୧୦ ଲକ୍ଷ ଟଙ୍କାର ପୁରସ୍କାର ଥିବା ଜୋନାଲ କମାଣ୍ଡର ଓ ଦୁଇ ନକ୍ସଲ ନିହତ

ଗୟା,୨୨।୧୧: ବିହାରର ଗୟାରେ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର ଆଲୋକ ଯାଦବ। ଆଲୋକର ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା। ନକ୍ସଲ ଜୋନାଲ କମାଣ୍ଡର ଆଲୋକ ସହିତ ତା’ର ଅନ୍ୟ ଦୁଇ ସହଯୋଗୀ ନିହତ ହୋଇଛନ୍ତି। କୁହାଯାଉଛି ଯେ, ଏହା ପୂର୍ବରୁ ନକ୍ସଲମାନେ ଦୁଇଜଣଙ୍କୁ ହତ୍ୟା କରିଥିଲେ, ଯାହାପରେ ପୋଲିସ ଏହି ଏନକାଉଣ୍ଟର କରିଥିଲା।

ମିଳିଥିବା ସୂଚନା ଅନୁସାରେ, ନକ୍ସଲ ସଂଗଠନ ଇନ୍ଦଲ ଗ୍ରୁପ ଗତ ରାତିରେ ବାରଚଟ୍ଟିର ମହୁଆରୀ ନିକଟସ୍ଥ ନଗରପୁରଡିହର ମୁଖିଆ ଦେଭର ବିରେନ୍ଦ୍ର ଯାଦବ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାର ସୂଚନା ପରେ ସର୍ଚ୍ଚ ଅପରେସନ୍‌ରେ ବାହାରିଥିବା ବାରାଚଟି ଥାନାର ପୋଲିସ ଓ କୋବ୍ରା ୨୦୫ କମ୍ପାନୀର ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ନକ୍ସଲଙ୍କୁ ଘେରାଉ କରିଦେଇଥିଲେ। ଏହାପରେ ଦୁଇ ପକ୍ଷରୁ ଶତାଧିକ ରାଉଣ୍ଡ ଫାୟାରିଂ ହୋଇଥିଲା, ଯେଉଁଥିରେ ସରକାର ୧୦ ଲକ୍ଷ ଟଙ୍କାର ପୁରସ୍କାର ଥିବା ଜୋନାଲ କମାଣ୍ଡର ଆଲୋକ ଯାଦବକୁ ଘଟଣାସ୍ଥଳରେ ମାରିବାରେ ସଫଳ ହୋଇଥିଲା। ସେଭଳି ଦୁଇଟି ଅନ୍ୟ ନକ୍ସଲ ମଧ୍ୟ ଆହତ ହେବାପରେ ଘଟଣାସ୍ଥଳରୁ ପଳାଇଥିଲେ। ତେବେ ପୋଲିସକୁ ଏହି ଦୁଇଜଣଙ୍କର ମୃତଦେହ ମିଳିଥିଲା।

ମିଳିଥିବା ସୂଚନା ଅନୁସାରେ, ସଂଘର୍ଷ ବେଳେ ପୋଲିସ ଏବଂ ଗାଁର ଅନ୍ୟ ଦୁଇଜଣ ଲୋକ ଆାହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସଂଘର୍ଷ ମହୁଆରୀର ସେହି ସ୍ଥାନରେ ହୋଇଛି, ଯେଉଁଠି ଛଟ୍ ମହାପର୍ବ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିଲା। ଏସଏସପି ରାଜୀବ ମିଶ୍ର କହିଛନ୍ତି, ସଂଘର୍ଷରେ ନକ୍ସଲ ଆଲୋକର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ନକ୍ସଲ ଆହତ ହୋଇ ଫେରାର ହୋଇଯାଇଥିଲେ। ପୋଲିସ ତାଙ୍କର ସନ୍ଧାନରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା। ପରେ ଅନ୍ୟ ଦୁଇ ନକ୍ସଲଙ୍କର ମୃତଦେହ ମିଳିଥିଲା।