ପରିବେଶ ସୁରକ୍ଷା ପାଇଁ ଅଟୋରେ ବଗିଚା

କୋଲକାତା: ଅଟୋ ଉପରେ ବଗିଚା କରି କୋଲକାତାର ଅଟୋ ଚାଳକ ବିଜୟ ପାଲ ଏବେ ଚର୍ଚ୍ଚାରେ । ଏହି ନିଆରା ପଦକ୍ଷେପ ଲାଗି ସୋସିଆଲ୍ ମିଡିଆରେ ସେ ବେଶ ପ୍ରଶଂସିତ ହେଉଛନ୍ତି । ହଳଦିଆ ଓ ସବୁଜ ରଙ୍ଗର ଅଟୋ ଚଳାଉଥିବା ବିଜୟଙ୍କ ଫଟୋ ଏବଂ ଅଟୋ ଉପରେ ଘାସ ଓ ଛୋଟ ଫୁଲ ବଗିଚାର ଫଟୋ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି । ନିଜର ‘ସବୁଜ ଅଟୋ’ ମାଧ୍ୟମରେ ପରିବେଶ ସଂରକ୍ଷଣ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ସମାଜକୁ ଦେବା ବିଜୟଙ୍କ ଉଦ୍ଦେଶ୍ୟ । ବଗିଚା ସହିତ ‘ସେଭ୍ ଟ୍ରି, ସେଭ୍ ଲାଇଭ୍ସ (ଗଛ ବଞ୍ଚାଅ, ଜୀବନ ବଞ୍ଚାଅ)’ ସ୍ଲୋଗାନ୍ ମଧ୍ୟ ଅଟୋରେ ଲେଖିଛନ୍ତି । ସଚେତନତା ସହିତ ପ୍ରଚଣ୍ଡ ତାତିରୁ ତାଙ୍କ ଅଟୋକୁ ଥଣ୍ଡା ରଖିବାରେ ବଗିଚା ସାହାଯ୍ୟ କରିଛି । ଅନଲାଇନ୍ରେ ତାଙ୍କ ଫଟୋ ପୋଷ୍ଟ ହେବା ପରେ ଲକ୍ଷାଧିକ ପ୍ରଶଂସକ ଏହି ପଦକ୍ଷେପ ଲାଗି ବିଜୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଟୋକୁ ଥଣ୍ଡା ରଖିବାର ତାଙ୍କ ନିଆରା ଉପାୟକୁ ମଧ୍ୟ ଅନେକ ପ୍ରଶଂସା କରିଛନ୍ତି ।