ପ୍ରମୁଖ ଖବର
  • ଆସନ୍ତା ୨୦ରେ ପୁରୀ ରୋଡ଼ ସୋ କରିବେ ମୋଦି, ଅନୁଗୁଳ ଓ କଟକରେ କରିବେ ଜନସଭା
  • ||
  • ମୋହନା: ମହୁମାଛି ଆକ୍ରମଣ, ଗୋଟିଏ ପରିବାରର ୫ ଆହତ
  • ||
  • ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟି ୧୭ ଜଣ ଗୁରୁତର
  • ||
  • ସାଧାରଣ ନିର୍ବାଚନ ପାଇଁ ଖୋର୍ଦ୍ଧା, କଟକରେ ସରକାରୀ ଛୁଟି ବାତିଲ
  • ||
  • ମଙ୍ଗଳବାର ବାରାଣାସିରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପସ୍ଥିତ ରହିବେ ଏନ୍‌ଡିଏର ନେତା
  • ||
  • ମୋହନାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଗଛ ନିକଟରେ ରହିଛି ଅଟୋ
  • ||
  • ବିଜେପି ମିଶନ ଓଡ଼ିଶା, ଆସନ୍ତା ୨୦ରେ ବାଲିଯାତ୍ରା ପଡିଆରେ ମେଗା ପ୍ରଚାର କରିବେ ପ୍ରଧାନମନ୍ତ୍ରୀ
  • ||
  • ଭକ୍ତଙ୍କ ପାଇଁ ଖୋଲିଲା ବାବା ବଦ୍ରି ବିଶାଲଙ୍କ ଦରବାର, ଦର୍ଶନ ପାଇଁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ: ସୋମବାର ୪ ଲୋକସଭା, ୨୮ ବିଧାନସଭା ଆସନରେ ମତଦାତା ଲେଖିବେ ପ୍ରାର୍ଥୀଙ୍କ ଭାଗ୍ୟ
  • ||
  • ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ, ୪ ଲୋକସଭା, ୨୮ ବିଧାନସଭା ଆସନରେ ଭୋଟିଂ
  • ||
  • ଆଇପିଏଲ୍ ମହାସମରରେ ସୁପର କିଙ୍ଗ୍‌ସକୁ ଭେଟିବ ରୟାଲ, ସନ୍ଧ୍ୟାରେ ଚ୍ୟାଲେଞ୍ଜର୍ସ- କ୍ୟାପିଟାଲ୍ସ ଫାଇଟ୍
  • ||
  • କମ୍ପୁଛି ପ୍ରଚାର ମଇଦାନ୍, ଆଜି ବଲାଙ୍ଗିର ଏବଂ ବରଗଡ଼ରେ କ୍ୟାମ୍ପେନ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୫ ଯାଏ ଉପକୂଳରେ ବର୍ଷା ସମ୍ଭାବନା, ୧୬ରୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ
  • ||

ବିଜେପିର ଓଡ଼ିଶା ଦଖଲ ରଣନୀତି: ଭରସା କେନ୍ଦ୍ରୀୟ ନେତା, ୩୦ କେନ୍ଦ୍ରୀୟ ନେତାଙ୍କୁ ୩୦ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର,୨୮/୦୪: ଜଣେ ନୁହଁ କି ଦି’ ଜଣ, ୩୦ ଜିଲ୍ଲା ଦାୟିତ୍ୱରେ ରହିବେ ୩୦ ଅଭିଜ୍ଞ ବିଜେପି ନେତା । ବିଜେପିର ପ୍ରଚାର ଅଭିଯାନରୁ ବୁଥ୍‌ ପରିଚାଳନା, ୱାରରୁମ୍‌ କୌଶଳରୁ ସମାବେଶ ଓ ରୋଡ୍‌ ସୋ- ସବୁକିଛି ଏହି କେନ୍ଦ୍ରୀୟ ନେତାମାନେ ପରିଚାଳନା କରିବେ। ତାଙ୍କ ନିର୍ଦ୍ଦେଶ ଓ ପରାମର୍ଶରେ ଭୋଟ ଯୁଦ୍ଧ ଲଢ଼ିବ ରାଜ୍ୟ ବିଜେପି । କଳେ ବଳେ କୌଶଳେ ଭୋଟରଙ୍କ ମନଜିଣି ଦଳ ଓଡ଼ିଶା ଦଖଲ କରିବ । ଶାସନ ଗାଦିରେ ବସିବ ।

ଏମିତି ବ୍ଲୁପ୍ରିଣ୍ଟ କରିଛି ରାଜ୍ୟ ବିଜେପି । ରାଜ୍ୟରେ ୨୫ ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରିବାକୁ ହାଇକମାଣ୍ଡ ତ୍ରିପୁରା ଓ ଆସାମ ଫର୍ମୁଲା ଆପଣାଇବାକୁ ସ୍ଥିର କରିଛନ୍ତି । ଏଥିପାଇଁ ଦଳ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱସର୍ମା, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାଂସଦ ବିପ୍ଳବ କୁମାର ଦେବଙ୍କୁ ମଡେଲ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦେଇଛି । ଶ୍ରୀ ଦେବ ଓଡ଼ିଶାରେ ପହଞ୍ଚି ‘ୱାରରୁମ୍‌’ରେ କାମ ଆରମ୍ଭ କରିଛନ୍ତି । ଆଗକୁ ବିଶ୍ୱସର୍ମା ଆସିବେ । ନିର୍ବାଚନ ପରିଚାଳନାରେ ମୁଖ୍ୟ ଭାବେ ଦାୟିତ୍ୱରେ ରହିବେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । 

