବିଚାରଧାରା ଉପରେ ଫଟୋ ପ୍ରଦର୍ଶନୀ, ଡାକଟିକଟ ପ୍ରଦର୍ଶନୀ ଆଦି କାର୍ଯ୍ୟକ୍ରମ ସହିତ ସ୍ମରଣିକା ପ୍ରକାଶନ ପାଇଁ ଟ୍ରଷ୍ଟ ତରଫରୁ ବ୍ୟବସ୍ଥା କରାଯାଉଛି । ଆଗାମୀ ଦିନରେ ଏହି ଟ୍ରଷ୍ଟ ମାଧ୍ୟମରେ ଗାନ୍ଧୀଙ୍କ ବିଚାରଧାରା ଆଧାରରେ କୁଟୀର ଶିଳ୍ପ ଓ ବିବିଧ ଆତ୍ମନିଯୁକ୍ତି କାର୍ଯ୍ୟକ୍ରମ ସଂପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବାମୁରବାସୀ ଗାନ୍ଧୀଙ୍କ ବିଚାରଧାରାରେ ଅନୁପ୍ରାଣୀତ ହୋଇ ତାଙ୍କ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମ ସଂପାଦନ ପାଇଁ ଅଞ୍ଚଳବାସୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଓ ସ୍ଥାନୀୟ ବିଧାୟକ ଓ ଲୋକଙ୍କ ସେବକ ଭାବରେ ସେହି ଗଠନମୂଳକ କାର୍ଯ୍ୟରେ ମୋର ସବୁବେଳେ ସକ୍ରିୟ ସହଯୋଗ ରହିଛି ଓ ରହିବ । ଆଜି ପବିତ୍ର ଦିବସରେ ଶ୍ରେଷ୍ଠ ମାନବବାଦୀ ଶାନ୍ତି, ଅହିଂସର ପ୍ରତୀକ ମହାମାନବ ବାପୁଙ୍କୁ ୧୫୧ତମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.