ସମ୍ଭାବ୍ୟ ବାତ୍ୟା ପୂର୍ବରୁ ପ୍ରଶାସନର ତତ୍ପରତା: ତିନି ପଞ୍ଚାୟତର ୩ଶହରୁ ଉର୍ଦ୍ଧ୍ବ ଲୋକ ସ୍ଥାନାନ୍ତରିତ

ଗଞ୍ଜାମ, ୧୯/ ୧୦: ସାମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଦିଆଯାଇଛି। ଯାହାକୁ ନେଇ ପାତ୍ରପୁର ବ୍ଳକ ଅନ୍ତର୍ଗତ ଦୁର୍ଗମ ଆଙ୍କୁଲି, ତୁମ୍ବା ଓ ବୁରାତାଲ ପଞ୍ଚାୟତର ଆଦିବାସୀମାନେ ଚିନ୍ତାରେ ପଡି ଯାଇଛନ୍ତି। ବିଶେଷ କରି ବାଘଲଟି ଜଳଭଣ୍ଡାର ଉପର ମୁଣ୍ଡରେ ରହିଥିବା ଏଲଗଲ, ଶିରିଶିଗଣ୍ଡ, ମାଡୁଆ ଗୁମ୍ମା, ବେହେରା ପୁଟୁ ଓ ବଣିଆବସା ଗ୍ରାମର ଆଦିବାସୀମାନେ ଆତଙ୍କିତ ହୋଇ ପଡିଛନ୍ତି।

ପ୍ରଶାସନ ପକ୍ଷରୁ ଦୁର୍ଗମ ପାହାଡ ଉପରେ ଥିବା ଗ୍ରାମର ଅଧିବାସୀମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଲାଗି ଅନୁରୋଧ କରିଥିଲେ। ସେମାନେ ଗାଁ ଛାଡ଼ି ଆସିବାକୁ ରାଜି ହୋଇନଥିଲେ। ତେବେ ଆଜି ପ୍ରଶାସନ ପକ୍ଷରୁ ସହାୟକ ଯନ୍ତ୍ରୀ ବିଶ୍ବନାଥ ମହାରଣା, କନିଷ୍ଠ ଯନ୍ତ୍ରୀ ପଦ୍ମନାଭ ଜେନା, ଜରଡା ରାଜସ୍ବ ଅଧିକାରୀ ଓ ଜିଆର ଏସ ସମେତ ଖାରିଆଗୁଡା ଫାଣ୍ଡି ପୋଲିସ ପାହାଡ ଚଢି ଜଳ ଭଣ୍ଡାର ଉପର ମୁଣ୍ଡରେ ଥିବା ଗ୍ରାମବାସୀ ବହୁ ବୁଝାସୁଝା କରିଥିଲେ।

ପରେ ଏଲଗଲ , ଶିରିଶିଗଣ୍ଡ, ବେହେରା ପୁଟୁ ଓ ମାଡୁଆ ଗୁମ୍ମା ଗ୍ରାମର ପ୍ରାୟ ୮୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ସପରିବାର ସହିତ ତିନି କିମି ପାହାଡ ରାସ୍ତା ଚଢି ଆସିବା ପରେ ବଡନାଳ ଠାରୁ ଟ୍ରାକ୍ଟର ଯୋଗେ ତାଡକାସାହି ଠାରେ ପହଞ୍ଚିଥିଲେ। ସେହିପରି ବୁରାତାଲ ପଞ୍ଚାୟତର ମାରମାରିଆ, ମୁଣ୍ଡେଇସିଙ୍ଗି, ମହାଲିମ୍ବ, ତାଡିଙ୍ଗି ଓ ସାନ ଅଂଶୁପା ଗ୍ରାମର ଲୋକ ଆସି ବୁରାତାଲ ଆଦିବାସୀ ହଷ୍ଟେଲ ରହିଥିବା ପ୍ରଧାନ ଶିକ୍ଷକ ନିରଞ୍ଜନ ରାଉଳ ପ୍ରକାଶ କରିଛନ୍ତି। ସେହିପରି ତୁମ୍ବା ପଞ୍ଚାୟତର ବାଲିଗାଁ ଓ ତାଵୁଡିଆ ରୁ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସିନ୍ଦୁରବାଡରେ ରଖା ଯାଇଥିବା ଜଣାପଡିଛି।