ତ୍ରିପୁରାରେ ଆମର ଭୋଟ ହାର ୧.୪ ପ୍ରତିଶତ ଥିଲା, ଆସାମରେ ୪ ପ୍ରତିଶତ । ଆମେ ସେଠି ଶାସନକୁ ଆସିଲୁ । ଏଠି ଆମ ସପକ୍ଷରେ ୩୨% ଭୋଟ ଅଛି, ଓଡ଼ିଶା ଦଖଲ କରିପାରି ନାହିଁ କାହିଁକି? ନିଷ୍ଠାର ସହ ଲାଗିପଡ଼, ନିଶ୍ଚୟ ସରକାର ଗଢ଼ିବା ଓଡ଼ିଶାରେ ।  

ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଏମିତି ବିଜୟ ମନ୍ତ୍ର ଫୁଙ୍କି ଦିଲ୍ଲୀ ଫେରିଲେ କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହ । ଏହାପରେ ବିଜେପି କ୍ୟାମ୍ପରେ ନାହିଁ ନଥିବା ଉତ୍ସାହ । ବିଜେପି ପଦାଧିକାରୀ ଓ ନେତାଙ୍କ ଆତ୍ମବିଶ୍ୱାସରେ ଲାଗିଛି ଡେଣା । ବିଜେପି ଚାଣକ୍ୟ ନୂଆଦିଲ୍ଲୀ ଫେରିବା ପରେ ହଠାତ୍‌ ‘ରକେଟ୍‌ ସ୍ପିଡ୍‌’ରେ ବିଜେପିର ଭୋଟ ରଣକୌଶଳ ବଦଳିଛି । 

ଆଜି ଆସି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ବିପ୍ଳବ । ଦଳର କୋର୍‌ କମିଟି ସହ ସେ ବୈଠକ କରିବା ପରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ରୁଦ୍ଧଦ୍ୱାର ମନ୍ତ୍ରଣା କରିଛନ୍ତି । ଶ୍ରୀ ଦେବ ‘ତ୍ରିପୁରା ମଡେଲ’ ସଂପର୍କରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରାଇଛନ୍ତି । 

ବିଜେଡି ସରକାର ବିରୋଧରେ ଥିବା ଅସନ୍ତୋଷକୁ ଅସ୍ତ୍ର କରି କେମିତି ପଦ୍ମ ସପକ୍ଷରେ ଭୋଟ ଭିଡ଼ି ହେବ ତା’ର କୌଶଳ ‘ଭୋଟ ପାଠଶାଳା’ରେ ବତାଇଛନ୍ତି । ଆଗକୁ ତ୍ରିପୁରା ଫର୍ମୁଲାର ଗୋଟିଏ ପରେ ଗୋଟିଏ ମନ୍ତ୍ର ଦେବେ ଶ୍ରୀ ଦେବ । ୫ ଲୋକସଭାର ପ୍ରଭାରୀ ଦାୟିତ୍ୱ ତୁଲାଇବା ସହ ଭୋଟ ସରିବା ଯାଏ ସେ ଓଡ଼ିଶାରେ ଡେରା ପକାଇବେ ବୋଲି ବିଜେପି ସୂତ୍ରରୁ ମିଳିଛି ସୂଚନା ।

ଆସାମ ମୁଖ୍ୟମନ୍ତ୍ରୀ ଆଗକୁ ଓଡ଼ିଶା ଗସ୍ତରେ ଆସି ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ମଧ୍ୟରେ  ଜୋସ୍‌ ଭରିବେ । ଯେଉଁ ଆସନଗୁଡ଼ିକରେ ଦଳ ପାଇଁ ଅଡୁଆ ପରିସ୍ଥିତି ଅଛି ହେମନ୍ତ ସେଠାକୁ ଯାଇ ସଂକଟ ମୋଚନ କରିବେ ।

ହେମନ୍ତଙ୍କ ଅଭିଜ୍ଞତା ଓ ବିଜୟ କୌଶଳର ପୂର୍ଣ୍ଣ ବିନିଯୋଗ କରିବ ଦଳ । ଇତିମଧ୍ୟରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ହେମନ୍ତ ଦୁଇଥର ଓଡ଼ିଶାର ସ୍ଥିତି ନେଇ ବୈଠକ କରି ସାରିଛନ୍ତି । ବିଜେଡି ବିରୋଧରେ କ’ଣ ସବୁ ଅସନ୍ତୋଷ ରହିଛି ତା’କୁ ସେ ଅନୁଧ୍ୟାନ କରି ତୋମାରଙ୍କୁ କିଛି ଟିପସ୍‌ ଦେଇଛନ୍ତି ।

