ବ୍ରହ୍ମପୁର, ୧୪/୦୯: ଗୁଟ୍ଖା ବୋଝେଇ ଗାଡ଼ି ଅଟକାଇ ଲାଞ୍ଚ ମାଗିବା ଘଟଣାରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ରବିବାର ୪ ଜଣ କନ୍ଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି । କନେଷ୍ଟବଳ ଟୁକୁନା ସେଠୀ ସି/୮୧୧, ରାଜେନ୍ଦ୍ର ସେଠୀ ଏଲ୍ଏନ୍କେ/୪୪୭, ସନ୍ତୋଷ କୁମାର ଜାଲ ସି/୮୪୮ ଏବଂ ଅଭିଯାନ ଗୋମାଙ୍ଗ ଓଏପିଏଫ୍/୧୦୨ଙ୍କୁ ନିଲମ୍ବନ କରାଯାଇଥିବା ଏଏସ୍ପି ପ୍ରଭାତ କୁମାର ରାଉତରାୟ ସୂଚନା ଦେଇଛନ୍ତି ।
ଏଏସ୍ପିଙ୍କ ସୂଚନା ଅନୁସାରେ ଗତ ୨ ତାରିଖ ମଧ୍ୟରାତ୍ରରେ ଏହି ଘଟଣା ଘଟିଥିଲା । ବଡ଼ବଜାର ଥାନା ଅଞ୍ଚଳରୁ ବାହାରିଥିବା ଏକ ଗୁଟ୍ଖା ଗାଡ଼ି ଲାଠି ଏବଂ ବେନ୍ଦାଳିଆ ଗ୍ରାମ ଦେଇ ଯାଉଥିବା ବେଳେ ବଡ଼ବଜାର ଥାନାରେ କାର୍ଯ୍ୟରତ ୪ ଜଣ କନଷ୍ଟେବଳ ଉକ୍ତ ଗାଡ଼ିକୁ ଅଟକାଇ ଥିଲ । ପାର କରିବା ପାଇଁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ଏହି ଘଟଣାକୁ ନେଇ ବଡ଼ବଜାର ଅଞ୍ଚଳର ଏମ୍.ରଞ୍ଜିତ ନାମକ ଜଣେ ଗୁଟ୍ଖା ବ୍ୟବସାୟୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଖୋଦ୍ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଘଟଣାର ତଦନ୍ତ କରିଥିଲେ । ଏଥିରେ କିଏ ସାମିଲ ଥିଲେ, ସେହି ସମୟରେ ସେହି ଅଞ୍ଚଳରେ କିଏ ଡ୍ୟୁଟିରେ ଥିଲେ, କେତେ ଟଙ୍କା ମାଗିଥିଲେ ଯାଞ୍ଚ କରାଯାଇ ଥିଲା। ଅଭିଯୋଗର ସତ୍ୟତା ଥିବା ଜାଣି ଶେଷରେ ୪ ଜଣ କନଷ୍ଟେବଳଙ୍କୁ ଏସ୍ପି ନିଲମ୍ବନ କରିଛନ୍ତି ।
ଏମ୍.ରଞ୍ଜିତ ବଡବଜାର ସୀତାରାମ ସାହି ଟୁକୁନା ସାହୁଙ୍କ ଠାରୁ ଗୁଟ୍ଖା କିଣିଥିଲେ । ସେହି ଗୋଦାମ ମଧ୍ୟ ଯାଞ୍ଚ କରିଛି ପୁଲିସ । ସେଠାରେ ଖଇନି ଏବଂ କିଛି ଗୁଟ୍ଖା ଜାତୀୟ ସାମଗ୍ରୀ ଥିବା ବେଳେ ପ୍ରାୟ ୨ ଶହ ବସ୍ତା ଖଇନି ମଧ୍ୟ ପୁଲିସ ଜବତ କରିଛି । ବ୍ୟବସାୟୀ ଟୁକୁନା ସାହୁ ଏହି ସମସ୍ତ ଜବତ ସାମଗ୍ରୀର ବିଲ୍ ଥିବା ନେଇ ପୁଲିସକୁ ଜଣାଇଛନ୍ତି । ପୁଲିସ ଘଟଣାର ତଦନ୍ତ କରିବା ସାଙ୍ଗକୁ ଉକ୍ତ ସାମଗ୍ରୀର ତଥ୍ୟ ହାସଲ ପାଇଁ କେନ୍ଦ୍ରୀୟ ଅବକାରୀ, ସର୍ଭିସ୍ ଟ୍ୟାକ୍ସ ବିଭାଗ ବ୍ରହ୍ମପୁର ଡିଭିଜନ ଏବଂ ଡେପୁଟି କମିଶନର୍ ଅଫ ସିଟି ଏଣ୍ଡ ଜିଏସ୍ଟି ଗଞ୍ଜାମ-୨ ସହ ବିଏମସିର ସ୍ୱାସ୍ଥ୍ୟ ବିଭାଗକୁ ଚିଠି ପଠାଇଛି । ଏସ୍ପିଙ୍କ ତଦନ୍ତ ଜାରି ରହିଥିବା ବେଳେ ୪ ଜଣ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି । ଆଗାମୀ ଦିନରେ ଏହି ଘଟଣାର ଅଧିକ ତନାଘନା ଜାରି ରହିବ । ଏଥିରେ ଆଉ କେହି ସମ୍ପୃକ୍ତ ଥାଆନ୍ତି ତେବେ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ଏଏସ୍ପି ରାଉତରାୟ ସୂଚନା ଦେଇଛନ୍ତି ।