ଗଣଦୁଷ୍କର୍ମ ଶିକାର ପୀଡ଼ିତାଙ୍କୁ ଖାପ୍‌ ପଞ୍ଚାୟତର ଦଣ୍ଡ: କେଶ କାଟି ଗାଁ ଦାଣ୍ଡରେ ବୁଲାଇବାକୁ ଆଦେଶ

ଗୟା ୨୭/୮ : ଗଣଦୁଷ୍କର୍ମ ଶିକାର ହୋଇଥିବା ଜଣେ ନାବାଳିକା ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ବିହାରର ଗୟା ଜିଲ୍ଲାରେ ଏକ ଖାପ ପଞ୍ଚାୟତ ଦଣ୍ଡଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପୀଡିତାଙ୍କ ଅଭିଯୋଗ ଅନୁସାରେ ଜିଲ୍ଲାର ମୋହନପୁର ଥାନା ଅଞ୍ଚଳରେ ଗତ ୧୪ ତାରିଖ ସନ୍ଧ୍ୟାରେ ପୀଡିତା ନାବାଳିିକାକୁ ୬ ଜଣ ଯୁବକ ଏକ ଗାଡିରେ ବଳପୂର୍ବକ ଅପହରଣ କରିନେଇଯାଇଥିଲେ । ତାଙ୍କୁ ସେମାନେ ବଳାତ୍କାର କରିବା ପରେ ଅଚେତ ଅବସ୍ଥାରେ ଗାଡିରୁ ଫିଙ୍ଗି ପଳାଇଥିଲେ ।

ପୀଡିତାଙ୍କ ପରିବାର ନ୍ୟାୟ ପାଇବା ଲାଗି ଗାଁ ପଞ୍ଚାୟତରେ ଫେରାଦ ହୋଇଥିଲେ । ଏପରିକି ପୀଡିତା ଅଭିଯୁକ୍ତମାନଙ୍କୁ ଜାଣିଥିବାର ପ୍ରକାଶ କରିଥିଲେ । ମାତ୍ର ଗାଁ ପଞ୍ଚାୟତ ଦୁଷ୍କର୍ମକାରୀଙ୍କୁ ଦଣ୍ଡିତ କରିବା ବଦଳରେ ପୀଡିତାଙ୍କୁ ଏହି ଘଟଣା ପାଇଁ ଦାୟୀ କରିଥିଲା । କେବଳ ଏତିକି ନୁହେଁ ପୀଡିତାଙ୍କ କେଶ କାଟିଦେବା ସହିତ ଗାଁ ଦାଣ୍ଡରେ ବୁଲାଇବାକୁ ଆଦେଶ ଦେଇଥିଲା । କିନ୍ତୁ ପଞ୍ଚାୟତରୁ ନ୍ୟାୟ ନ ମିଳିବାରୁ ପୀଡିତା ପରିବାର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ୬ ଦୁଷ୍କର୍ମକାରୀ ଓ ଗାଁ ପଞ୍ଚାୟତର ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।