ଶାହ ଆସି ବିଜେଡି ସରକାରକୁ କାଠଗଡ଼ାରେ ଛିଡ଼ା କରାଇ ଜୋରଦାର ଆକ୍ରମଣ କରିଛନ୍ତି । ଶାହଙ୍କ ଗସ୍ତ ବିଜେପି ଶିବିରରେ ବଳ ଭରିଛି । ଦଳ ସ୍ଥିର କରିଛି ଆସନ୍ତା ସପ୍ତାହ ବେଳକୁ ୩୦ କେନ୍ଦ୍ରୀୟ ନେତାଙ୍କୁ ଦଳ ୩୦ ଜିଲ୍ଲା ଦାୟିତ୍ୱ  ଦେବ । ଯେଉଁ ନେତାମାନଙ୍କର ନିର୍ବାଚନ ପରିଚାଳନା ଅଭିଜ୍ଞତା ରହିଛି ସେଭଳି ନେତାଙ୍କୁ ଚୟନ କରି ଦଳ ଓଡ଼ିଶା ପଠାଇବ । ସେମାନେ ଜିଲ୍ଲାୱାରୀ ଡେରା ପକାଇବେ । ଭୋଟ ପରିଚାଳନାରେ ରିମୋଟ୍‌ ଧରିବେ । 

ଆସନ୍ତାକାଲି ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଭୋଟଭିକ୍ଷା ପାଇଁ ଆସୁଛନ୍ତି । ନଡ୍ଡା ଜନସମାବେଶ ପରେ ପ୍ରଥମ ଦଫାରେ ହେବାକୁ ଥିବା ୪ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଏବଂ ପଦାଧିକାରୀଙ୍କୁ ଭେଟି ମନ୍ତ୍ର ଦେବେ । ମନୋବଳ ବଢ଼ାଇବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି । ଆଗକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାରରେ ଆସିବା ପରେ ପଦ୍ମ ଦଳ ଅଧିକ ଆକ୍ରମଣାତ୍ମକ ଢଙ୍ଗରେ ବିଜେଡିର ମୁଖା ଖୋଲିବାକୁ ନିଷ୍ପତ୍ତି ନେଇଛି ।

ବିଜେପି ହାଇକମାଣ୍ଡଙ୍କ ହିସାବ କହୁଛି, ଆଗରୁ ପ୍ରତି ବୁଥ୍‌ରେ ୫୦% ଭୋଟ ଅଭିଯାନ ଦଳ ଆରମ୍ଭ କରିଛି । ଓଡ଼ିଶାରେ ଶାସନ ଡୋରି ଧରିବାକୁ ଦଳକୁ ୪୧/୪୨ ପ୍ରତିଶତ ଭୋଟ ଆବଶ୍ୟକ । ୨୦୧୯ରେ ଦଳକୁ ୩୨% ଭୋଟ ମିଳିଥିଲା । ୨୦୧୪ ତୁଳନାରେ ୧୪% ଅଧିକ ଭୋଟ ଦଳ ଖାତାକୁ ଆସିଥିଲା । ବିଜେଡି ବିରୋଧରେ ପ୍ରବଳ ଜନ ଅସନ୍ତୋଷ ସହ ସରକାର ବିରୋଧୀ ହାୱା ବହୁଛି । ମୋଦି ଗ୍ୟାରେଣ୍ଟିକୁ ଓଡ଼ିଶାବାସୀ ପସନ୍ଦ କରୁଛନ୍ତି । ତେଣୁ ଆଉ ୯ ପ୍ରତିଶତ ଭୋଟ ହାତେଇବାକୁ ଦଳ ପାଇଁ ବଡ଼ କାମ ନୁହଁ । କେବଳ ଠିକଣା ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚିବା ଓ ଭୋଟ ପରିଚାଳନା ଉପରେ ଦଳ ଫୋକସ୍‌ କରୁଛି ।

ରାଜ୍ୟରେ ୪ ପର୍ଯ୍ୟାୟ ଭୋଟ ହେବ । ଶେଷ ଦୁଇ ପର୍ଯ୍ୟାୟ ବେଳକୁ ବହୁ କେନ୍ଦ୍ରୀୟ ନେତାଙ୍କର ନିଜ ରାଜ୍ୟରେ ଭୋଟ ସରିଯାଇଥିବ । ଏ ଦୁଇ ପର୍ଯ୍ୟାୟରେ ୧୨ ଲୋକସଭା ସହ ୮୪ ବିଧାନସଭା ଭୋଟ ବାକି ଥିବ । ବିଜେପି କେନ୍ଦ୍ରୀୟ ନେତାଙ୍କୁ ବହୁ ସଂଖ୍ୟାରେ ଠୁଳ କରିବ । ସରକାର ବିରୋଧୀ ପ୍ରସଙ୍ଗକୁ ଧରି ଶାଣିତ ଆକ୍ରମଣ କରି ବିଜେଡି ହାତରୁ ଶାସନ ଡୋରି ଛଡ଼ାଇ ନେବାକୁ ବିଜେପି ତିଆରି କରିଛି ବ୍ଳୁପ୍ରିଣ୍ଟ ।

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.